ସଂସଦ ଟିଭିର ଉପସ୍ଥାପିକା ପଦରୁ ପ୍ରିୟଙ୍କା ଚତୁର୍ବେଦୀଙ୍କ ଇସ୍ତଫା

ନୂଆଦିଲ୍ଲୀ: ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସଂସଦ ଟିଭିର ଉପସ୍ଥାପିକା ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ଚଳିତ ଶୀତ ଅଧିବେଶନର ସମୁଦାୟ କାଳ ରାଜ୍ୟସଭାରୁ ତାଙ୍କୁ ନିଲମ୍ବିତ କରାଯିବା ପରେ ପ୍ରିୟଙ୍କା ସଂସଦ ଟିଭିରୁ ଇସ୍ତଫା ଦେଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ସଂସଦର ମୌସୁମୀ ଅଧିବେଶନ କାଳରେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ସମେତ ମୋଟ ୧୨ଜଣ ସାଂସଦଙ୍କୁ ଶୀତ ଅଧିବେଶନରୁ ନିଲମ୍ବିତ କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କାୟା ନାଇଡୁଙ୍କ ନିକଟକୁ ପତ୍ରଲେଖି ପ୍ରିୟଙ୍କା କହିଛନ୍ତି ଯେ, ଗଭୀର ଦୁଃଖର ସହିତ ସେ ସଂସଦ ଟିଭିରେ ପ୍ରସାରିତ ହେଉଥିବା ସୋ’ ମେରି କାହାନିର ଉପସ୍ଥାପିକା ପଦବୀରୁ ଇସ୍ତଫା ଦେଉଛନ୍ତି । ତାଙ୍କ ସମେତ ୧୨ ଜଣ ସାଂସଦଙ୍କୁ ନିଲମ୍ବିତ କରାଯିବା ପରେ ସେ ଏଥିରୁ ଇସ୍ତଫା ଦେଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏହି ସାଂସଦମାନଙ୍କର ନିଲମ୍ବନ ଆଦେଶକୁ ଅଗଣତାନ୍ତ୍ରିକ ଏବଂ ରାଜ୍ୟସଭାର କାର୍ଯ୍ୟବିଧିର ଉଲ୍ଲଂଘନ ବୋଲି ବିରୋଧୀ ଦଳଗୁଡିକ ପକ୍ଷରୁ କୁହାଯାଇଛି ।

Comments are closed.