ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକ କରିବେ ଟ୍ରାକ୍ଟର ପରେଡ

ତିନୋଟି କୃଷି ଆଇନକୁ ବିରୋଧ କରି ୩୮ ଦିନ ହେବ ଆନ୍ଦୋଳନ ଚଳାଇ ଥିବା କୃଷକ ସଂଗଠନଗୁଡିକ ଚଳିତ ମାସ ୨୬ (ଗଣତନ୍ତ୍ର ଦିବସ)ରେ ଟ୍ରାକ୍ଟର ପରେଡ ସହ ଜାନୁଆରୀ ୨୩ରେ ବିଭିନ୍ନ ରାଜ୍ୟରେ ରାଜ୍ୟପାଳଙ୍କ ଘର ଅଭିମୁଖେ ଯାତ୍ରା କରିବେ। ମିଳିତ କୃଷକ ସଂଘର ସଭାପତି ଦର୍ଶନ ପାଲ କହିଛନ୍ତି, ଜାନୁୟାରୀ ୨୩ରେ ସେମାନେ ବିଭିନ୍ନ ରାଜ୍ୟରେ ରାଜ୍ୟପାଳଙ୍କ ଘର ଅଭିମୁଖେ ଯାତ୍ରା କରିବେ ଏବଂ ଜାନୁଆରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର କିସାନ ପରେଡ ଅନୁଷ୍ଠିତ ହେବ। ଜାତୀୟ ପତାକା ଥିବା ଟ୍ରାକ୍ଟର ପରେଡକୁ ‘କିସାନ ପ୍ୟାରେଡ’ କୁହାଯିବ।

କୃଷକ ସଂଗଠନର ଜଣେ ନେତା କହିଛନ୍ତି ଯେ ଆମେ ଶାନ୍ତିପୂର୍ଣ୍ଣ ଥିଲୁ, ଶାନ୍ତିପୂର୍ଣ୍ଣ ରହିଛୁ ଏବଂ ଶାନ୍ତିପୂର୍ଣ୍ଣ ରହିବୁ, କିନ୍ତୁ ନୂତନ କୃଷି ଆଇନ ରଦ୍ଦ ନହେବା ପର୍ଯ୍ୟନ୍ତ ଆମେ ଦିଲ୍ଲୀ ସୀମାରେ ରହିବୁ। ଶନିବାର ଦିନ କୃଷକ ଗୋଷ୍ଠୀ ଗାଜିଆବାଦ ଏବଂ ନୋଏଡା ଠାରୁ ରାସ୍ତା ଅବରୋଧ ଜାରି କରିଥିଲେ। ଗତ ମାସରୁ ଦିଲ୍ଲୀରୁ ହରିୟାଣା ପର୍ଯ୍ୟନ୍ତ ସିଙ୍ଗୁ ଏବଂ ଟିକ୍ରି ସୀମା କ୍ରସିଂ ପଏଣ୍ଟ ମଧ୍ୟ ସମ୍ପୂର୍ଣ୍ଣ ଅବରୋଧ ହୋଇ ରହିଆସିଛି।

ଅନ୍ୟପକ୍ଷରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧୁରୀ କହିଛନ୍ତି ଯେ ଜାନୁୟାରୀ ୪ରେ କୃଷକଙ୍କ ସହ ଆଲୋଚନା ହେବାକୁ ଥିବା ବେଳେ ଏହାର ସମାଧାନ ହେବା ନେଇ ସେ ଆଶାବାଦୀ ଏବଂ ଜାରି ରହିଥିବା ଅବରୋଧ ଶେଷ ହେବ ବୋଲି ସେ କହିଛନ୍ତି।

Comments are closed.