ସେନା ଶାସକ ବିରୋଧରେ ମ୍ୟାଁମାରରେ ବିକ୍ଷୋଭ

ୟାଙ୍ଗୁନ୍‌: ମ୍ୟାଁମାରରେ ସେନାର କ୍ଷମତା ଦଖଲକୁ ଗଣତନ୍ତ୍ରବାଦୀ ଜନତା ତୀବ୍ର ବିରୋଧ କରିଛନ୍ତି। ଲୋକପ୍ରିୟ ନେତ୍ରୀ ଅଙ୍ଗ୍‌ ସାନ ସୁ କି’ଙ୍କ ସହିତ ତାଙ୍କର ଘନିଷ୍ଠ ସହଯୋଗୀ ତଥା ଦେଶର ବୟୋବୃଦ୍ଧ ନେତା ୟୁ ୱିନ୍‌ ହିତିନଙ୍କୁ ବନ୍ଦୀ କରି ରଖି୨ବା ଏବଂ ସାମାଜିକ ଗଣମାଧ୍ୟମ ଉପରେ କଟକଣା ଜାରି କରାଯିବା ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଛି। ସାରା ଦେଶରେ ବିକ୍ଷୋଭ ସମାବେଶ ବ୍ୟାପକ ହେଉଛି। ଲୋକଙ୍କ ପ୍ରତିକ୍ରିୟାକୁ ଚାପିବା ପାଇଁ ସେନା ଶାସକ ବୁଧବାର ରାତିରୁ ସାମାଜିକ ଗଣମାଧ୍ୟମ ଫେସବୁକ୍‌କୁ ନିଷିଦ୍ଧ କରିବା ପରେ ଲୋକେ ଟ୍ୱିଟରର ସହାୟତା ନେଇଛନ୍ତି। ଏହା ମାଧ୍ୟମରେ ଆନ୍ଦୋଳନକୁ ବ୍ୟାପକ କରାଯାଇଛି। ଶୁକ୍ରବାର ଜନତା ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶିକ୍ଷକ ଓ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସୁ କି’କଙ୍କ ପ୍ରତି ସେମାନଙ୍କ ସମର୍ଥନ ଜଣାଇଛନ୍ତି। ସେମାନେ ସେନା ଶାସକ ବିରୋଧରେ ‘ଅମାନ୍ୟ’ ଆନ୍ଦୋଳନ ସ୍ବରୂପ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ବନ୍ଦ କରିଛନ୍ତି। ସରକାରୀ ପଦପଦବୀରେ ଅଧିଷ୍ଠିତ ଅଧିକାରୀ ଓ ଡାକ୍ତରମାନେ ମଧ୍ୟ ସୁ କି’ଙ୍କ ସମର୍ଥନରେ ବାହାରି ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। କ୍ରମବର୍ଦ୍ଧିଷ୍ଣୁ ଆନ୍ଦୋଳନକୁ ଦମନ କରିବା ପାଇଁ ସେନା ଶାସକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକଙ୍କୁ ଗିରଫ କରାଯାଉଥିବା ଲକ୍ଷ୍ୟ କରାଯାଇଛି।

Comments are closed.