ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ; କୋହଲି ନେତୃତ୍ୱ ନେବେ, ଦଳକୁ ଫେରିବେ ରୋହିତ ଶର୍ମା ଓ ରିଶବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ସମ୍ଭାବ୍ୟ ଦଳ ସୋମବାର ଘୋଷଣା କରାଯାଇଛି। ଏହି ଗସ୍ତ କାଳରେ ଭାରତୀୟ ଦଳ ୩ଟି ଟେଷ୍ଟ ମ୍ୟାଚ ଓ ୩ଟି ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ ଖେଳିବେ। ଧାର୍ଯ୍ୟ ସୂଚୀ ଅନୁଯାୟୀ ଡିସେମ୍ବର ୨୬ରେ ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିଅନରେ ଖେଳାଯିବ। ଚୂଡାନ୍ତ ଏକଦିବସୀୟ ମ୍ୟାଚ କେପଟାଉନରେ ଜାନୁଆରୀରେ ଦୁଇଦଳ ଖେଳିବେ। ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲାଣ୍ଡ ଟେଷ୍ଟ ପରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥାନ୍ତେ। କିନ୍ତୁ ଏହାକୁ ୯ ଦିନ ଘୁଞ୍ଚାଇ ଦିଆଯାଇଛି। ଫଳରେ ଭାରତୀୟ ଖେଳାଳିମାନେ ସେମାନଙ୍କ ଘରେ କିଛିଦିନ ବିତାଇବାର ସୁଯୋଗ ପାଇବେ।
ସୋମବାର ଦିନ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ୧୮ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରାଯାଇଛି। ଏଥିରେ ଓପନର ଭାବରେ ରୋହିତ ଶର୍ମା ଏବଂ କେ ଏଲ ରାହୁଲଙ୍କୁ ରଖାଯାଇଛି। ଏଥିସହିତ ମୟଙ୍କ ଅଗ୍ରୱାଲଙ୍କ ନାମ ମଧ୍ୟ ବିଚାରକୁ ନିଆଯିବ। ଯଦି ରାହୁଲ ଫିଟ ନହୁଅନ୍ତି ତେବେ ଚୂଡାନ୍ତ ଏକାଦଶରେ ରାହୁଲଙ୍କ ନାମ ବିଚାରକୁ ନିଆଯିବ। ମିଡଲ ଅର୍ଡରରେ ସେଭଳି ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ। ଚେତେଶ୍ୱର ପୂଜାରା ତାଙ୍କ ସ୍ଥାନ ବଜାୟ ରଖିଥିବାବେଳେ ଅଜିଙ୍କ୍ୟ ରାହଣେଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ହୋଇଥିବାରୁ ତାଙ୍କ ସ୍ଥାନ ହନୁମାନ ବିହାରୀ ନେଇପାରନ୍ତି। ଭାରତୀୟ ଦଳରେ ଅଲରାଉଣ୍ଡର ଭାବରେ ଆର ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜା ମଜଭୁତ ସ୍ଥିତିରେ ରହିଛନ୍ତି। ଏଥିସହିତ ଅକ୍ଷର ପଟେଲ ଏକଦିବସୀୟ ଦଳରେ ସ୍ଥାନପାଇବା ନେଇ ଅନେକ ମତ ଦେଉଥିବାବେଳେ ତାଙ୍କ ସ୍ଥାନ ଶାର୍ଦୁଳ ଠାକୁର ନେବା ଆଶା କରାଯାଉଛି। ରିଧିମାନ ଶାହା ଦ୍ୱିତୀୟ ୱିକେଟ ରକ୍ଷକ ଭାବରେ ଖେଳିବା ପ୍ରାୟତଃ ନିଶ୍ଚିତ ମନେକରାଯାଉଛି। ଅନ୍ୟପକ୍ଷରେ ରିଶବ ପନ୍ତ ପୁଣି ୱିକେଟ ପଛକୁ ଫେରିବେ। ଆବଶ୍ୟକ ପଡିଲେ କେ ଏଲ ରାହୁଲ ମଧ୍ୟ ୱିକେଟ ରକ୍ଷକ ଦାୟିତ୍ୱ ତୁଲାଇ ପାରନ୍ତି।
ଭାରତୀୟ ଦଳ ଜଶପ୍ରିତ ବୁମରାଙ୍କୁ ପେସ ବୋଲର ଭାବେ ସ୍ଥାନ ଦେଇଛି ଏବଂ ସେ ମହମ୍ମଦ ଶାମିଙ୍କ ସହିତ ପେସ ଆକ୍ରମଣରେ ସାମିଲ ହେବେ। ମହମ୍ମଦ ସିରାଜ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି ଏବଂ ତାଙ୍କ ସହିତ ଉମେଶ ଯାଦବ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ଯୁବ ପେସର ପ୍ରସିଦ୍ଧ କ୍ରିଷ୍ଣା ଏବଂ ବରିଷ୍ଠ ଖେଳାଳି ଇଶାନ୍ତ ଶର୍ମାଙ୍କ ମଧ୍ୟରୁ ଜଣେ କେହି ଗସ୍ତରେ ସାମିଲ ହେବେ।
ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ସମ୍ଭାବ୍ୟ ୧୮ ଜଣିଆ ଭାରତୀୟ କ୍ରିକେଟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, କେ ଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଶୁବମାନ ଗିଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହଣେ/ହନୁମା ବିହାରୀ, ଶ୍ରେୟସ ଆୟର, ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଶାର୍ଦୁଳ ଠାକୁର, ରିଶବ ପନ୍ତ, ରିଧିମାନ ଶାହା, ଯଶପ୍ରିତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା/ଇଶାନ୍ତ ଶର୍ମା।

Comments are closed.