ପ୍ରିୟଙ୍କାଙ୍କ ସୁରକ୍ଷା ଭଙ୍ଗ : ସିଆରପିଏଫ୍‌ ଅଧିକାରୀଙ୍କୁ ସମନ

ନୂଆଦିଲ୍ଲୀ : କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରାଙ୍କ ସୁରକ୍ଷା ବଳୟ ଭଙ୍ଗ ହେବା ଘଟଣାରେ ସିଆରପିଏଫ୍ ଏହାର ଅଧିକାରୀଙ୍କୁ ସମନ ଜାରି ପୂର୍ବକ ସବିଶେଷ ତଥ୍ୟ ଦେବାକୁ କହିଛି। ଶନିବାର ପ୍ରିୟଙ୍କା ଉତ୍ତରପ୍ରଦେଶ ଗସ୍ତରେ ଯାଇଥିବାବେଳେ ତାଙ୍କୁ ପୂର୍ବ ନିର୍ଦ୍ଧାରିତ ରାସ୍ତା ପରିବର୍ତ୍ତେ ଅନ୍ୟ ଏକ ରାସ୍ତାରେ ନିଆଯାଇଥିଲା। ନୂଆ ରାସ୍ତା ସମ୍ପର୍କରେ ପ୍ରିୟଙ୍କାଙ୍କ ସୁରକ୍ଷା ଅଧିକାରୀଙ୍କୁ ଆଗୁଆ ସୂଚନା ଦିଆଯାଇ ନଥିଲା। ପ୍ରିୟଙ୍କା ଲକ୍ଷ୍ନୌସ୍ଥିତ ଅବସରପ୍ରାପ୍ତ ଆଇପିଏସ୍ ଏସଆର ଦାରାପୁରୀଙ୍କୁ ବାସଭବନକୁ ଯିବାବାଟରେ ଲୋହିଆ ପଥ ନିକଟରେ ପୁଲିସ ତାଙ୍କୁ ଅଟକାଇଥିଲା। ପୁଲିସ ଅଟକାଇବାରୁ ପ୍ରିୟଙ୍କା ଜଣେ ଦଳୀୟ କର୍ମୀଙ୍କ ସ୍କୁଟରରେ ବସି ସେଠାରୁ ଅନ୍ୟ ଏକ ବାଟରେ ଦାରାପୁରୀଙ୍କ ଘରକୁ ଯାଇଥିଲେ। ଏହି ସମୟରେ ପଲିଟେକନିକ୍ ଛକରେ ପୁଲିସ ତାଙ୍କୁ ପର୍ନବାର ଅଟକାଇଥିଲା। ଫଳରେ ସେ ଚାଲିଚାଲି ଦାରାପୁରୀଙ୍କ ଘରକୁ ଯାଇଥିଲେ। ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନରେ ଯୋଗ ଦେବାକୁ ନେଇ ଦାରାପୁରୀଙ୍କୁ ପୁଲିସ ଗିରଫ କରି ଜେଲ୍‌ରେ ରଖିଛି। ଉତ୍ତରପ୍ରଦେଶ ପୁଲିସ ତାଙ୍କୁ ବିଭିନ୍ନ ସ୍ଥାନରେ ଅକଟାଇବାବେଳେ ଦୁର୍ବ୍ୟବହାର କରିଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ପୁଲିସ ତାଙ୍କ ବେକକୁ ଜାବୁଡି ଧରିଥିଲା। ସ୍କୁଟର ପଛରେ ବସି ଯିବା ସମୟରେ ପୁଲିସ ତାଙ୍କୁ ଘେରିଯାଇଥିଲା। ମୋତେ କାହିଁକି ଅଟକା ଯାଉଛି। ରାସ୍ତା ମଝିରେ ଅଟକାଇବାର କାରଣ କଣ ବୋଲି ପ୍ରିୟଙ୍କା ପ୍ରଶ୍ନ କରିଥିଲେ। ପ୍ରିୟଙ୍କାଙ୍କ କାର୍ ପୂର୍ବ ନିର୍ଦ୍ଧାରିତ ରାସ୍ତା ପରିବର୍ତ୍ତେ ଅନ୍ୟ ଏକ ରାସ୍ତାରେ ଯାଇଥିଲା। ଅନ୍ୟପଟେ ବିନା ହେଲମେଟ୍‌ରେ ସ୍କୁଟର ଚଳାଇବା ପାଇଁ କଂଗ୍ରେସ କର୍ମୀ ଧୀରଜ ଗୁରଜାରଙ୍କ ଉପରେ ପୁଲିସ ୬,୩୦୦ଟଙ୍କା ଜୋରିମାନା କରିଛି। ପ୍ରିୟଙ୍କା ଗାଡ଼ି ପଛରେ ବସିଥିବାବେଳେ ସେ ମଧ୍ୟ ହେଲମେଟ୍‌ ପିନ୍ଧିନଥିଲେ। ନୂଆ ମୋଟରଯାନ ଆଇନ ଆଧାରରେ ଧୀରଜଙ୍କ ଉପରେ ଏହି ଜେରିମାନା ହୋଇଛି।
