ମିଳିଲାନି ଚାରିକାନ୍ଧ ; ମା’ କୋକେଇ ଟାଣିଟାଣି ନେଲା ପୁଅ

ଜୟପୁର : ଅନ୍ୟ ଘରେ ବୋହୂ ଖାଇ ଦେଇଥିଲା ବୋଲି ଜାତି ତାକୁ ବାସନ୍ଦ କରିଥିଲା, ଶାଶୂ ମଲା ପରେ ତାଙ୍କୁ ଚାରି କାନ୍ଧ ମିଳିଲାନି। ଫଳରେ ପୁଅ, ବୋହୂ କୋକେଇ ବୋହିବା ଓ ବୋହୂ ହାଲିଆ ହୋଇଯିବା ପରେ ପୁଅ କୋକେଇକୁ ଘୋଷାରି ଘୋଷାରି ନେବା ଘଟଣା ଆଜିର ସଭ୍ୟ ସମାଜ ଭିତରେ ଲୁଚି ରହିଥିବା ଦୁର୍ବଳ ମାନସିକତାକୁ ପଦାରେ ପକାଇଛି। ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ଚାରିକାନ୍ଧ ନ ମିଳିବାରୁ ପୁଅ ଜଣଙ୍କ ଶବ କୋକେଇକୁ ଟାଣି ଟାଣି ନେଉଥିବା ଦୃଶ୍ୟ ଜୟପୁର ବ୍ଲକ ବୈରାଗୀମଠ ଗ୍ରାମରେ ଦେଖିବାକୁ ମିଳିଛି। ସୂଚନାଥାଉକି, ଜଣେ ଆଦିବାସୀ ମହିଳା ଅନ୍ୟ ଜାତି ଘରେ ଖାଇ ଦେଇଥିବାରୁ ତାଙ୍କୁ ଜାତିରୁ ବାସନ୍ଦ କରାଯାଇଥିଲା। ଏମିତିକି ତାଙ୍କ ଶାଶୂ ମରିଯିବା ପରେ ମଧ୍ୟ ତାକୁ କାନ୍ଧ ଦେବାକୁ କେହି ଆଗେଇ ଆସି ନ ଥିଲେ। ଶେଷରେ ପୁଅ ଓ ବୋହୂ କୋକେଇକୁ ବୋହି ନେଇ ଶବସତ୍କାର କରିଥିବା ଦୃଶ୍ୟ
ଦେଖିବାକୁ ମିଳିଛି। ଘଟଣା ଘଟିଛି ବୈରାଗୀମଠ ଗ୍ରାମରେ। ପ୍ରଶାସନ ଏହା ଜାଣିବା ପରେ ସହାୟତା ଯୋଗାଇବା ସହ ଜାତିଆଣ ଭାବ ଦୂର କରିବାକୁ ପ୍ରୟାସ କରି ସଫଳ ହୋଇଥିବା ଜଣାପଡ଼ିଛି। ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତର ବୌରାଗୀମଠ ଗ୍ରାମରେ ମଙ୍ଗଳା ପରଜା, ତାଙ୍କ ମା’ ମୁକ୍ତା ପରଜା ଓ ସ୍ତ୍ରୀ କୁନି ପରଜା ରହି ଆସୁଥିଲେ। ସେମାନେ ଆଦିବାସୀ ପରଜା ସମ୍ପ୍ରଦାୟର। ଗତ ଛ’ମାସ ପୂର୍ବରୁ ମୁକ୍ତାଙ୍କ ବୋହୂ କୁନି ଅନ୍ୟ ସମ୍ପ୍ରଦାୟର ଘରେ ଭୋଜନ କରିଥିଲେ। ଏହା ଜଣା ପଡ଼ିବା ପରେ ମଙ୍ଗଳା ପରଜାଙ୍କ ପରିବାରକୁ ଜାତିରୁ ବାସନ୍ଦ କରି ଦିଆଯାଇଥିଲା। ନିଆଁପାଣିରୁ ବାସନ୍ଦ ହୋଇ ରହିଥିଲେ ମଙ୍ଗଳାଙ୍କ ପରିବାର। ଗତ ବୁଧବାର ଦିନ ମଙ୍ଗଳାଙ୍କ ମା’ ମୁକ୍ତାଙ୍କ ମୃତ୍ୟୁ ହୋଇଥିଲା। ପରଜା ସମ୍ପ୍ରଦାୟର କେହି ଜଣେ ମଧ୍ୟ ଆସି ଶବ ସଂସ୍କାର କାର୍ଯ୍ୟରେ ଯୋଗ ଦେଇ ନ ଥିଲେ। ଏକାକୀ ହୋଇ ପଡ଼ିଥିଲେ ମଙ୍ଗଳାଙ୍କ ପରିବାର। ଶବ ଦାହ କରିବାକୁ ପୁଅ ମଙ୍ଗଳା ବାଉଁଶ, ପାଳ, ମାଠିଆ, ଦୌଡି