କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର

ନିର୍ଦ୍ଦେଶ ଦେଲେ ଚଳିବ ନାହିଁ, ନିର୍ଦ୍ଦେଶନାମାରେ ସ୍ପଷ୍ଟ କରନ୍ତୁ

ସୁନ୍ଦରଗଡ଼ : ଜିଲାରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ତୁହାକୁ ତୁହା ନିର୍ଦ୍ଦେଶନାମା ଜାରି କରୁଛନ୍ତି ହେଲେ ଏହି ନିର୍ଦ୍ଦେଶନାମା ରୋଗୀ ଓ ତାଙ୍କ ପରିଜନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ସଂକ୍ରମିତ ହୋଇ ହସ୍ପିଟାଲରେ ପହଞ୍ଚିଲା ବେଳକୁ ନାନା ମୁନିଙ୍କ ନାନା ମତ ଭଳି ବିଭିନ୍ନ ଚିକିତ୍ସାଳୟରେ ଏହାର କାର୍ଯ୍ୟଶୈଳୀ ଅସ୍ପଷ୍ଟ ରହୁଛି। କୌଣସି ରୋଗୀଙ୍କ ରେକର୍ଡ଼ ହସ୍ପିଟାଲରେ ନ ରହିବା ଓ ପରେ ତାଙ୍କୁ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ ପଠାଇବା ପ୍ରକ୍ରିୟା ରୋଗୀଙ୍କ ପାଇଁ ଯେତିକି ଚିନ୍ତାର ବିଷୟ ତାଠାରୁ ଅଧିକ ସେମାନଙ୍କ ପରିବାର ବର୍ଗଙ୍କ ପାଇଁ ହୋଇପଡ଼ିଛି। ମାନସିକ ଦୁଶ୍ଚିନ୍ତାରେ ଗତି କରୁଥିବା ରୋଗୀ ଓ ପରିଜନ ଧାଁ ଧପଡ଼ କରି ନୟାନ୍ତ ହୋଇପଡ଼ୁଥିବାର ଅଭିଯୋଗ ହେଉଛି। ପୂର୍ବରୁ ଏଭଳି ଅନେକ ଅଭିଯୋଗ ପାଇବା ପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଘରୋଇ ହସ୍ପିଟାଲର କାର୍ଯ୍ୟକଳାପ ଓ ରୋଗୀ ଶୋଷଣ ନୀତିକୁ ତୀବ୍ର ସମାଲୋଚନା କରାଯାଇଥିଲା। ସୋମବାର  ପୁଣି ଭାଜପା ରାଜ୍ୟ ମୁଖପାତ୍ର ଧିରେନ ସେନାପତିଙ୍କ ନେତୃତ୍ୱରେ ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ସାକ୍ଷାତ କରି ୬ଦଫା ପ୍ରସ୍ତାବ ସମ୍ମିଳିତ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ସୃଷ୍ଟି ହୋଇଥିବା ସମସ୍ୟା ସଂପର୍କରେ ବିଶଦ ଆଲୋଚନା କରିଥିଲେ।