ପ୍ରିୟଙ୍କାଙ୍କ ଏପରି ଅଭିଯୋଗକୁ ପୁଲିସ ଖଣ୍ଡନ କରିଛି। ଲକ୍ଷ୍ନୌ ଏସଏସପି କଳାନିଧି ନୈଥିନି କହିଛନ୍ତି ପ୍ରିୟଙ୍କାଙ୍କ ଏପରି ଅଭିଯୋଗ ଦୁର୍ଭାଗ୍ୟଜନକ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଝିଅ ଭାବେ ପ୍ରିୟଙ୍କାଙ୍କୁ ଭିଭିଆଇପି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଆସୁଛି। ପୂର୍ବରୁ ପ୍ରିୟଙ୍କାଙ୍କୁ ଏସପିଜି ସୁରକ୍ଷା ଯୋଗାଇ ଦିଆଯାଇ ଆସୁଥିବାବେଳେ କେନ୍ଦ୍ର ସରକାର ଏହି ସୁରକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ପୂର୍ବକ ସିଆରପିଏଫ୍ ଦ୍ବାରା ଜେଡ୍‌ ପ୍ଲସ୍‌ ସୁରକ୍ଷା ଦେଉଛନ୍ତି।
ରବିବାର ମଧ୍ୟ ପ୍ରିୟଙ୍କା ଉତ୍ତରପ୍ରଦେଶ ସରକାରଙ୍କ ହିଂସା ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଛନ୍ତି। ସିଏଏ ବିରୋଧୀ ହିଂସାରେ ସାମିଲ କଂଗ୍ରେସ କର୍ମୀ ସଦାଫ ଜାଫରଙ୍କୁ ପୁଲିସ ଗିରଫ କରିଥିବାବେଳେ ପ୍ରିୟଙ୍କା ଏହାକୁ ଅମାନବୀୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଉତ୍ତରପ୍ରଦେଶ ସରକାର ମାନବିକତାର ସମସ୍ତ ସୀମା ଲଙ୍ଘନ କରିଛନ୍ତି। ଶନିବାର ଉତ୍ତରପ୍ରଦେଶ ଗସ୍ତ ସମୟରେ ସଦାଫଙ୍କ ଦୁଇ ପିଲାଙ୍କୁ ପ୍ରିୟଙ୍କା ଭେଟିଥିଲେ। ସଦାଫଙ୍କ ପରିବାରକୁ ଭେଟିବାର ଫଟୋକୁ ମଧ୍ୟ ପ୍ରିୟଙ୍କା ଟୁଇଟ୍‌ କରିଛନ୍ତି। ସିଏଏ ବିରୋଧୀ ହିଂସାକୁ ନେଇ ଉତ୍ତରପ୍ରଦେଶ ପୁଲିସ ୨୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିବାବେଳେ ସଦାଫ ସେମାନଙ୍କ ମଧ୍ୟରେ ଏକମାତ୍ର ମହିଳା। ସଦାଫଙ୍କ ବିରୋଧରେ ହତ୍ୟା ଉଦ୍ୟମ, ସରକାରୀ କର୍ମଚାରୀଙ୍କୁ ମାଡ ମାରିବା, ଦଙ୍ଗା ସୃଷ୍ଟି କରିବା ଭଳି ବିଭିନ୍ନ ପ୍ରକାର ଅଭିଯୋଗ ଆରୋପ କରାଯାଇଛି। ସଦାଫ ଜାମିନ ଆବେଦନ କରିଥିବାବେଳେ ଅଦାଲତ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।

Comments are closed.