ଏନପିପିଏ ମାର୍ଗଦର୍ଶିକା : ଏନ-୯୫ ମାସ୍କର ମୂଲ୍ୟ ଶତକଡା ୪୭ ଭାଗ ହ୍ରାସ

କଳାବଜାରୀରେ ସମ୍ପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ :  ଭାରତ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଜରିଆରେ ଏନ-୯୫ ମାସ୍କକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି । ସେ ଦୃଷ୍ଟିରୁ ଏହାର ବେଆଇନ ମହଜୁଦ ଓ କଳାବଜାରୀ ଆଇନ ଦ୍ଵାରା ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚିତ କରାଯାଉଛି । ଏହାର ବେଆଇନ ମହଜୁଦ ଓ କଳାବଜାରୀ ରୋକିବା ପାଇଁ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ ବା ଏନପିପିଏ, ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ବଳରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିରାପଦ ମାସ୍କ, ହ୍ୟାଣ୍ଡ ସାନିଟାଇଜର ଏବଂ ଗ୍ଲୋବ୍ସର ଯୋଗାଣ ଯେପରି ସେଥିରେ ମୁଦ୍ରିତ ପାଇକାରୀ ଦରରୁ ଅଧିକ ନହୁଏ ସେଥିପାଇଁ ଗତ ମାର୍ଚ୍ଚ ୧୩ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ।

ଦେଶରେ ଏନ-୯୫ ମାସ୍କର ଅଧିକ ମୂଲ୍ୟରେ ବିକ୍ରି, ବେଆଇନ ମହଜୁଦ ଓ କଳାବଜାରୀ ସଂକ୍ରାନ୍ତରେ ଅଭିଯୋଗମାନ ହସ୍ତଗତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏନପିପିଏ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଔଷଧ ନିୟନ୍ତ୍ରକ ଓ ପ୍ରଶାସକମାନଙ୍କୁ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମିଳିଥିବା ସୂଚନା ଅନୁସାରେ କେତେକ ସ୍ଥାନରେ ଚଢାଉ କରାଯାଇ ବେଆଇନ ମହଜୁଦକାରୀ ଓ କଳାବଜାରୀରେ ସମ୍ପୃକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନ-୯୫ ମାସ୍କର ସରକାରୀ ଦର ସେଥିରେ ମୁଦ୍ରଣ କରିବା ପାଇଁ ବମ୍ବେ ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ମଧ୍ୟ ଦାଏର ହୋଇଛି । ଦେଶରେ ଏନ-୯୫ ମାସ୍କର ପର୍ଯ୍ୟାପ୍ତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ଅହରହ ଉଦ୍ୟମ କରୁଛନ୍ତି । ସେ ଦୃଷ୍ଟିରୁ ସରକାର ରପ୍ତାନିକାରୀ, ଉତ୍ପାଦନକାରୀ ଓ ବିତରକମାନଙ୍କ ପାଖରୁ ବ୍ୟବସାୟିକ ଦରରେ ସିଧାସଳଖ କିଣୁଛନ୍ତି । ଏନ-୯୫ ମାସ୍କର ମୂଲ୍ୟହ୍ରାସ ପାଇଁ ଏନପିପିଏ ହସ୍ତକ୍ଷେପ କରିବା ଫଳରେ ଦେଶରେ ଏହା ସୂଲଭ ମୂଲ୍ୟରେ ଉପଲବ୍ଧ ହେଉଛି । ଗତ ୨୧ତାରିଖ ଦିନ ଏନପିପିଏ, ଉତ୍ପାଦନକାରୀ, ରପ୍ତାନିକାରୀ ଓ ବିତରକମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରି ଏହାକୁ ସୁଲଭ ମୂଲ୍ୟରେ ବଜାରରେ ଉପଲବ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହାଛଡା ଏନପିପିଏ ବମ୍ବେ ହାଇକୋର୍ଟରେ ଏନ-୯୫ ମାସ୍କର ଚାହିଦା ଓ ଯୋଗାଣ ମଧ୍ୟରେ ଏକ ସମନ୍ଵୟ ରକ୍ଷା କରିବା ପାଇଁ ବିତରକ, ଉତ୍ପାଦନକାରୀ ଓ ରପ୍ତାନିକାରୀଙ୍କୁ ପରାମର୍ଶ ଦେବା ସହ ସ୍ଵେଚ୍ଛାକୃତ ଭାବେ ଦର ହ୍ରାସ କରିବା ପାଇଁ ପରାମର୍ଶ ଦେଇଥିବା ଜଣାଇଛି ।

ପ୍ରମୁଖ ଏନ-୯୫ ମାସ୍କ ଉତ୍ପାଦନକାରୀ ଓ ରପ୍ତାନିକାରୀଙ୍କୁ ମାର୍ଗଦର୍ଶିକା ଜାରି ପରେ ଏହାର ମୂଲ୍ୟ ଶତକଡା ୪୭ ଭାଗ ହ୍ରାସ ପାଇବା ସହ ଦେଶରେ ଏହା ସୁଲଭ ମୂଲ୍ୟରେ ମିଳିପାରୁଛି । ଜନସ୍ଵାର୍ଥ ଦୃଷ୍ଟିରୁ ଅନ୍ୟାନ୍ୟ ଉତ୍ପାଦନକାରୀ ଓ ରପ୍ତାନିକାରୀମାନେ ସରକାରଙ୍କ ପରାମର୍ଶ ମାନି ଏହାର ମୂଲ୍ୟ ହ୍ରାସ କରିବେ ବୋଲି ଆଶା କରାଯାଉଛି ।

Comments are closed.