ଶିବ ବନ୍ଧର ପୁନଃରୁଦ୍ଧାର ପାଇଁ ହେମାଲ ସଂଘର ଏନ୍‍.ଏ.ସି. ଘେରାଉ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରର ୱାର୍ଡ ନଂ ୧୧ ଓ ୧୨ ନଂର ବାସିନ୍ଦା ବ୍ୟବହାର କରି ଆସୁଥିବା ବନ୍ଧପଡା ସ୍ଥିତ ଶିବ ପୋଖରୀରର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଆଜି ଏନ୍‍.ଏ.ସି. ଘେରାଉ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ୭ ଦିନ ମଧ୍ୟରେ ଦାବୀ ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏନ୍‍.ଏ.ସି. କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ହେମାଲ ସଂଘ ସହ ଦୁଇ ୱାର୍ଡ ବାସିନ୍ଦା। ପ୍ରାପ୍ତ ସୂଚନା ଅନୁଯାୟୀ, ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ହେବ ଏହି ଶିବ ପୋଖରୀରେ ପଙ୍କ ଉଦ୍ଧାର ହୋଇ ନ ଥିବା ବେଳେ ଏହି ପୋଖରୀରେ ୱାର୍ଡ ନଂ ୧୧ ଓ ୧୨ର ବାସିନ୍ଦା ମାନେ ଗାଧୋଇବା, ଖାଇବା ସହ ପିଇବା ପାଣି ପାଇଁ ମଧ୍ୟ ବ୍ୟବହାର କରୁଛନ୍ତି। ଏହି ୱାର୍ଡରେ ନୂତନ ଭାବରେ ନିକଟରେ ପାଇପ ଲାଇନ ସଂଯୋଗ ହୋଇଥିଲେ ମଧ୍ୟ ପିଇବା ପାଣି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇନାହିଁ। ନିକଟରେ ମସାଣି ପଦାରୁ ମୃତ ଶବ ଦାହ କରି ଦଶାହ କାର୍ଯ୍ୟ ପାଇଁ ମଧ୍ୟ ଏହି ପୋଖରୀର ପାଣି ରେ ବ୍ୟବହାର କରି ଆସୁଥିଲେ। ଏହି ପୋଖରୀରୁ ପାଣି ନେଇ ନାମଯଜ୍ଞ ବିଭିନ୍ନ ଦେବାଦେବୀର ପୂଜାର୍ଚ୍ଚନା ପାଇଁ ପାଣି ନେବା ସହ ଗାଧୋଇ ଥାନ୍ତି ଭକ୍ତମାନେ। ଏଣୁ ଏହି ପୋଖରୀକୁ ଶିବ ପୋଖରୀ ନାମରେ ନାମିତ କରାଯାଇଛି।

ଏହି ପୋଖରୀରେ ଆଗରୁ ୪/୫ ଫୁଟ ପାଣି ରହୁଥିବା ବେଳେ ଏ ବର୍ଷ ସମ୍ପୁର୍ଣ୍ଣ ସୁଖି ଯାଇଛି। ପୋଖରୀ ହୁଡାରେ ବିଭିନ୍ନ କୁକୁଡା ଦୋକାନ ଓ ମାଛ ବ୍ୟବସାୟୀ ମାନେ ଅଳିଆ ଆବର୍ଜନା ଫୋପାଡୁ ଥିବା ସହରର ନର୍ଦ୍ଦମା ଓ ଦୂଷିତ ପାଣି ଏ ପୋଖରୀରେ ଯାଇ ମିଶୁଥିବାରୁ ପୋଖରୀ ପାଣି ଦୂଷିତ ହୋଇପଡିଛି। ନିକଟରେ ଜାତୀୟ ମାନବ ଅଧିକାର ସେଲ ସୁପ୍ରିମ କୋର୍ଟ ଜିଲ୍ଲା ପ୍ରଶାସନ କୁ କୈଫିୟତ ତଲବ କରିଥିବା ବେଳେ ତଥାପି ଏନ୍‍.ଏ.ସି. ଓ ଜନସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟି ଗୋଚର ହୋଇନାହିଁ। ଏଣୁ ଆଜିର ହେମାଲ ସଂଘ ତରଫରୁ ପ୍ରସ୍ତାବିତ ୨ଟି ଦାବୀ ପୋଖରୀରୁ ପଙ୍କ ଓ ଆବର୍ଜନା ଉଦ୍ଧାର କରିବା ସହିତ ପୋଖରୀର ଚତୁଃପାର୍ଶ୍ବରେ ସର୍ବସାଧାରଣ ବ୍ୟବହାର ଯୋଗ୍ୟ ପାହାଚ ନିର୍ମାଣ କରିବା ସହିତ ନବୀକରଣ ଓ ସୌନ୍ଦର୍ଯ୍ୟକରଣ ଯୋଜନା ଅନୁଯାୟୀ କାର୍ଯ୍ୟ କରାଯାଉ। ଉପରୋକ୍ତ କାର୍ଯ୍ୟକୁ ସମ୍ପାଦନ କରିବା ପାଇଁ ବିଭାଗୀୟ ସ୍ତରରେ ତୁରନ୍ତ ପଦକ୍ଷେପ ନିଆଯାଉ। ଆଜିର ଏହି ଧାରଣାରେ ସଭାପତି ଶେଷଦେବ ପୁଟେଲ, ଉପ-ସଭାପତି ବିଦେଶୀ ବେହେରା, ସଂପାଦକ ବିସର୍ବ ବେହେରା, ଏନ୍‍.ଏ.ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଉଦ୍ଦେଶ୍ୟରେ ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ତଥା ରାଜନେତା ଶିବାଜୀ ମହାନ୍ତି, ଦେବରାଜ ବେହେରା, ଦାମୋଦର ବେହେରା, କାଦୋ ଭୋଇ, କାହ୍ନୁ ପୁଟେଲ, ହରି ବହିଦାର, ଭକ୍ତ ବେହେରା, କମଳ ବେହେରା, ଭୁଜବଳ ପୁଟେଲ, କୃଷ୍ଣ ଭୋଇ ଙ୍କ ସହ ଶତାଧିକ ହେମାଲ ସଂଘର ସଭ୍ୟମାନେ ଉପସ୍ଥିତ ଥିଲେ।

Comments are closed.