ସିଏଏ ବିରୋଧୀ ହିଂସା: ମୀରଟରେ ପୁଲିସ ଉପରକୁ ଗୁଳି ଚଳାଇଥିଲେ ବିକ୍ଷୋଭକାରୀ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଉତ୍ତରପ୍ରଦେଶରେ ନିକଟରେ ହୋଇଥିବା ହିଂସାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଗୁଳିରେ ଏମାନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ପୁଲିସ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇଥିବା ସ୍ବୀକାର ମଧ୍ୟ କରିଥିଲା। କିନ୍ତୁ ଆନ୍ଦୋଳନକାରୀମାନେ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିବା ଜଣାପଡ଼ିଛି। ଏ ନେଇ ଉତ୍ତରପ୍ରଦେଶ ପୁଲିସ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି, ଯେଉଁଥିରେ ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ଗୁଳିମାଡ଼ କରିଥିବା ଦେଖିବାକୁ ମିଳିଛି।

ପୁଲିସ ଏ ନେଇ ଏକାଧିକ ଫଟୋ ଏବଂ ଭିଡିଓ ଜାରି କରିଛି। ମୀରଟରେ ଆନ୍ଦୋଳନକୁ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବାରୁ ପୁଲିସ ଲାଠି ମାଡ଼ କରି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଭିଡ଼ ଭିତରେ ଦୁଇ ଜଣ ଆନ୍ଦୋଳନକାରୀ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଫଳରେ ବାଧ୍ୟ ହୋଇ ପୁଲିସ ଗୁଳି ଚଳାଇଥିଲା। ଭିଡିଓରେ ନୀଳ ଜ୍ୟାକେଟ ଏବଂ ମୁଖାପିନ୍ଧା ଜଣେ ବନ୍ଧୁକଧାରୀ ଆନ୍ଦୋଳନକାରୀଙ୍କୁ ଦେଖିବାକୁ ମିଳିଛି। ହିଂସାରେ ରାଜ୍ୟରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମୀରଟରେ ସର୍ବାଧିକ ୬ ଜଣ ପ୍ରାଣ ହରାଇଥିଲେ। ପୁଲିସ କହିଛି ଯେ, ପୁଲିସ ପକ୍ଷରୁ ଗୁଳି ଚଳାଯାଇଛି, କିନ୍ତୁ ତାହା ସବୁ ପ୍ଲାଷ୍ଟିକ ଏବଂ ରବର ବୁଲେଟ୍‌ ଥିଲା। କେବଳ ବିଜନୌରରେ ଜଣେ ଆନ୍ଦୋଳନକାରୀ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ପୁଲିସ ସ୍ବୀକାର କରିଛି। ଏହା ବ୍ୟତୀତ ପୁଲିସ ଆନ୍ଦୋଳନସ୍ଥଳରୁ ବେଆଇନ ବନ୍ଧୁକର ୫୦୦ କାଟ୍ରିଜ ଜବତ କରିଥିବା ଡିଜିପି ଓ.ପି. ସିଂହ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

Comments are closed.