ଗୋଟିଏ ପଟେ ଅନ୍ଧାରୀ ଜୀବନ, ଅନ୍ୟପଟେ ବିସ୍ଥାପନ ଦ୍ବନ୍ଦ୍ବରେ ମାରଡ଼ାବାସୀ

ହରଭଙ୍ଗା (ପ୍ରୀତିରଞ୍ଜନ ଦାସ) : ବୌଦ୍ଧ ଜିଲା ସଦର ମହକୁମାଠାରୁ ୮୦କିଲୋମିଟର ଦୂର ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ମହାନଦୀ କୂଳରେ ରହିଛି ଏକ ଆଦିବାସୀ ବହୁଳ ଗାଁ- ମାରଡ଼ା। ହରଭଙ୍ଗା ବ୍ଲକର କୁଶଙ୍ଗ ପଞ୍ଚାୟତ ଅନ୍ତର୍ଗତ ଏହି ଗାଁ ପଞ୍ଚାୟତ ସଦର ମହକୁମାଠାରୁ ୨୦କିଲୋମିଟର ଦୂର ମଣିଭଦ୍ରା ପାହାଡ଼ ତଳେ ଅବସ୍ଥିତ। ଏଠି ସମୁଦାୟ ୨୫ଟି ପରିବାରର ୮୫ଜଣ ବସବାସ କରନ୍ତି। ଚାଷ ସେମାନଙ୍କ ଆୟର ଏକ ମାତ୍ର ପନ୍ଥା। ଧାନ, ହଳଦୀ, ଅଦା ପ୍ରଭୃତି ମୁଖ୍ୟ ଫସଲ। ଯାତାୟାତରେ ଅସୁବିଧା ଏବଂ ବଜାର ଅଭାବରୁ ସେମାନେ ଶାଗ, ମାଛ ଦରରେ ବୁଲା ବେପାରୀମାନଙ୍କୁ ସେମାନଙ୍କ କଷ୍ଟୋପାର୍ଜିତ ଫସଲ ଟେକି ଦେବାକୁ ବାଧ୍ୟ ହୁଅନ୍ତି। ଯାହା ମିଳେ ତାହା ପରିବାର ଚଳାଇବାକୁ ନିଅଣ୍ଟ ହୁଏ।
୨୦୦୭ରେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ଘୋଷିତ ହେବା ପରେ ଅଭୟାରଣ୍ୟର ୫୨୩.୬୧ ବର୍ଗ କିଲୋମିଟର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ (କୋର ଏରିଆ/ରେଷ୍ଟିକେଟ ଏରିଆ) ଭାବେ ଚିହ୍ନଟ କରାଯାଇଛି। ଏହାର କିଛି ଅଞ୍ଚଳ ମହାନଦୀ ହାତୀ ସଂରକ୍ଷିତ ଅଞ୍ଚଳଭାବେ ମଧ୍ୟ ଚିହ୍ନଟ ହୋଇଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା ଦୃଷ୍ଟିରୁ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଗତ କିଛିବର୍ଷ ହେଲା ଯାନବାହନ ଚଳାଚଳ ନିଷିଦ୍ଧ କରାଯାଇଛି। ସେହିପରି ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୌଣସି ଉନ୍ନୟନ କାର୍ଯ୍ୟ କରାଯିବାକୁ ବାରଣ କରାଯାଇଛି। ଏପରିକି ଚାଲିଚାଲି ଯିବା ଆସିବା ଉପରେ ମଧ୍ୟ କଟକଣା ଲାଗିଛ । ଏଭଳି ପ୍ରତିବନ୍ଧକ ଯୋଗୁଁ ମାରଡ଼ା ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ଗ୍ରାମଗୁଡିକରେ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସବୁଦିନ ପାଇଁ ପୂର୍ଣ୍ଣଛେଦ ପଡ଼ି ଯାଇଛି । ଗାଁରେ ଥିବା ଏକମାତ୍ର ସ୍କୁଲରେ ପାଞ୍ଚବର୍ଷ ହେଲା ତାଲା ଝୁଲୁଛି। ପଞ୍ଚାୟତ ତରଫରୁ ମିଳୁଥିବା ଭତ୍ତା, ଚାଉଳ ପାଇଁ ସେମାନଙ୍କୁ ଜୀବନକୁ ବାଜି ଲଗାଇ ୨୦କିଲୋମିଟର ଜଙ୍ଗଲୀ ଓ ପାହାଡି ରାସ୍ତା ଅତିକ୍ରମ କରି ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡ଼ୁଛି । ଗର୍ଭବତୀ ଏବଂ ଗୁରୁତର ରୋଗୀ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି। ​‌ଅନ୍ୟପଟେ ଗ୍ରାମବାସୀଙ୍କ ସୁରକ୍ଷା ଓ ଭବିଷ୍ୟତ ପାଇଁ ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ପାଇଁ ସରକାର ବାରମ୍ବାର ପ୍ରାୟସ କରି ଆସୁଛନ୍ତି, ମାତ୍ର ସେମାନେ ରାଜି ହେଉ ନାହାନ୍ତି। ଏପରିକି ଥଇଥାନ ପାଇଁ ସବୁପ୍ରକାର ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ସତ୍ତ୍ବେ ମଧ୍ୟ ସେମାନେ ନିଜ ଭିଟାମାଟି ଛାଡିବାକୁ ରାଜି ହେଉ ନଥିବା ଗ୍ରାମର ୱାର୍ଡ ସଭ୍ୟ ନରେଶ ବେହେରା, ଛବି ବେହେରା, ଘନ ବେହେରା ପ୍ରମୁଖ ପ୍ରକାଶ କରନ୍ତି।
ଖୋଦ୍‌ ଗ୍ରାମବାସୀ ମଧ୍ୟ ସେମାନେ ଦୁର୍ବିସହ ଜୀବନ ଜୀଉଁଥିବା ସ୍ବୀକାର କରନ୍ତି। ହେଲେ ବିସ୍ଥାପନକୁ ବିରୋଧ କରନ୍ତି। ଶତ୍ରୁଘ୍ନ ପ୍ରଧାନ ନାମକ ଜଣେ ଗ୍ରାମବାସୀ କହନ୍ତି- ଅଭୟାରଣ୍ୟ ନାଁରେ ଆମର ସ୍କୁଲ ବନ୍ଦ କରିଦେଲେ। ବନ୍ୟା ଯୋଗୁଁ ବର୍ଷା ୪ମାସ ତେଲ, ଲୁଣଠାରୁ ଆରମ୍ଭ କରି ଭତ୍ତା, ଚାଉଳରୁ ବଞ୍ଚିତ ହେଉଛୁ। ଗର୍ଭବତୀ ଓ ରୋଗୀକୁ ଡାକ୍ତରଖାନାରେ ପହଞ୍ଚାଇବା ସମ୍ଭବ ହୋଇପାରୁନି। କୁମ୍ଭୀରଙ୍କ ଯୋଗୁ ନଈରେ ଗାଧୋଇବାକୁ ଡର ଲାଗୁଛି। ଏହି ସବୁ ସମସ୍ୟାର ସମାଧାନ ଆମର ଦାବି। ଯେତେ ଲୋଭ ଦେଖାଇଲେ ବି ଆମେ ଭିଟାମାଟି ଛାଡ଼ବୁ ନାହଁ। ଏହା କେବଳ ଶତ୍ରୁଘ୍ନ ନୁହେଁ, ସବୁ ଗ୍ରାମବାସୀଙ୍କ ମତ।
କୁଶଙ୍ଗ (ବନ୍ୟପ୍ରାଣୀ) ବନ ଅଧିକାରୀ ପ୍ରଦୀପ ଭୂତିଆଙ୍କ କହିବା ହେଲା -ବ୍ୟାଘ୍ର ସଂରକ୍ଷଣ ଘୋଷଣା ପରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଠାରେ ଅନେକ କଟକଣା ଲାଗୁ ହୋଇଛି । ସେଥିପାଇଁ ଗ୍ରାମବାସୀଙ୍କୁ ଅନ୍ୟତ୍ର ଥଇଥାନ କରିବା ପାଇଁ ପ୍ରୟାସ କରାଯାଉଛି। ରାଜି ହେଲେ ପ୍ରତି ପରିବାରକୁ ଦଶ ଲକ୍ଷ ଟଙ୍କାର ଅର୍ଥ ସହାୟତା ସହ ଘର, ଶୌଚାଳୟ, ଜମି ପ୍ରଭୃତି ଦିଆଯିବ। ମାତ୍ର ସେମାନେ ରାଜି ହେଉ ନାହାନ୍ତି।
ବାସ୍ତବିକତା ହେଲା ଅଭୟାରଣ୍ୟ ରହିବ ହିଁ ରହିବ ଏବଂ ଗ୍ରାମବାସୀ ଆଜି ନହେଲେ କାଲି ବିସ୍ଥାପିତ ହେ​ବେ।‌ ଆବଶ୍ୟକ ହେଲେ ଆଗାମୀ ଦିନରେ ସରକାର ବଳ ପ୍ରୟୋଗ କରିବାକୁ ବାଧ୍ୟ ହୋଇପାରନ୍ତି, ତେଣୁ ବନ୍ୟପ୍ରାଣୀଙ୍କ ପାଇଁ ନହେଲେ ନାହିଁ, ନିଜ ସୁରକ୍ଷା ତଥା ଆଗାମୀ ପିଢ଼ି ପାଇଁ ସେମାନଙ୍କୁ ଜିଦ୍‌ରୁ ହଟିବା ଉଚିତ୍‌। ଏହା ସେମାନଙ୍କ ପାଇଁ ସବୁ ଦୃଷ୍ଟିର ମଙ୍ଗଳକର ହେବ। ସମସ୍ୟା ବହୁଳ ବିପଦପୂର୍ଣ୍ଣ ଜୀବନରୁ ମୁକ୍ତ ହେବା ସହ ସେମାନଙ୍କ ଭବିଷ୍ୟତ ମଧ୍ୟ ଉଜବଳ ହେବ। ଏ ନେଇ ସେମାନେ ସରକାରଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିବା ଉଚିତ୍‌। ଆବଶ୍ୟକ ହେଲେ ବିସ୍ଥାପନ ପାଇଁ ସେମାନେ ଅନ୍ୟାନ୍ୟ ଯୁକ୍ତିଯୁକ୍ତ ସର୍ତ୍ତ ମଧ୍ୟ ରଖିପାରନ୍ତି ବୋଲି ଜିଲାର କିଛି ସଚେତନ ବ୍ୟକ୍ତି ମତ ଦେଉଛନ୍ତି।

Comments are closed.