ପରଲୋକରେ ‘ବହିତ୍ର’ର ସମ୍ପାଦକ ପ୍ରାଧ୍ୟାପକ ନିଶାକର ପାଢୀ

ଛତିଆ :  ‘ବହିତ୍ର’ର ସମ୍ପାଦକ ତଥା ପ୍ରାଧ୍ୟାପକ ଡକ୍ଟର ନିଶାକର ପାଢୀ ଆଉ ନାହାନ୍ତି। ୭୮ ବର୍ଷ ବୟସରେ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି।

ସ୍ବର୍ଗତ ପାଢୀ ଅବିଭକ୍ତ କଟକ ଜିଲା ତଥା ବର୍ତମାନର ଯାଜପୁର ଜିଲାର ବଡଚଣା ବ୍ଲକ ଅନ୍ତର୍ଗତ ବରୁଣିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଗ୍ରାମରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଶେଷ କରିଥିବା ପରେ ବୈରୀରେ ସପ୍ତମ ପର୍ଯ୍ୟନ୍ତ ଓ ଚମ୍ପାପୁର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାଶ କରି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଶେଷ କରିଥିଲେ। ଓଡ଼ିଆରେ ସ୍ନାତକୋତ୍ତର ଶେଷ କରି ଭଞ୍ଜନଗରଠାରେ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ  ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଚାକିରି ଜୀବନ ଆରମ୍ଭ କରି ସେଠାରେ ସେ ଦୀର୍ଘ ୨୨ ବର୍ଷ କାଳ ବିତାଇଥିବା ପରେ କଟକ ଜିଲ୍ଲା ବାଙ୍କୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ବିଭାଗର ପ୍ରାଧ୍ୟାପକ ଭାବରେ ଅବସ୍ଥାପିତ ହୋଇ ୨୦୦୨ ରେ ସେ ଅବସର ଗ୍ରହଣ କରିଥିଲେ। ଭଞ୍ଜନଗର ଠାରେ ଅଧ୍ୟାପନା କରୁଥିବା ସମୟରେ ଗବେଷଣା ମୂଳକ ଭଞ୍ଜ ସାହିତ୍ୟର ଏକ ପତ୍ରିକା ‘ବହିତ୍ର’ର ସମ୍ପାଦନା କରି ସେତେ ବେଳେ ରାଜ୍ୟରେ ଲୋକପ୍ରିୟ ହୋଇ ପାରିଥିଲେ।

ବାଙ୍କୀରେ ଥିବା ସମୟରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ କୃତି ଓ ରାଣୀ ସୁକଦେଈ ଓ ବିଦ୍ବାନ ନୀଳମଣୀ ବିଦ୍ୟାରତ୍ନଙ୍କ ଉପରେ ବହୁ ଆଲେଖ୍ୟ ରଚନା କରିଛନ୍ତି, ଯେଉଁଥିପାଇଁ ବାଙ୍କୀରେ ସେ ଘରେ ଘରେ ପରିଚିତ ହୋଇ ପାରିଥିଲେ। ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ପଲ୍ଲୀ କବିତାକୁ ସନ୍ଦର୍ଭ ଭାବେ ଗ୍ରହଣ କରି ସେ ପିଏଚଡି କରିଥିଲେ।
ଅବସର ଗ୍ରହଣ କରିବା ପରେ ସେତାଙ୍କର ପେନସନ ଟଙ୍କାକୁ ଲୋକଙ୍କ ପାଇଁ ଗ୍ରାମର ଊନ୍ନତି ପାଇଁ ଖର୍ଚ୍ଚ କରୁଥିଲେ।
ପରଲୋକ ଖବର ପାଇ ତାଙ୍କର ଛାତ୍ର ଭଞ୍ଜନଗର ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବାଙ୍କୀର ପୁର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଉସ୍ଥାପକ ପଦାରବିନ୍ଦ ମହାନ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ତାଙ୍କର ବିୟୋଗରେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ସମେତ ଓଡିଶା ସାହିତ୍ୟ ଏକାଡ଼େମୀର ଓଡ଼ିଆ ଭାଷା ବିଭାଗର ଆବାହକ ଡକ୍ଟର ବିଜୟାନନ୍ଦ ସିଂ, ପୁର୍ବତ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ପୁର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୈଳାସ ଚନ୍ଦ୍ର ରାଉତ, ନିରଞ୍ଜନ ସାହୁ, କବି ପ୍ରଭାକର ଶତପଥୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ବରୁଣିଆ ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କର ପୁତୁରା ଚଳଚ୍ଚିତ୍ର ଅଭିନେତା ତଥା କୋରେଇର ପୁର୍ବତନ ବିଧାୟକ ଆକାଶ ଦାସ ନାୟକ, ପାଳିତ ପୁତ୍ର ହରପ୍ରସାଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କର ଅନ୍ୟତମ ପୁତୁରା ବିଭୁପ୍ରସାଦ ପାଢୀ ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ସମଗ୍ର ପାରିଆ ଛତିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.