ଖେଜୁରୀ ଗ୍ରାମ ପୁନର୍ବସତି କୋଲନୀ : ହାତ ଛାଡିଦେଲା ବନ ବିଭାଗ , ସମସ୍ୟା ବୁଝିବ କିଏ  ?

ଠାକୁରମୁଣ୍ଡା :  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ସାଲେଇବେଡା ଗାଁରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଆଭ୍ୟନ୍ତର ଖେଜୁରୀ ଗ୍ରାମର ଖଡିଆ ପରିବାରକୁ ପୁନର୍ବସତି କରାଯାଇଛି । ୨୦୧୯ ମସିହା ଡିସେମ୍ବର୨୪ ତାରିଖରେ  ବନ ବିଭାଗର ଉଦ୍ୟମରେ ୧୧୧ଟି ପରିବାର ପୁରୁଷ ପୁରୁଷ ଭିଟା ମାଟି ଛାଡି ଚାଲି ଆସିଥିଲେ ଅନେକ ଆଶା ଓ ଭରସାରେ । ଶିମିଳିପାଳ ଘଞ୍ଚ ଅରଣ୍ୟର ଅନ୍ଧକାର ଭିତରୁ ଆଲୋକକୁ, ଅଶିକ୍ଷାରୁ ଉନ୍ନତ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଏବଂ ସବୁ ଦିନିଆ ରୋଜଗାରର ପନ୍ଥା ମିଳିବ ବୋଲି ତାଙ୍କୁ ପ୍ରତିଶୃତି ଦିଆଯାଇଥିଲା। ତେବେ ଆଜି ୨ ବର୍ଷ ପୁରିବାକୁ ଗୋଟିଏ ମାସ ବାକି ଅଛି । ଅନେକ ସମସ୍ୟା ଭିତରେ ଯୁଝି ହେଉଥିବା ନେଇ ଅଭିଯୋଗ ଆସିଛି ।

ଠାକୁରମୁଣ୍ଡା ବଜାରୁ ୧୭ କି.ମି ଗଲେ ସାଲେଇବେଡା ଗ୍ରାମ ଗ୍ରାମର ରାସ୍ତା କଡରେ ଥଇଥାନ କରାଯାଇଛି । ଖେଜୁରୀରୁ ଉଠି ଆସିଥିବା ପ୍ରତି ପରିବାରକୁ ୧୦ ଡେସିମିଲ ଜମି ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ।  ୧୦୭ ପରିବାରକୁ ମିଳିଛି ବିଜୁ ପକ୍କାଘର । ପିଇବା ପାଣି ବ୍ୟବସ୍ଥା କରାଯାଇଛି । ପ୍ରଥମ ୩ ମାସ ବନ ବିଭାଗ ଦାୟିତ୍ୱ ଅନୁସାରେ ସମସ୍ତଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦେଇଥିଲା । ବ୍ୟବସ୍ଥା ମୁତାବକ ପ୍ରତି ୧୮ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିକୁ ପରିବାର ଭାବେ ନେଇ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ୧୦ ଲକ୍ଷ ଟଙ୍କାରୁ ସାଢେ ସାତ ଲକ୍ଷ ସ୍ଥାୟୀ ଜମା ଆକାରରେ ରଖାଯାଇ ପ୍ରତି ମାସ ସୁଧ ଅର୍ଥରେ ଚଳିବା ବ୍ୟବସ୍ଥା କରାଯାଇଛି।
ମାତ୍ର  ଲୋକଙ୍କ ଭିତରେ ବିଭିନ୍ନ ସମସ୍ୟାକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଛି । ପାଣି, ଆଲୋକ, ରୋଜଗାର ପନ୍ଥା ନଥିବାରୁ ପୁଣି ଥରେ ଜଙ୍ଗଲକୁ ଫେରିଯିବାକୁ କହିଲେଣି ଲୋକେ। ଜଙ୍ଗଲ ବିଭାଗ ପକ୍ଷରୁ ପ୍ରଥମେ ଖୋଳାଇଥିବା ଦୁଇଟି ନଳକୂପ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି । ପୁନଶ୍ଚ ଦୁଇଟି ନଳକୂପରେ ସୋଲାର ପମ୍ପ ବସାଯାଇ ଘରକୁ ପାଇପ ସଂଯୋଗ କରାଯାଇଛି। ମାତ୍ର ନିମ୍ନ ମାନର କାର୍ଯ୍ୟ ହେତୁ ଓଭରହେଡ଼ ଟାଙ୍କି କଣା ହୋଇ ପାଣି ବୋହି ଯାଉଛି। ଅନ୍ୟ ଟାଙ୍କିଟି ଭଲ ଥିଲେ ମଧ୍ୟ ପାଇପରେ ପାଣି ଯାଉନି। ଘରକୁ ୨ ବର୍ଷ ମଧ୍ୟରେ ବିଦ୍ୟୁତ ସଂଯୋଗ କରାଯାଇ ପାରିନି। ତତ୍କାଳୀନ ଡ଼ିଏଫଓ ପ୍ରସନ୍ନ ବେହେରା ବଦଳି ହୋଇ ଜୁଲାଇ ୨୦୨୦ରେ ଯିବା ପରେ ପାଦ ଦେଇ  ନାହାନ୍ତି ବନ ବିଭାଗ ଅଧିକାରୀ। କାମ ଧନ୍ଦା ଯୋଗାଇବା ଦୂରର କଥା କେମିତି ଚଳୁଛନ୍ତି ଲୋକେ ସେ କଥା ବୁଝିବାକୁ କେହି ପହଞ୍ଚି ନାହାନ୍ତି । ପୁର୍ବରୁ କିଛି ଲୋକ ବନ ବିଭାଗ ଅଧୀନରେ ସୁରକ୍ଷା ସହଯୋଗୀ (ପିଏ )ଭାବେ କାର୍ଯ୍ୟ କରୁଥିବାର ଅଭିଜ୍ଞତା ଥିବା ସତ୍ୱେ ଜଣଙ୍କୁ ହେଲେ ନିଯୁକ୍ତି ଦିଆଯାଇନାହିଁ। ଅଙ୍ଗନୱାଡି, ଆଶା କର୍ମୀ ଭାବେ କାର୍ଯ୍ୟ କରୁଥିବା ମହିଳାଙ୍କୁ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ଏଯାବତ ଥଇଥାନର ବ୍ୟବସ୍ଥା କରିନାହାନ୍ତି। ୧୧୧ ପରିବାର ଥିଲେ ମଧ୍ୟ ଅଙ୍ଗନୱାଡି କିମ୍ବା ମିନି ଅଙ୍ଗନବାଡି ମଧ୍ୟ ଖୋଲାଯାଇନି। ମହିଳାଙ୍କୁ କର୍ମ ନିଯୁକ୍ତି ଦୂରେ ଥାଉ ପୁରୁଷଙ୍କ ପାଇଁ ବି କାମ ଧନ୍ଦା ନାହିଁ। ଫଳରେ ଅର୍ଥ ସଙ୍କଟ ଆସିଲେ ଜମା ରାଶି କାଢ଼ିବା ପାଇଁ ଉପଜିଲ୍ଲାପାଳଙ୍କ ଅନୁମତି ଆଣି ମୂଳ ଟଙ୍କା କାଢି ଖର୍ଚ୍ଚ କରାଯାଉଛି। ଏପରି ଚାଲିଲେ ୧୦ ଲକ୍ଷ ଜମା ସରିବାକୁ ବେଶି ଡେରି ଲାଗିବ ନାହିଁ।

