ନୂଆ ବର୍ଷରେ ଶସ୍ତା ଘରର ଉପହାର : ସମସ୍ତଙ୍କୁ ମିଳିବ ବାସଗୃହ – ପ୍ରଧାନମନ୍ତ୍ରୀ

ନୂଆଦିଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ବାସଗୃହ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ଗରିବ ଲୋକମାନଙ୍କ ଦୁର୍ଦ୍ଦଶାର ଅବସାନ ଘଟାଇବା ପାଇଁ ଏହା ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି। ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ୬ଟି ରାଜ୍ୟରେ ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚାଲେଞ୍ଜ – ଇଣ୍ଡିଆ ଅଧୀନରେ ଲାଇଟ୍‍ ହାଉସ୍‍ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି, ଲାଇଟ୍‍ ହାଉସ୍‍ ପ୍ରକଳ୍ପ ସର୍ବସାଧାରଣଙ୍କ କଲ୍ୟାଣ ଦିଗରେ ଏକ ସର୍ବୋତ୍କୃଷ୍ଟ ବୈଷୟିକ ଜ୍ଞାନ। ଲାଇଟ୍‍ ହାଉସ୍‍ ପ୍ରକଳ୍ପ ସହରାଞ୍ଚଳର ଗୃହନିର୍ମାଣ ଆବଶ୍ୟକତାର ପୂରଣ ଦିଗରେ ବହୁମାତ୍ରାରେ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ବିକାଶକୁ ଆଗେଇ ନେବାପାଇଁ ଅତ୍ୟାଧୁନିକ ବୈଷୟିକ ଜ୍ଞାନର ପ୍ରୟୋଗ କରାଯାଉଥିବାରୁ ଏହି ପ୍ରକଳ୍ପଗୁଡ଼ିକ ପ୍ରତ୍ୟେକ ଭାରତୀୟଙ୍କ ଲାଗି ଏକ ଗୌରବର ବିଷୟ ବୋଲି ଶ୍ରୀ ମୋଦି କହିଛନ୍ତି।

