ଚୀନ ଲ୍ୟାବ୍‌ରୁ କରୋନା ଭୂତାଣୁ ବ୍ୟାପିବାର ପ୍ରମାଣ ମିଳିଛି: ଆମେରିକା

ୱାଶିଂଟନ: ଚୀନର ଲ୍ୟାବରୁ କରୋନା ଭୂତାଣୁ ବ୍ୟାପିଛି ବୋଲି ଆମେରିକା ଯେଉଁ ଦାବି କରିଆସୁଛି ତାହାର ପ୍ରମାଣ ମିଳିଛି ବୋଲି ବୈଦେଶିକ ମନ୍ତ୍ରୀ ମାଇକ୍‌ ପମ୍ପିଓ କହିଛନ୍ତି। ତେବେ ​‌ସେ ଗଣମାଧ୍ୟମକୁ କୌଣସି ପ୍ରମାଣ ଦେଇନାହାନ୍ତି। ଉହାନସ୍ଥିତ ଚୀନର ଏକ ଲ୍ୟାବରେଟୋରିରୁ ଭୂତାଣୁ ବ୍ୟାପିଥିବା ବିଶ୍ଵର ଅନେକ ଦେଶ ସନ୍ଦେହ କରୁଛନ୍ତି। ଏହି ଲ୍ୟାବ୍‌ରେ କରୋନା ଭୂତାଣୁ ଉପରେ ଗବେଷଣା କରାଯାଉଥିଲା। ମାତ୍ର ଚୀନ ଏସବୁ ଅଭିଯୋଗକୁ ଖଣ୍ଡନ କରିଛି।

ଏବିସି ନ୍ୟୁଜ ସହିତ ଏକ ସାକ୍ଷାତକାରରେ ମାଇକ୍‌ ପମ୍ପିଓ ଚୀନ ବିରୋଧରେ ଅନୁରୂପ ଅଭିଯୋଗ ଆଣିବା ସହିତ ଏ ନେଇ ପ୍ରମାଣ ରହିଥିବା କହିଛନ୍ତି। ଏହା ପୂର୍ବରୁ ସେ କହିଥିଲେ ଯେ, ଆମେରିକା ଏହାର ତଦନ୍ତ ଜାରି ରଖିଛି। ଏହି ଭୂତାଣୁ କେଉଁଠୁ ବ୍ୟାପିଛି ସେ ନେଇ ଆମ ନିକଟରେ ବହୁତ ବଡ଼ ପ୍ରମାଣ ରହିଛି। ଉହାରସ୍ଥିତ ଲ୍ୟାବରୁ ଏହା ବ୍ୟାପିଥିବା ନେଇ ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ରହିଛି। ଦ ଗାର୍ଡିଆନ ଡଟ୍‌ କମ୍‌ ରିପୋର୍ଟ ଅନୁସାରେ ଇଣ୍ଟର୍ଭ୍ୟୁ ସମୟରେ ପମ୍ପିଓ ଦ୍ବନ୍ଦ୍ବରେ ରହିଥିବା ନଜର ଆସିଥିଲେ। ସେ କହିଥିଲେ, ବର୍ତ୍ତମାନ ସୁଦ୍ଧା ବଡ଼ ବଡ଼ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ଭୂତାଣୁକୁ ତିଆରି କରାଯାଇଛି। ଏହାକୁ ସ୍ବୀକାର ନ କରିବାର କୌଣସି କାରଣ ନାହିଁ। ତେବେ ଏହି ଭୂତାଣୁ ମଣିଷ ଦ୍ବାରା ତିଆରି ହୋଇନାହିଁ ବୋଲି ଆମେରିକା ଗୁଇନ୍ଦା ସଂସ୍ଥା ଯେଉଁ ମତ ଦେଇଥିଲା ସେ ସମ୍ପର୍କରେ ପମ୍ପିଓଙ୍କୁ ପଚରାଯିବାରୁ ସେ ଏଥିରେ ମଧ୍ୟ ସହମତ ଥିବା କହିଥିଲେ। ସୂଚନାଯୋଗ୍ୟ, ଗତ ଗୁରୁବର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଚୀନ ଲ୍ୟାବରୁ ଭୂତାଣୁ ବ୍ୟାପିଥିବା ନେଇ ତାଙ୍କ ପାଖରେ ପ୍ରମାଣ ରହିଛି, କିନ୍ତୁ ସେ ତାହାକୁ ଏବେ ଉପସ୍ଥାପନ କରିପାରିବେ ନାହିଁ।

Comments are closed.