ବିନା ସ୍ବୀକୃତିରେ ଚାଲିଛି ଘରୋଇ ବିଦ୍ୟାଳୟ

ତୁରନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଡିଇଓଙ୍କୁ ନିର୍ଦେଶ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ନୂତନ ଘରୋଇ ଇଂରାଜୀ ମଧ୍ୟମା ବିଦ୍ୟାଳୟ ପ୍ରତିଷ୍ଠା ହେବାରେ ଲାଗିଛି। ବହୁ ଘରୋଇ ବିଦ୍ୟାଳୟ ସ୍ବୀକୃତିପତ୍ର ନଥାଇ ପରିଚାଳିତ ହେଉଛି। ଏହି ଶିକ୍ଷାନୁଷ୍ଠାନ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାର ରିପୋର୍ଟ ମାଗିଛି ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ। ଏନେଇ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ ନିର୍ଦେଶାଳୟର ଯୁଗ୍ମ ସଚିବ ଚିଠି ଲେଖିଛନ୍ତି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟରେ ବହୁ ଘରୋଇ ସ୍କୁଲ ବିନା ସିଓଆର୍‌(ସାର୍ଟିଫିକେଟ୍‌ ଅଫ୍‌ ରିକଗନିସନ)ରେ ଚାଲୁଛି। ନିଜ ଜିଲାରେ କେତେ​‌ ବିଦ୍ୟାଳୟ ରହିଛି ଓ ସେମାନଙ୍କ ବିରୋଧର କ’ଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ତାର ତାଲିକା ପ୍ରସ୍ତୁତ କରିବେ ଶିକ୍ଷା ଅଧିକାରୀ। ଏହି ପ୍ରସଙ୍ଗରେ ପୂର୍ବରୁ ନିର୍ଦେଶାଳୟ ପକ୍ଷରୁ ୨୦୧୯ ମାର୍ଚ୍ଚ ୧୬ ଓ ୨୦୧୮ ନଭେମ୍ବରରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ ସିଓଆର ନଥିବା ବିଦ୍ୟାଳୟ ବିରୋଧରେ କାରଣ ଦର୍ଶାଅ ନୋଟିସ୍ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଥିଲା। ତେବେ ଏପର୍ଯନ୍ତ ବିଭାଗ ନିକଟରେ ଜିଲା ଶିକ୍ଷା ଅଧିକାରୀମାନେ ରିପୋର୍ଟ ଦାଖଲ କରିନାହାନ୍ତି। ବିଦ୍ୟାଳୟଗୁଡ଼ିକରେ ନାମଲେଖା ଆରମ୍ଭ ହୋଇଥିବାରୁ ନିର୍ଦେଶାଳୟ ପକ୍ଷରୁ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନିଆଯାଇଛି।

ଜିଲା ଶିକ୍ଷା ଅଧିକାରୀ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଓ କେତେ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ତାର ରିେପାର୍ଟ ନିର୍ଦେଶାଳୟ ନିକଟରେ ତୁରନ୍ତ ଦାଖଲ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ରିପୋର୍ଟ ମିଳିବା ପରେ ନିୟମ ଉଲ୍ଲଘଂନ କରିଥିବା ବିଦ୍ୟାଳୟ ବିରୋଧରେ ନିର୍ଦେଶାଳୟ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।

Comments are closed.