ଜୁଆଖେଳକୁ ବିରୋଧ କରିବାରୁ ଦଳିତ ପରିବାର ଉପରେ ଆକ୍ରମଣ ଘଟଣା: ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ଦଳିତ ମହାସଂଘର ବିକ୍ଷୋଭ

ପିପିଲି: ଜୁଆଖେଳକୁ ବିରୋଧ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଡେଲାଙ୍ଗ ଥାନା ରେଞ୍ଚ ଗ୍ରାମର ଅଭିମନ୍ୟୁ ମଲ୍ଲିକଙ୍କ ପରିବାରକୁ ନ୍ୟାୟ ଦେବା ଓ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ଜାତୀୟ ଦଳୀତ, ଆଦିବାସୀ, ସଂଖ୍ୟାଲଘୁ ମହାସଂଘ ପକ୍ଷରୁ ବୁଧବାର ପିପିଲିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷମାନେ ପିପିଲି ପୌରାଞ୍ଚଳର ଦରଡା ଗ୍ରାମ୍ୟଛକଠାରୁ ବୁଧବାର ପୂର୍ବାହ୍ନରେ ଶୋଭାଯାତ୍ରାରେ ବାହାରି ଚାନ୍ଦୁଆବଜାର ଦେଇ ପିପିଲି ଥାନାଛକଠାରେ ପହଞ୍ଚିଥିଲେ। ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଜୟ କୁମାର ସେଠୀ ଅଭିଯୋଗ କରିଥିଲେ ଯେ, ରେଞ୍ଚ ମେଳଣ ପଡ଼ିଆରେ ଚଳିତ ମାସ ୫ ତାରିଖରେ ଜୁଆଖେଳ ଚାଲିଥିବା ବେଳେ ଏହାକୁ ଅଭିମନ୍ୟୁ ମଲ୍ଲିକଙ୍କ ପୁଅ ନିଶିକାନ୍ତ ବିରୋଧ କରିଥିଲେ। ଏଥିରେ କ୍ରୋଧାନ୍ୱିତ ହୋଇ କେତେକ ବ୍ୟକ୍ତି ସଂଘବଦ୍ଧ ଭାବେ ନିଶିକାନ୍ତଙ୍କ ସମେତ ତାଙ୍କ ବାପା ଅଭିମନ୍ୟୁ ଓ ମାଆଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ମରଣାନ୍ତକ ଆକ୍ରମଣ ସମୟର ସମସ୍ତ ତଥ୍ୟ(ଭିଜୁଆଲ) ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ସିସି କ୍ୟାମେରାରେ ରେକର୍ଡ ହୋଇଛି। ଘଟଣାସ୍ଥଳରେ ଡେଲାଙ୍ଗ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏନେଇ ଡେଲାଙ୍ଗ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ମାତ୍ର ୩ଜଣ ଆକ୍ରମଣକାରୀଙ୍କୁ ଗିରଫ କରି ନିଜର ଦାୟିତ୍ୱ ଶେଷ କରି ଦେଇଥିବା ଶ୍ରୀ ସେଠୀ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ୬ଜଣ ପ୍ରମୁଖ ଅଭିଯୁକ୍ତଙ୍କ ସମେତ ସମସ୍ତ ଅଭିଯୁକ୍ତମାନେ ଏବେ ଖୋଲାଖୋଲି ଭାବେ ବଜାର ଘାଟରେ ବୁଲୁଛନ୍ତି। ଅଭିମନ୍ୟୁଙ୍କ ପରିବାରକୁ ସେମାନେ ନାନା ଧମକ ଦେବା ସହ ମାମଲା ଉଠାଇ ନେବାକୁ ଚାପ ପକାଉଥିବା ଶ୍ରୀସେଠୀ ଅଭିଯୋଗ କରିଛନ୍ତି। ଏପରିକି ଫେରାର ଥିବା ଅଭିଯୁକ୍ତଙ୍କ ଧମକ ଫଳରେ ଅଭିମନ୍ୟୁଙ୍କ ପରିବାର ଏବେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଦାବି ସଂକ୍ରାନ୍ତୀୟ ଏକ ସ୍ମାରକପତ୍ରକୁ ମହାସଂଘ ପକ୍ଷରୁ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳଙ୍କୁ ପ୍ରଦାନ କରାଯାଇଥିଲା। ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍‍ଡିପିଓ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ରାଜ୍ୟ ଉପସଭାନେତ୍ରୀ ଟିକିନା ମଲ୍ଲିକ, ରାଜ୍ୟ ସଂପାଦିକା ସୋନିଲତା ସେଠୀ, ପୁରୀ ଜିଲା ସଭାନେତ୍ରୀ ଲକ୍ଷ୍ମୀପ୍ରୀୟା ବେହେରା, ମହିଳାନେତ୍ରୀ ପ୍ରଭାତୀ ମଲ୍ଲିକ, ଗୀତା ମଲ୍ଲିକ, ମମତା ବେହେରା, ସରିତା ମଲ୍ଲିକ, କୁନି ସେଠୀ, ବନିତା ମଲ୍ଲିକଙ୍କ ସମେତ ଆକ୍ରମଣର ଶିକାର ହୋଇଥିବା ଅଭିମନ୍ୟୁ ମଲ୍ଲିକ ଓ ତାଙ୍କ ପୁଅ ନିଶିକାନ୍ତ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ।

 

Comments are closed.