ମହିଳା ଯାତ୍ରୀଙ୍କୁ ସୁରକ୍ଷା, ରେଳବାଇ ପକ୍ଷରୁ ଆରମ୍ଭ ହେଲା ‘ମେରି ସହେଲି’

ମହିଳା ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି ଦେଶର ସମସ୍ତ ଜୋନରେ ରେଳବାଇ ପକ୍ଷରୁ ‘ମେରି ସହେଲି’ ପଦକ୍ଷେପର ଶୁଭାରମ୍ଭ କରାଯାଇଛି। ମହିଳା ଯାତ୍ରୀମାନେ ସୁରକ୍ଷିତ ଭାବେ ଯେପରି ତାଙ୍କର ରେଳଯାତ୍ରା ଆରମ୍ଭରୁ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚି ପାରିବେ ତାହା ଏହି ଅଭିଯାନର ଲକ୍ଷ୍ୟ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ସେପ୍ଟେମ୍ବର ମାସରେ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଏହି ପାଇଲଟ ପ୍ରକଳ୍ପ ପ୍ରଥମେ ଆରମ୍ଭ କରାଯାଇଥିଲା। ଏହି ଅଭିଯାନକୁ ମହିଳାଯାତ୍ରୀମାନଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିବା ପରେ ଏହି ପ୍ରକଳ୍ପକୁ ସମସ୍ତ ଜୋନ୍‍କୁ ସଂପ୍ରସାରିତ କରାଯାଇଛି।

ମହିଳାଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରେଳବାଇ ସୁରକ୍ଷା ବାହିନୀ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ମହିଳା ଯାତ୍ରୀମାନେ ଯେପରି ସୁରକ୍ଷିତ ଭାବେ ଯାତ୍ରା କରିବେ ଏବଂ ସୁରକ୍ଷା ସଂପର୍କିତ ଅଭିଯୋଗଗୁଡ଼ିକର ଫଇସଲା ଦିଗରେ ଆରପିଏଫ୍‍ ତ୍ୱରିତ ପଦକ୍ଷେପ ଗ୍ରହଣ କରିବ। ଆରପିଏଫ୍‍. ମହିଳାମାନଙ୍କ ସିଟ୍‍ ନମ୍ବର ସଂଗ୍ରହ କରି ଯାତ୍ରାର ପ୍ରତି ରେଳଷ୍ଟେସନକୁ ବିବରଣୀ ପ୍ରଦାନ କରିବ। ରେଳ ପ୍ଲାଟଫର୍ମରେ କାର୍ଯ୍ୟରତ ଆରପିଏଫ୍‍ କର୍ମଚାରୀମାନେ ରହଣି ଷ୍ଟେସନଗୁଡ଼ିକରେ ମହିଳା ଯାତ୍ରୀ ଥିବା କୋଚ୍‍ ଓ ବର୍ଥର ଅନୁଧ୍ୟାନ କରିବେ। ମନ୍ତ୍ରଣାଳୟ କହିଛି ‘ମେରି ସହେଲି’ ଅଧୀନରେ ଯାତାୟତ କରୁଥିବା ଟ୍ରେନଗୁଡ଼ିକରୁ କୌଣସି ସମସ୍ୟା ଜନିତ ଫୋନ୍‍ କଲ୍‍ ଆସିଲେ ତାହାକୁ ବରିଷ୍ଠ ଅଧିକାରୀ ସ୍ତରରେ ଯାଞ୍ଚ କରାଯିବ।

Comments are closed.