ଯୋଗାଡ କରିଥିଲେ। ଶବକୁ ବାନ୍ଧି କୋକେଇକୁ ଚାରି କାନ୍ଧ ନ ମଳିବାକୁ ଏକାକୀ ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ନେଇଥିଲେ। ସ୍ତ୍ରୀ ମଙ୍ଗଳାଙ୍କୁ ସହାୟତା କରିବାକୁ ଆସି ଥିଲେ ମଧ୍ୟ କୋକୋଇକୁ ଧରି ପାରୁ ନ ଥିଲେ। ଅଧା କିଲୋମିଟର ଶବକୁ ଗାଁ ଦାଣ୍ଡରେ ଘୋଷାଡି ନେଉ ଥିବାବେଳେ ପରଜା ଜାତିର ଲୋକ ଏବଂ ଅନ୍ୟ ସମ୍ପ୍ରଦାୟର ଲୋକମାନେ ଏକାଠି ହେଇ ପଛେ ପଛେ ଯାଉଥିଲେ। ଦୁଃଖର ବିଷୟ ଶବକୁ ବୋହି ନେଉଥିବା ସମୟରେ ଉପସ୍ଥିତ ଅନ୍ୟ ସମ୍ପ୍ରଦାୟର ଲୋକେ ମୋବାଇଲ୍‌ରେ ଫଟୋ ଓ ଭିଡିଓ କରିବାରେ ବ୍ୟସ୍ତ ଥିଲେ। ଜାତିରୁ ବାସନ୍ଦ କରିବା ପରେ ଶବକୁ ଚାରି କାନ୍ଧ ଦିଆଯାଉ ନ ଥିବା ନେଇ ପ୍ରଶାସନ ନିକଟରେ ଖବର ପହଞ୍ଚିବା ପରେ ଜୟପୁର ବିଡିଓ ସୁରଜ ପଟ୍ଟନାୟକ ବୌରାଗୀମଠ ଗ୍ରାମରେ ପହଞ୍ଚିଥିଲେ। ମଙ୍ଗଳା ପରଜାଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ହରିଶ୍ଚନ୍ଦ୍ର ଯୋଜନାରେ ୨ ହାଜର ଟଙ୍କା ଦେବା ସହ ପଞ୍ଚାୟତ ତରଫରୁ ୩ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଗ୍ରାମର ଭଦ୍ରଲୋକ ତଥା ପରଜା ସମ୍ପ୍ରଦାୟ ଲୋକଙ୍କୁ ଡକାଇ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରି ମଙ୍ଗଳାଙ୍କୁ ସହଯୋଗ କରିବାକୁ ବିଡ଼ିଓ ନିବେଦନ କରିଥିଲେ। ଏହାପରେ ଗାଁଦାଣ୍ଡରେ ୱାର୍ଡ ମେମ୍ବର କୁମୁ ମଙ୍ଗରିଆ, ବାଲାଜି ମାଦଳା, ପୂର୍ବତନ ସରପଞ୍ଚ ଚନ୍ଦ୍ର ପରଜା, ପଞ୍ଚାୟତ ପିଇଓ ଭାଗିରଥୀ ନାୟକ ପ୍ରମୁଖ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ପରଜା ସମ୍ପ୍ରଦାୟ ଲୋକଙ୍କୁ ଏକାଠି କରାଯାଇ ଏକ ବୈଠକ କରାଯାଇଥିଲା। ମଙ୍ଗଳା ପରଜାଙ୍କୁ ଜାତିରେ ମିଶାଇ ତାଙ୍କ ମା’ଙ୍କ ଅନ୍ତେଷ୍ଟିକ୍ରିୟା କର୍ମରେ ସହଯୋଗ କରିବାକୁ ବିଡିଓ ସମସ୍ତଙ୍କୁ ନିବେଦନ କରିଥିଲେ। ବିଡିଓଙ୍କ କଥାକୁ ସମ୍ମାନର ସହ ଗ୍ରହଣ କରି ମଙ୍ଗଳାଙ୍କୁ ଜାତିରେ ମିଶାଇ ସାହାଯ୍ୟ କରିବାକୁ ତାଙ୍କ ସମ୍ପ୍ରଦାୟର ଲୋକମାନେ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Comments are closed.