ସିଏଏ ବିରୁଦ୍ଧରେ ବିକ୍ଷୋଭ ନେଇ ପ୍ରଦର୍ଶନକାରୀ ଆତ୍ମ ସମୀକ୍ଷା କରିବା ଉଚିତ୍‍ : ମୋଦୀ

ଲକ୍ଷ୍ନୌସ୍ଥିତ ଲୋକ ଭବନଠାରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌସ୍ଥିତ ଲୋକ ଭବନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି। ସେ ମଧ୍ୟ ଅଟଳବିହାରୀ ବାଜପେୟୀ ମେଡିକାଲ୍‍ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି ଅବସରରେ ଆୟୋଜିତ ଏକ ଉତ୍ସବରେ ଉଦବୋଧନ ଦେଇ ସେ କହିଛନ୍ତି, ହିଂସାକୁ କେବେବି ଯଥାର୍ଥ ଭାବେ ବିବେଚନା କରାଯାଇ ପାରିବ ନାହିଁ । ନାଗରିକତା ସଂଶୋଧନ ଆଇନ୍‍ ବିରୁଦ୍ଧରେ ହୋଇଥିବା ବିକ୍ଷୋଭ ସମୟରେ ଯେଉଁମାନେ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି ସେମାନେ ବୁଝିବା ଉଚିତ୍‍ ଯେ ଅଧିକାର ଓ କର୍ତ୍ତବ୍ୟ ଅଙ୍ଗାଙ୍ଗୀଭାବେ ଜଡ଼ିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେମାନେ ଯାହା କରିଛନ୍ତି ତାହା ଠିକ୍‍ କି ନୁହେଁ ସେ ବିଷୟରେ ଆତ୍ମ ସମୀକ୍ଷା କରିବା ଉଚିତ୍‍ ବୋଲି ଶ୍ରୀ ମୋଦୀ କହିଛନ୍ତି।

Image Source : PIB

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଅବସରରେ ଲକ୍ଷ୍ନୌରେ ଆୟୋଜିତ ଏକ ଉତ୍ସବରେ ଉଦବୋଧନ ଦେଇ ଶ୍ରୀ ମୋଦୀ ଗୁଜବକୁ କର୍ଣ୍ଣପାତ ନ କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ପାକିସ୍ତାନ, ବାଙ୍ଗଲାଦେଶ ଓ ଆଫଗାନିସ୍ତାନର ଯେଉଁ ଲୋକମାନେ ସେମାନଙ୍କ କନ୍ୟାମାନଙ୍କ ସମ୍ମାନକୁ ବଞ୍ଚାଇବା ପାଇଁ ଭାରତ ଚାଲିଆସିଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରିବାରରେ ଯେଉଁ ସମସ୍ୟା ରହିଥିଲା, ୧୩୦କୋଟି ଭାରତୀୟ ସେହି
ସମସ୍ୟାର ସମାଧାନ କରିପାରିଛନ୍ତି । ଅଦ୍ଭୁତପୂର୍ବ ସଫଳତାର ପୁଞ୍ଜିକୁ ବହନ କରି ଏହି ଦେଶ ନୂଆବର୍ଷରେ ପ୍ରବେଶ କରିବାକୁ ଯାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି । ଧାରା ୩୭୦ର ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି, ଏହା ଏକ ପୁରୁଣା ବ୍ୟାଧି ଥିଲା ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ ଏହାକୁ ଦୂର କରାଯାଇ ପାରିଛି । ସେ କହିଛନ୍ତି, ଶ୍ରୀରାମ ଜନ୍ମଭୂମି ପ୍ରସଙ୍ଗର ମଧ୍ୟ ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରିଛି । ଶ୍ରୀ ମୋଦୀ କହିଛନ୍ତି, ଆଉ ଯାହାକିଛି ବି କରିବାର ବାକିଅଛି ପ୍ରତ୍ୟେକ ଭାରତୀୟ ସେସବୁର ସମାଧାନର ପନ୍ଥା ବାହାର କରିବାର ପ୍ରୟାସରେ ଅଛନ୍ତି ।

ପୂର୍ବରୁ ଆଜି ନୂଆଦିଲ୍ଲୀରେ ଅଟଳ ଭୂ-ଜଳ ଯୋଜନାର ଶୁଭାରମ୍ଭ କରି ଶ୍ରୀ ମୋଦୀ କହିଛନ୍ତି, ନୂଆ ଭାରତ ଜଳସଂକଟର ଯେକୌଣସି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ। ସେ କହିଛନ୍ତି, ଜଳସଂକଟ କେବଳ ନାଗରିକ ଓ ପରିବାରଗୁଡ଼ିକୁ ପ୍ରଭାବିତ କରେ ତାହା ନୁହେଁ ବରଂ ଏହା ରାଷ୍ଟ୍ର ଓ ଏହାର ବିକାଶକୁ ମଧ୍ୟ ପ୍ରଭାବିତ କରିଥାଏ। ସେ କହିଛନ୍ତି, ଆସନ୍ତା ୨୦୨୪ ମସିହା ସୁଦ୍ଧା ଦେଶର ପ୍ରତିଟି ପରିବାରକୁ ପାନୀୟ ଜଳ ଯୋଗାଇଦେବାରେ ଅଟଳ ଜଳଯୋଜନା ଓ ଜଳଜୀବନ ମିଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଦେଶର ୧୮କୋଟି ଗ୍ରାମୀଣ ପରିବାର ମଧ୍ୟରୁ ମାତ୍ର ୩କୋଟି ପରିବାର ନିକଟରେ ପାଇପ୍‍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିପାରୁଛି ଏବଂ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଅବଶିଷ୍ଟ ୧୫କୋଟି ଗ୍ରାମୀଣ ପରିବାରକୁ ପାଇପ୍‍ ଯୋଗେ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ସ୍ୱଳ୍ପ ଜଳ ଆବଶ୍ୟକ କରୁଥିବା ଫସଲ ଚାଷ କରିବା ପାଇଁ ସେ ଚାଷୀମାନଙ୍କୁ ପରାମର୍ଶ ଦେବା ସହ ଦୈନନ୍ଦିନ କାର୍ଯ୍ୟରେ ଆବଶ୍ୟକତାଠାରୁ ଅଧିକ ଜଳ ଖର୍ଚ୍ଚ କରି ଏହି ମୂଲ୍ୟବାନ ପ୍ରାକୃତିକ ଉତ୍ସର ଦୁରୁପଯୋଗରୁ ନିବୃତ୍ତ ରହିବା ପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି।
ଶ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ବାର୍ଷିକୀ ଅବସରରେ ହିମାଚଳ ପ୍ରଦେଶ ଦେଇ ଯାଇଥିବା ରୋହତାଙ୍ଗ୍‍ ଗିରିପଥକୁ ଅଟଳ ଟନେଲ୍‍ ନାମରେ ନାମିତ କରିଛନ୍ତି।

Comments are closed.