ରାଜ୍ୟରେ ଘରୋଇ ବସ୍ ଚଳାଚଳ ଅନିଶ୍ଚିତ; ଆଲୋଚନା ବିନା ଗାଡ଼ି ଚଳାଇବାକୁ ସଂଘ ଅରାଜି

୨୭ ତାରିଖରେ ବସ୍ ମାଲିକ ସଂଘ ବୈଠକରେ ହେବ ନିଷ୍ପତ୍ତି

ଭୁବନେଶ୍ବର: ଗାଡ଼ି ଚଳାଇବାକୁ ସରକାର ସବୁଜ ସଙ୍କେତ ଦେଲେ । ପୁରା ଆସନ ଅନୁସାରେ ବସ୍ ମାଲିକ ଯାତ୍ରୀ ନେଇ ପାରି​ବେ ବୋଲି ଅନୁମତି ଦିଆଗଲା । ଆଶା କରାଯାଉଥିଲା ଆଜିଠାରୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ କରିବ । ମାତ୍ର ଘରୋଇ ବସ୍ ଚାଲିଲା ନାହିଁ । ବସ୍ ଚଳାଚଳ କେବେ ହେବ ତାହା ଏବେ କହିବା ଅନିଶ୍ଚିତ ବୋଲି ଜଣା ପଡ଼ିଲାଣି । ତେବେ ଆସନ୍ତା ୨୭ ତାରିଖରେ ବସ୍ ମାଲିକ ସଂଘର ବୈଠକରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳିଛି ।

ବସ୍ ଚଳାଚଳ କରିବାକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ ଚାହୁଁଛି ବସ୍ ମାଲିକ ସଂଘ । ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ କହିଛନ୍ତି ଯେ ସରକାରଙ୍କ ବିନା ସହଯୋଗରେ ବସ୍ ଚଳାଚଳ ସମ୍ଭବ ହୋଇପାରିବ ନାହିଁ । ଦୁଇ ମାସ ହେଲା ଗାଡ଼ି ଚାଲୁ ନ ଥିବାରୁ ବସ୍ ମାଲିକଙ୍କ ଆର୍ଥିକ ସ୍ଥିତି ଠିକ୍ ନାହିଁ । ତେଣୁ ସରକାର ପ୍ରଥମେ ଏ ସମ୍ପର୍କରେ ଆଲୋଚନା କରନ୍ତୁ ବୋଲି ସେ କହିଛନ୍ତି ।

ଗତକାଲି ବସ୍ ମାଲିକ ସଂଘ ମୁଖପାତ୍ର ମଧ୍ୟ ଏ ନେଇ ସୂଚନା ଦେଇଥିଲେ । ଲକ୍ଡ଼ାଉନ ଯୋଗୁଁ ଡ଼୍ରାଇଭର ଓ ହେଲପର ଏବେ ପାଖରେ ନାହାନ୍ତି, ତେଣୁ ଗାଡ଼ି ଚଳାଚଳ ସମ୍ଭବ ନୁହେଁ ବୋଲି ଉଲ୍ଲେଖ କରି ସେ ଟିକସ ଛାଡ଼ କରିବା ନେଇ ପ୍ରସଙ୍ଗ ଉଠାଇଥିଲେ। ଆଜି ମଧ୍ୟ ବସ୍ ମାଲିକ ସଂଘ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି । ଲକ୍ଡ଼ାଉନ ଯୋଗୁଁ ବସ୍ ମାଲିକ ଗୁରୁତର କ୍ଷତି ସହିଛନ୍ତି ତେଣୁ ସେମାନଙ୍କୁ ସରକାରୀ ସହାୟତା ଦିଆଯାଉ ବୋଲି ପ୍ରସ୍ତାବ ଉଠିଛି । ସରକାରଙ୍କ ସହ ଆଲୋଚନା ପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ଯେତିକି ସିଟ୍, ସେତିକି ଲୋକ ସର୍ତରେ ମଧ୍ୟ ଗାଡ଼ି ମାଲିକ ସଂଘ ରାଜି ନ ଥିବା ଅନ୍ୟଏକ ସୂତ୍ରରୁ ସୂଚନା ମିଳିଛି ।

Comments are closed.