ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା : ୧୩ ଦିନ ପରେ ବି ପୋଲିସର ହାତ ଖାଲି

ପ୍ରତିବାଦରେ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

ଠାକୁରମୁଣ୍ଡା : ସ୍ୱାଧୀନତା ସଂଗ୍ରାମୀ ବିର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯିବା ପ୍ରତିବାଦରେ ୧୩ ଦିନ ପରେ ବୁଧବାର ଦିନ ଠାକୁରମୁଣ୍ଡା ଠାରେ ଆଦିବାସୀ ମାନଙ୍କ ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇ ଯାଇ ବ୍ଲକ ଘେରାଉ ସହ ୬ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଢ଼ିପା ସାହି ଠାରେ ୩ ବର୍ଷ ପୂର୍ବରୁ ପ୍ରତିଷ୍ଠା ହୋଇ ଥିବା ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ଗତ ୯ ତାରିଖ ବିଳମ୍ବିତ ରାତିରେ କେହି ଦୁର୍ବୁର୍ତ୍ତ ଭାଙ୍ଗି ଦେଇଥିବା ଜଣାପଡିଥିଲା। ପରେ ଏହି ଘଟଣାକୁ ନେଇ ଆଦିବାସୀଙ୍କ ମଧ୍ୟରେ ପତ୍ରିକ୍ରିୟା ସୃଷ୍ଟି ହୋଇଥିଲା। ବିଭିନ୍ନ ଆଦିବାସୀ ସଂଗଠନର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ପ୍ରତିମୂର୍ତ୍ତି ଭଙ୍ଗାସ୍ଥଳ ପରିଦର୍ଶନ କରିଥିଲେ। ଏନେଇ ବିର୍ସାମୁଣ୍ଡା ସଂଘ ପକ୍ଷରୁ ସନ୍ଦେହରେ ଜଣେ ବନ କର୍ମଚାରୀ ଏଥିରେ ସମ୍ପୁର୍କ୍ତ ଥିବା ନେଇ ଠାକୁରମୁଣ୍ଡା ଥାନାରେ ଅଭିଯୋଗ କରାଯାଇଥିଲା।ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ସଂପୂର୍କ୍ତ ଦୁର୍ବୁର୍ତ୍ତ କୁ ଧରିବାପାଇଁ  ଆଦିବାସୀ ମାନେ ପ୍ରତିମୂର୍ତ୍ତି ଭଙ୍ଗା ସ୍ଥଳରେ ଦିନ ରାତି ଧାରଣାରେ ରହିଥିଲେ। ଦୋଷୀକୁ ଧରିବାକୁ ଘଟଣାସ୍ଥଳକୁ ପୁଲିସ ଉଚ୍ଚ ଅଧିକାରୀ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇ ଥିଲେ ମଧ୍ୟ ଦୋଷୀକୁ ଧରି ପାରିନାହାନ୍ତି ।

ବୁଧବାର ଦିନ ବୀର ବିର୍ସାମୁଣ୍ଡା ବିକାଶ ସମିତି ପକ୍ଷରୁ ପ୍ରାୟ ଦୁଇ ହଜାରରୁ ଅଧିକ ଆଦିବାସୀ ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ପ୍ଲା କାର୍ଡ ଧରି ଶୋଭାଯାତ୍ରାରେ ରୁଗୁଡିବେଡାରୁ ବାହାରି ଠାକୁରମୁଣ୍ଡା ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଏକ ପ୍ରତିବାଦ ସଭା କରି ପ୍ରତିମୂର୍ତ୍ତି ଭଙ୍ଗା ଅପରାଧୀଙ୍କୁ ଗିରଫ କରିବା, ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ କରିବା, ଏବଂ ବ୍ଲକ ପରିସରେ ଏକ ବିର୍ସାମୁଣ୍ଡା ପ୍ରତିମୂର୍ତ୍ତି ସ୍ଥାପନ କରିବା, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ବିର୍ସାମୁଣ୍ଡା ନାମରେ ନାମିତ କରିବା, ଆଦି ୬ ଦଫା ସମ୍ବଳିତ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ। ବିର୍ସାମୁଣ୍ଡା ହୋ ସମାଜ ସଭାପତି ରାମରାୟ ମୁନ୍ଦିଆ, ଜେଏମଏମ ରାଜ୍ୟ ସଭାପତି ମହେଶ୍ ହେମ୍ବ୍ରମ,  ଜିଲ୍ଲା ପରିଷଦ ସଭ୍ୟ ସମାଇଁ ପୂର୍ତ୍ତି, ପେଲଙ୍ଗ ଚାତାର, ପୂର୍ବତନ ବିଧାୟକ ପଦ୍ମଚରଣ ହାଇବରୁ, ଓକିଲ ଗଣେଶ ଗାଗରାଇ, ଗୁନାରାମ ସୟ, ମାର୍କଣ୍ଡ ହେମ୍ବ୍ରମ,ସୁଖୁଲାଲ ପାଲେୟା, ଜେମାମଣି ସୋରେନ,ପୁଷ୍ପାଞ୍ଜଳି ସିଦୁ,ପ୍ରହ୍ଲାଦ ଗାଗରାଇ ପ୍ରମୁଖ ସଭାଯାତ୍ରାର ନେତୃତ୍ୱ  ନେଇଥିଲେ।
ତେବେ ଆଗାମୀ ୧୫ ଦିନ ମଧ୍ୟରେ ଦୋଷୀକୁ ଖୋଜି ବାହାର କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ନେଲେ  ଆଗାମୀ ଦିନରେ ଯୋରଦାର ଆନ୍ଦୋଳନ ହେବବୋଲି  ଆଦିବାସୀ ନେତୃ ମଣ୍ଡଳୀ ଚେତାବନୀ ଦେଇଛନ୍ତି।

Comments are closed.