ସରକାରଙ୍କର ଅଜବ ବ୍ୟବସ୍ଥାରେ ଘାଣ୍ଟି ହେଉଛନ୍ତି କାଚେରା ଗ୍ରାମବାସୀ; ଗ୍ରାମବାସୀଙ୍କର ପଞ୍ଚାୟତ ଭୋଟ ବର୍ଜନ ନିଷ୍ପତ୍ତି

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅଧିନସ୍ଥ ଏକ ଛୋଟ ଗ୍ରାମ କାଚେରା । ୧୯୯୮ମସିହାରେ ସେଟେଲମେଣ୍ଟ କର୍ତ୍ତୃପକ୍ଷଙ୍କ ଦ୍ଵାରା ଉକ୍ତ ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ଭାବେ ଘୋଷଣା କରାଯାଇଥିବାବେଳେ ସମ୍ପୃକ୍ତ ଗ୍ରାମ ଏପର୍ୟ୍ୟନ୍ତ ପଞ୍ଚାୟତିରାଜ ବିଭାଗ ଅନ୍ୟ ମୁଖ୍ୟ ବିଭାଗଗୁଡିକର ଗ୍ରାମ ତାଲିକାରେ ଯୋଗ କରାଯାଇ ଓଡିଶା ଗେଜେଟରେ ପ୍ରକାଶ କରାଯାଇ ନାହିଁ । କିମ୍ବା ଅନ୍ୟ କୌଣସି ବିଭାଗକୁ ମଧ୍ୟ ଜଣାଯାଇ ନାହିଁ । ଉକ୍ତ ଗ୍ରାମଟିକୁ ସରକାରୀ ସ୍ତରରେ ରାଜସ୍ୱ ଗ୍ରାମ ଭାବେ ଘୋଷଣା କରାଯାଇ ନଥିବାରୁ ଏହି ଗ୍ରାମର ଲୋକମାନେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଏବଂ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି । ୧୯୯୮ ମସିହା ହାଲ ବନ୍ଦୋବସ୍ତରେ କାଚେରା ଗ୍ରାମଟି ଏକ ନୂତନ ରାଜସ୍ୱ ମୌଜାରେ ପରିଣତ ହୋଇଥିଲା । ଏହାର ଥାନା ନଂ୧୯/୨୨୫ । ଏହା ପୂର୍ବରୁ ଗ୍ରାମଟି କଣ୍ଟାବାଡ଼ର ଏକ ପଡା ଗ୍ରାମ ହୋଇ ସାମିଲ ଥିଲା । ଏହା କଣ୍ଟାବାଡ଼ ଗ୍ରାମଠାରୁ୨ କିମି ଦୂର । ସମ୍ପୃକ୍ତ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଏବଂ ବିଧାନସଭା ବୁଥ ନଂ-୩୨ଇତ୍ୟାଦି ରହିଛି । ଉକ୍ତ ଗ୍ରାମଟିକୁ ରାଜସ୍ୱ ଗ୍ରାମର ସରକାରୀ ସ୍ୱୀକୃତି ମିଳିଥିବାବେଳେ ପ୍ରଶାସନିକ ଅବହେଳା ଯୋଗୁଁ ଦୀର୍ଘ ୨୪ ବର୍ଷ ହେବ ମାନ୍ୟତା ପାଇବାରୁ ବଞ୍ଚିତ ହୋଇ ରହିଛି । ଏ ସଂକ୍ରାନ୍ତରେ ଗ୍ରାମବାସୀମାନେ ଜିଲ୍ଲାପାଳ ଖୋର୍ଦ୍ଧା, ରାଜସ୍ୱ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ନିକଟରେ ଗ୍ରାମବାସୀମାନେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ଦୀର୍ଘ୨୪ ବର୍ଷ ହେବ ସରକାରୀ ଉଦାସୀନତା ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ଗ୍ରାମର ଜନସାଧାରଣ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଉଦାହରଣ ସ୍ୱରୂପ କେନ୍ଦ୍ର ସରକାରଙ୍କର ମହାତ୍ମାଗାନ୍ଧୀ ନରେଗା ଯୋଜନାରେ ମିଳିଥିବା ଜବକାର୍ଡ, ଚାଷୀ ପଞ୍ଜିକୃତ ନମ୍ବର ବିଜୁ କୃଷକ କଲ୍ୟାଣ ଯୋଜନା ଆଦିରେ ମିଳିଥିବା କାର୍ଡ ଏବଂ ପରିଚୟ ପତ୍ରରେ କାଚେରା ପରିବର୍ତ୍ତେ ଅନ୍ୟ ଗ୍ରାମ ନାମ ଲେଖାଯାଉଛି । ଏଠାକାର ବାସିନ୍ଦା ଗୋଟିଏ ଠିକଣାରେ ଭୋଟ ଦେଉଥିବାବେଳେ ସରକାରୀ ଯୋଜନା ପାଇବାକୁ ହେଲେ କଣ୍ଟାବାଡ଼ ଠିକଣା ଉପରେ ନିର୍ଭର କରିବାକୁ ପଡୁଛି । ଏହିଭଳି ସମସ୍ୟା ଦେଇ ଗ୍ରାମର ପ୍ରାୟ ଏକ ହଜାରରୁ ଉର୍ଧ୍ଵ ଗ୍ରାମବାସୀମାନେ ଦୀର୍ଘ ୨୪ବର୍ଷ ହେବ ଘାଣ୍ଟି ହେଉଥିବାବେଳେ ଗୋଟିଏ ସାଧାରଣ ଭୋଟ ପରେ ଆଉ ଗୋଟିଏ ପଞ୍ଚାୟତ ଭୋଟରେ ନେତାମାନେ ବିଭିନ୍ନ ପ୍ରତିଶୃତି ଦେଇ ଯାଉଛନ୍ତି । ମାତ୍ର ଭୋଟ ସରିବା ପରେ ନେତାଙ୍କର ଆଉ କୌଣସି କଥା ମନେପଡୁନାହିଁ । ତେଣୁ ଗ୍ରାମର ଲୋକମାନେ ଏବେ ନେତା ଏବଂ ପ୍ରଶାସନ ଠାରୁ ମୁହଁ ଫେରାଇ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯଦି ସମ୍ପୃକ୍ତ ଗ୍ରାମକୁ ସରକାରୀ ସ୍ତରରେ ରାଜସ୍ୱ ଗ୍ରାମ ଘୋଷଣା କରାନଯାଏ ତାହେଲେ ଗ୍ରାମବାସୀମାନେ ୨୦୨୨ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ନବକିଶୋର ସାହୁ, ସଂଜୟକୁମାର ମହାନ୍ତି , ବ୍ରହ୍ମ।ନନ୍ଦ ବେହେରା, ମନମୋହନ ଦାସ ଏବଂ ବାଉରିବନ୍ଧୁ ସାହୁଙ୍କ ସହିତ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ ସହିତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି ।

Comments are closed.