ଜିଲାପାଳ ଶ୍ରୀ କଲ୍ୟାଣ ମଧ୍ୟ ପ୍ରତିନିଧି ମଣ୍ଡଳୀର ପ୍ରସ୍ତାବ ଓ ଦାବି ସଂପର୍କରେ ଅବଗତ ହୋଇ ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମହାନଗର ନିଗମ ଓ ଇସ୍ପାତ ସହରାଞ୍ଚଳରେ ଥିବା ୩୦ ଶଯ୍ୟାରୁ ଅଧିକ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ୫୦% ସାଧାରଣ ଶଯ୍ୟା, କୋଭିଡ-୧୯ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବା ଓ ଆଇସିୟୁରେ ୮୦% ସଂରକ୍ଷିତ ରଖିବା ନିର୍ଦ୍ଦେଶନାମାକୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଛି। ଏଥିସହିତ ଜୟପ୍ରକାଶ ଓ ଶାନ୍ତି ମେମୋରିଆ ହସ୍ପିଟାଲ ସହ ଆଉ କେଉଁ କେଉଁ ହସ୍ପିଟାଲରେ ଏସବୁ ସୁବିଧା ଉପଲବ୍ଧ ଅଛି ସେ ନେଇ ସାଧାରଣରେ ପ୍ରକାଶ କରିବାକୁ ଅନୁରୋଧ କରାଯାଇଛି। ଏତବ୍ୟତୀତ ଯେଉଁ ରୋଗୀମାନେ ସିଧାସଳଖ ଘରୋଇ ହସ୍ପିଟାଲରେ କୋଭିଡ-୧୯ ଚିକିତ୍ସା ପାଇଁ ଭର୍ତ୍ତି ହେବେ ସେମାନଙ୍କ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦେୟ ଦେବାକୁ ପଡ଼ିବ ବୋଲି ପ୍ରଶାସନ ପକ୍ଷରୁ ଗଣମାଧ୍ୟମରେ ପ୍ରକାଶିତ କରାଯାଇଥିଲା। ତେବେ କେଉଁ ହସ୍ପିଟାଲରେ କେତେ ଟଙ୍କା ଦେୟ ଦେବାକୁ ହେବ ଏହା ମଧ୍ୟ ସ୍ପଷ୍ଟ କରାଯିବା ଉଚିତ ବୋଲି ପ୍ରତିନିଧି ମଣ୍ଡଳୀ ଯୁକ୍ତି ବାଢ଼ିବା ସହ ହସ୍ପିଟାଲ ସମ୍ମୁଖରେ ଏହାର ଧାର୍ଯ୍ୟ ମୂଲ୍ୟ ନୋଟିସ ବୋର୍ଡ଼ରେ ସୂଚୀତ କରାଇବା ପାଇଁ ଅନୁରୋଧ କରିଛନ୍ତି। ସେହିପରି ପଶ୍ଚିମ ଓଡ଼ିଶା ଓ ଜିଲା ବାହାରୁ ଆସୁଥିବା ରୋଗୀମାନେ ଏହାର ସୁବିଧା ପାଇ ପାରିବେ କି ନାହିଁ ଏଥିପାଇଁ ସରକାରଙ୍କ କି ମାର୍ଗଦର୍ଶିକା ରହିଛି ସେ ସଂପର୍କରେ ଜନସାଧାରଣଙ୍କୁ ସ୍ପଷ୍ଟ ସୂଚନା ଦିଆଯିବା ଉଚିତ ବୋଲି ଯୁକ୍ତି ବାଢ଼ିବା ସହ କୋଭିଡ-୧୯ ପରୀକ୍ଷା ତ୍ୱରାନ୍ନିତ କରାଯିବା, ସଫେଇ ଓ ବିଶୋଧନ କାର୍ଯ୍ୟକୁ ଅଧିକ ତ୍ୱରାନ୍ନିତ କରିବା ପାଇଁ ପ୍ରତିନିଧି ମଣ୍ଡଳୀ ନିଜ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଖର୍ଚ୍ଚାନ୍ତ ହୋଇଥିବା ଗରିବ ଓ ଅନ୍ୟାନ୍ୟ ରୋଗୀଙ୍କ ଖର୍ଚ୍ଚ ସରକାର ବହନ କରନ୍ତୁ ବୋଲି ପ୍ରତିନିଧି ମଣ୍ଡଳୀ ଦାବି କରିଛନ୍ତି।

ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ, ତଳସରା ବିଧାୟକ ତଥା ଜିଲା ବିଜେପି ସଭାପତି ଭବାନୀ ଶଙ୍କର ଭୋଇ, ସଦର ବିଧାୟିକା କୁସୁମ ଟେଟେ, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାଜେନ୍ଦ୍ର ସାହୁ, ଏସ୍‍ସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଗା ତନ୍ତୀ, ଜିଲା ଉପସଭାପତି ସୁବ୍ରତ ପଟ୍ଟନାୟକ, ସ୍ୱଚ୍ଛ ଭାରତର ସୁନ୍ଦରଗଡ ଜିଲା ପ୍ରମୁଖ ସୁରେନ୍ଦ୍ର ସ୍ୱର୍ଣ୍ଣକାର ପ୍ରମୁଖ ସାମିଲ ଥିଲେ। ସୂଚନା ଯୋଗ୍ୟ, ଘରୋଇ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥା ଓ ମୂଲ୍ୟକୁ ନେଇ ଗତ ଦିନ ମାନଙ୍କରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏ ସଂପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାପଡ଼ିଛି।

Comments are closed.