ଛିଣ୍ଡୁନି କଟ୍‍ନୀ ଛଟ୍‍ନୀର ଅଙ୍କ : ୧୧ ଦିନ ହେଲା ଖୋଲା ଆକାଶରେ ପଡ଼ିଛି ୧୦ହଜାର ପକେଟ ଧାନ

ମିଲର୍ସଙ୍କ ଜିଦ୍‍ ଆଗରେ ନାଚାର ପ୍ରଶାସନ

ରେଙ୍ଗାଲି :  ମିଲର୍ସ ମାନଙ୍କ ଏକ ଚାଟିଆ ନୀତି ଏବଂ ଜିଦ୍‍ ଆଗରେ ପ୍ରଶାସନ ତଥା ଯୋଗାଣ ବିଭାଗ ଅସହାୟ ହୋଇ ପଡିଛି ବୋଲି ଚାଷୀ ମହଲରେ ଅଭିଯୋଗ ହେଉଛି। ସମ୍ବଲପୁର ଜିଲ୍ଲାର ଜୁନାଡିହି ଠାରେ ଥିବା ବଜାର ଉପ-ପ୍ରାଙ୍ଗଣରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳୁଛି। ଧାନ ମଣ୍ଡିରେ ଧାନର ମାନ ନିର୍ଣ୍ଣୟ ନକରି ଆଖିବୁଜା କୁଇଣ୍ଟାଲ୍‍ ପ୍ରତି ୫କେଜି କଟନୀ ଛଟନୀ କରାଯିବ ବୋଲି ମିଲର୍ସ ଜିଦ ଧରି ବସିବାରୁ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ର କିନାଇଲଇ ପଞ୍ଚାୟତ ଅନ୍ତର୍ଗତ ଜୁନାଡିହି ବଜାର ଉପ-ପ୍ରାଙ୍ଗଣରେ ଗତ ୧୧ ଦିନ ହେଲା ଖୋଲା ଅକାଶ ତଳେ ୧୦ ହଜାର ପକେଟ ଧାନ କାକର ଖାଉଛି। ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ଦୁଇ ଦିନ ତଳେ ଏହି ବଜାର ପ୍ରାଙ୍ଗଣ କୁ ଆସି ପରିଦର୍ଶନ କଲା ପରେ ଗତ କାଲି ଶନିବାର ଦିନ ମିଲର୍ସ ମାନଙ୍କୁ ଧାନ କିଣିବାକୁ ପଠାଇଥିଲେ। ମିଲର୍ସ ପ୍ରତିନିଧି ବଜାର ଉପ-ପ୍ରାଙ୍ଗଣକୁ ଆସି କୁଇଣ୍ଟା୍‍ଲ ପ୍ରତି ୫କେଜି କଟ୍‍ନୀ ଛଟ୍‍ନୀ ରେ କଟିବ,ହଁ କଲେ ଯାଇ ଧାନ ଉଠାଇବୁ ନହେଲେ ନାହିଁ ବୋଲି ରୋକ୍‍ ଠୋକ୍‍ ଶୁଣାଇଥିଲେ। ଚାଷୀ ମାନେ କଟ୍‍ନୀ ଛଟ୍‍ନୀ କମ୍‍ କରିବାକୁ କହିବାରୁ ମିଲର୍ସ ୫କେଜି ରୁ କମ୍‍ କଟନୀ ଛଟନୀ ହୋଇ ପାରିବ ନାହିଁ ବୋଲି ଜିଦ୍‍ ଧରିବାରୁ କୌଣସି ସମାଧାନ ହୋଇ ପାରି ନଥିଲା। କଟ୍‍ନୀ ଛଟ୍‍ନୀ ବାବଦରେ ମିଲର୍ସ ମାନେ ନିଜ୍‍ ଜିଦ୍‍ ରେ ଅଟଳ ରହୁଥିବାରୁ ଚାଷୀ ଘୋର କ୍ଷତି ର ସମ୍ମୁଖୀନ ହେଉଛନ୍ତି। ଜିଲ୍ଲାପାଳ ଏଦିଗ ରେ ହସ୍ତେକ୍ଷପ କରି ମିଲର୍ସ ମାନଙ୍କର ମାତ୍ରାଧିକ ଏବଂ ମନଇଚ୍ଛା କଟ୍‍ନୀ ଛଟ୍‍ନୀ ନେଇ ଅଚଳାବସ୍ଥା ଦୂର କରିବା ପାଇଁ କିନାଲୋଇ ମା ବୀଣାପାଣି କୃଷକ ସଙ୍ଗଠନର ସଭାପତି ବୁଦ୍ଧଦେବ ନାୟକ,ମିତ୍ରଭାନୁ ପଟେଲ, ଦଇୀପକ ପଟେଲ, ଦିଲ୍ଲିପ ନଏକ, ଶୁଦେବ ମାଝି, ସଞ୍ଜିତ ମିର୍ଦ୍ଧା, କୈଲାସ ପଟେଲ,ଶ୍ରୀକାନ୍ତ ମିଦଯର୍ଧା ପ୍ରମୁଖ ଦାବୀ କରିଛନ୍ତି।

Comments are closed.