ଆଶା କରାଯାଉଥିଲା ସାଲେଇବେଡା ଗ୍ରାମରେ ହୋଇଥିବା ପୁନର୍ବସତି କଲୋନୀ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହେବ ମାତ୍ର ଫଳ ଓଲଟା ଦେଖାଗଲାଣି। ଏମାନଙ୍କୁ ଦେଖି କୋର ଅଞ୍ଚଳରେ ଥିବା ଅନ୍ୟ ଗ୍ରାମ ଓ ପରିବାର ଗୁଡିକ ଆକର୍ଷିତ ହୋଇ ଶିମିଳିପାଳ ଅଭ୍ୟନ୍ତରରୁ ଆସି ମୁଖ୍ୟ ସ୍ରୋତରେ ସାମିଲ ହେବେ। ସେଭଳି ଏକ ସୁଯୋଗ ହାତ ଛଡା ହେବାକୁ ବସିଛି। ଯଦିଓ ସାଲେଇବେଡାରେ ଶିମିଳିପାଳରୁ ଉଠିବାକୁ ଥିବା ଗାଁ ଗୁଡିକ ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୧୦୦ ଏକର ଜଙ୍ଗଲ ଜମି ପୁନର୍ବସତି ପାଇଁ ସଂରକ୍ଷିତ ରଖାଯାଇଛି। ସରକାରଙ୍କ ମାଳ ମାଳ ଯୋଜନାର କାଣିଚାଏ ସୁବିଧା ପହଞ୍ଚି ପାରୁନି ସାଲେଇବେଡା ଖଡିଆ କଲୋନୀରେ। ଯଦିଓ ସେମାନଙ୍କ ପାଇଁ ଯଶିପୁରରେ ଖଡିଆ ମାଙ୍କଡ଼ିଆ ଉନ୍ନୟନ ସଂସ୍ଥା କାମ କରୁଛି ମାତ୍ର ସେମାନଙ୍କ ପାଦ ସୁଦ୍ଧା ନପଡିବା ସମସ୍ତଙ୍କୁ ବିସ୍ମିତ କରୁଛି। ଅବହେଳାର ଶିକାର ହୋଇ ଯଦି ପୁଣି ଜଙ୍ଗଲ ଭିତରେ ପଶିବେ ତେବେ ସବୁ ତପସ୍ୟା ଶୁଖୁଆ ପୋଡାରେ ଯିବ ବୋଲି ଜଳ ଜଳ ଦିଶିଲାଣି। ତେବେ ଏ ବିଷୟରେ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ କିଶୋର କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଲେ  ଫାଟିଥିବା ପାଣିଟାଙ୍କିଟି ଖୁବଶୀଘ୍ର ବଦଳା ଯିବ, ଏ ନେଇ କମ୍ପାନୀକୁ ଜଣାଇଦିଆଯାଛି । ପକାରାସ୍ତା ଓ ବିଜୁଳି ଆଲୋକ ପାଇଁ ବିଡ଼ିଓ ଜରିଆରେ ପ୍ରସ୍ତାବ ପଠା ଯାଇଛି, ଆସିଲେ କାମ ହେବ ।

Comments are closed.