ନବବର୍ଷ ଅବସରରେ ପ୍ରତ୍ୟେକଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ନୂଆ ଉତ୍ସାହ ଓ ଉଦ୍ଦୀପନାର ସହ ଆମେ ୨୦୨୧ରେ ପ୍ରବେଶ କରୁଛେ। ସେ କହିଛନ୍ତି, ପୂର୍ବର ସରକାରମାନେ ଗୃହନିର୍ମାଣ ଯୋଜନାଗୁଡ଼ିକୁ ବିଶେଷ ଗୁରୁତ୍ୱ ଦେଉ ନ
ଥିଲେ। ସେ କହିଛନ୍ତି, ସର୍ବାଙ୍ଗୀନ ଉନ୍ନତି ବିନା ରୂପାନ୍ତରଣ କେବେ ସମ୍ଭବ ନୁହେଁ ବୋଲି ତାଙ୍କ ସରକାର ହୃଦୟଙ୍ଗମ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଏକ ନୂଆ ଆଭିମୁଖ୍ୟ ଗ୍ରହଣ କରିଛି ଓ ଦେଶପାଇଁ ଆଗକୁ ନୂଆ ନୂଆ ଉପାୟମାନ ଅପେକ୍ଷା କରି ରହିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, କୋବିଡ୍‍-୧୯ ନବୀକରଣ ଓ ନୂଆ ନୂଆ ଜ୍ଞାନକୌଶଳର ପ୍ରୟୋଗ କରିବାକୁ ଦେଶପାଇଁ ସୁଯୋଗ ଆଣିଦେଇଛି। ସେ କହିଛନ୍ତି, ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ୬ଟି ଲାଇଟ୍‍ ହାଉସ୍‍ ପ୍ରକଳ୍ପ’ ଦେଶର ବାସଗୃହ ନିର୍ମାଣ କ୍ଷେତ୍ରକୁ ଏକ ନୂଆ ଦିଗ୍‍ଦର୍ଶନ ଦେବ। ଶ୍ରୀ ମୋଦୀ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକରେ ଆଧୁନିକ ବୈଷୟିକ ଜ୍ଞାନ ଓ ନବୀକରଣ
ପଦ୍ଧତି ଗ୍ରହଣ କରାଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏଗୁଡ଼ିକୁ ବହୁତ କମ୍‍ ସମୟ ମଧ୍ୟରେ ନିର୍ମାଣ କରାଯିବ ଏବଂ ଗରିବ ଲୋକମାନଙ୍କୁ ଶସ୍ତାରେ ବାସଗୃହ ଯୋଗାଇ ଦିଆଯିବ।
ପ୍ରଧାନମନ୍ତ୍ରୀ କହିଛନ୍ତି, ରାଞ୍ଚିରେ ଜର୍ମାନୀର ୩-ଡି ନିର୍ମାଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଥିବାବେଳେ ଅଗରତାଲାରେ ନ୍ୟୁଜ୍‍ଲ୍ୟାଣ୍ଡର ଷ୍ଟିଲ ଫ୍ରେମ ବୈଷୟିକ ଜ୍ଞାନର ପ୍ରୟୋଗ କରାଯାଉଛି। ଶ୍ରୀ ମୋଦୀ କହିଛନ୍ତି,ଲକ୍ଷ୍ନୌରେ କାନାଡ଼ାର ବୈଷୟିକ ଜ୍ଞାନ ବ୍ୟବହାର କରାଯାଉଛି। ଏହିସବୁ ପ୍ରକଳ୍ପ ଆମର ଇଞ୍ଜିନିୟର୍‍, ସ୍ଥପତି, ନିର୍ମାଣ କ୍ଷେତ୍ରର ବିଦ୍ୟାର୍ଥୀ ଓ ଯୋଜନା
ପ୍ରସ୍ତୁତ କାରୀମାନଙ୍କୁ ନୂଆ ନୂଆ ଜ୍ଞାନକୌଶଳ ଉପରେ ପରୀକ୍ଷା ନିରୀକ୍ଷା କରିବାକୁ ସୁଯୋଗ ପ୍ରଦାନ କରିବ। ସେ ପୁଣି କହିଛନ୍ତି, ନିର୍ମାଣ କ୍ଷେତ୍ରରେ ଗବେଷଣା ଓ ନବୀକରଣକୁ ପ୍ରୋତ୍ସାହିତ କରିବା ଲାଗି ଆଶା ଇଣ୍ଡିଆ ପ୍ରକଳ୍ପ ସରକାର ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀରେ ବାସଗୃହ ନିର୍ମାଣ ଲାଗି ନୂଆ ତଥା ଅଳ୍ପ ଖର୍ଚ୍ଚ ପଡ଼ୁଥିବା ବୈଷୟିକ ଜ୍ଞାନର ବିକାଶ କରିବାକୁ ଏହା ପଥ ଉନ୍ମୁକ୍ତ କରିବ। ଶ୍ରୀ ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଲକ୍ଷ ଲକ୍ଷ ବାସଗୃହ ଅତି ସ୍ୱଳ୍ପ ସମୟ ମଧ୍ୟରେ ନିର୍ମାଣ କରାଯାଇଛି ଓ ଅନେକ ବାସଗୃହର ନିର୍ମାଣ କାର୍ଯ୍ୟ ଜାରି ରହିଛି। ସେ କହିଛନ୍ତି, ନିଜର ଏକ ବାସଗୃହ ନିର୍ମାଣ କରିବା ଦେଶର ପ୍ରତ୍ୟେକ ନାଗରିକଙ୍କର ଏକ ବଡ଼ ସ୍ୱପ୍ନ ଓ ସରକାର ସହରାଞ୍ଚଳରେ ବାସ କରୁଥିବା ଗରିବ ଓ ମଧ୍ୟବିତ୍ତ ଲୋକମାନଙ୍କର ଏହି ସ୍ୱପ୍ନକୁ ସାକାର କରିବା ଦିଗରେ ସହାୟତା କରୁଛନ୍ତି। ଏଥିପାଇଁ ସରକାର ସମସ୍ତଙ୍କ ପାଇଁ ବାସଗୃହ ନିର୍ମାଣ ଯୋଜନା କାର୍ଯ୍ୟକାରୀ କରୁଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ରେରା ନିୟମ ପ୍ରଣୟନ କରି ସରକାର ବାସଗୃହ ନିର୍ମାଣ କ୍ଷେତ୍ର ପ୍ରତି ଲୋକମାନଙ୍କର ଆସ୍ଥା ଫେରାଇ ଆଣିବାରେ ସଫଳ ହୋଇଛନ୍ତି।
ଶ୍ରୀ ମୋଦି ଆଶା ପୁରସ୍କାର ବିଜେତାମାନଙ୍କର ନାମ ଘୋଷଣା କରିଛନ୍ତି ଓ ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ମିଶନରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନୂଆ ନିର୍ମାଣ ବୈଷୟିକ ଜ୍ଞାନ – ନବରିତୀ ଉପରେ ଏକ ସାର୍ଟିଫିକେଟ୍‍ ପାଠ୍ୟକ୍ରମର ଉନ୍ମୋଚନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବାସଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ୍‍ ସିଂହ ପୁରୀ ଓ ତ୍ରିପୁରା, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାତ୍‍, ତାମିଲ୍‍ନାଡ଼ୁ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ।

Comments are closed.