ଟିକା ନଷ୍ଟ ନ ହେବା ପ୍ରତି ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ : କରୋନା ସଂକ୍ରମିତ ୧୦ଟି ରାଜ୍ୟର ବରିଷ୍ଠ ଅଧିକାରୀ ଓ ଜିଲ୍ଲା ଅଧିକାରୀମାନଙ୍କ ସହ କରୋନା ସଂକ୍ରମଣ ସ୍ଥିତି ଓ ଟିକାକରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମୀକ୍ଷା କରିଛନ୍ତି। ଗୋଟିଏ ବି କରୋନା ପ୍ରତିଷେଧକ ଟିକା ଯେଭଳି ନଷ୍ଟ ନ ହୁଏ, ସେଥିପ୍ରତି ସଜାଗ ରହିବାକୁ ପ୍ରଧାନମନ୍ତ୍ରୀ ଜିଲ୍ଲା ଅଧିକାରୀମାନଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ସଂକ୍ରମଣ ଓ ମୃତ୍ୟୁସହ ଦେଶ ଲଢ଼େଇ କରୁଥିବାବେଳେ ଦେଶରେ ଟିକାର ଅଭାବ ଦେଖାଦେଇଛି। ଏ ସମୟରେ ଗୋଟିଏ ଡୋଜ୍‍ ଟିକା ନଷ୍ଟ କରିବା ଅର୍ଥ ଜଣେ ବ୍ୟକ୍ତିକୁ ଭୂତାଣୁ କବଳରୁ ନିରାପଦ ରହିବାରୁ ବଞ୍ଚିତ କରିବା। ବିଭିନ୍ନ ସ୍ଥାନରେ ଟିକା ନଷ୍ଟ ହେବାର ଖବର ଆସୁଛି। ଟିକା ଯୋଗାଇ ଦିଆଯିବା ପରେ ସେଗୁଡ଼ିକ ଯେପରି ନଷ୍ଟ ନ ହୁଏ ସେଥିପ୍ରତି ନଜର ରଖିବାକୁ ସେ ଜିଲ୍ଲା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ଭର୍ଚୁଆଲ ବୈଠକରେ ମହାରାଷ୍ଟ୍ର, କେରଳ, ଉତ୍ତରପ୍ରଦେଶ, ଛତିଶଗଡ଼, ହରିୟାଣା, ଓଡ଼ିଶା, ରାଜସ୍ଥାନ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ବୈଠକରେ କଟକ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାପାଳମାନେ ମଧ୍ୟ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ।

Comments are closed.