କରୋନା କରୁଛି କଲବଲ: ବଢ଼ୁଛି ବଜାର ଦର, ଖାଉଟି ହନ୍ତସନ୍ତ, ଯୋଗାଣ ବିଭାଗ ନିଧଡ଼କ

ଭୁବନେଶ୍ବର:ଖାଉଟି ବଜାରରେ ଲାଗିଛି ନିଆଁ। ହୁ ହୁ ହୋଇ ବଢ଼ିଚାଲିଛି ପନିପରିବା ଆଉ ତେଜରାତି ସାମଗ୍ରୀ ଦର ।  ବଜାରରେ ବର୍ତ୍ତମାନ ଖାଇବା ତେଲ, ଡାଲି, ଚିନି ଓ ଅଟା ଦର ବଢ଼ି ଚାଲିଛି ।  ଯୋଗାଣ ବିଭାଗ ଏସବୁ ​ବେଆଇନ କାର୍ଯ୍ୟ ପ୍ରତି କୋହଳ ମନୋଭାବ ଆପଣାଇଛି । ଏ ସମସ୍ୟା ଦେଖିବାକୁ ଯୋଗାଣ ବିଭାଗରେ ବି କର୍ମଚାରୀ ନାହାନ୍ତି। ବିଭାଗର ମାର୍କେଟ୍‌ ଇଣ୍ଟେଲିଜେନ୍ସ ୟୁନିଟ୍‌ରେ ବହୁ ଅଧିକାରୀ ପଦ ଖାଲିପଡିବା ରାଜ୍ୟ​‌ରେ ଯୋଗାଣ ବିଭାଗର କାର୍ଯ୍ୟଶୈଳୀକୁ ପଦାରେ ପକାଇ​ଦେଇଛି ।


ବଜାରରେ ଖାଇବା ତେଲ ମୂଲ୍ୟ ୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ହରଡ ଡାଲି କିଲୋ ପିଛା ୮୪ରୁ-୯୦ ଟଙ୍କା ଏବଂ ବୁଟ ଡାଲି କିଲୋ ୫ଟଙ୍କା ବଢି ୬୫ରୁ ୭୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ସେହିଭଳି ମସୁର ଡାଲି କିଲୋ ପିଛା ୫ ଟଙ୍କା ବଢ଼ି ୭୫ ଟଙ୍କା ହୋଇଛି । ଏହାର ଫାଇଦା ନେଇ କେତେକ ବ୍ୟବସାୟୀ, କିଲୋ ପିଛା ୧୦ ଟଙ୍କା ବଢ଼ିଥିଲେ ଖାଉଟିଙ୍କଠାରୁ ୧୨-୧୫ ଟଙ୍କା ନେଉଛନ୍ତି । ସେହିଭଳି ଆଳୁ ଓ ପିଆଜ ଭଳି ପନିପରିବା କ୍ଷେତ୍ରରେ ସମାନ ସ୍ଥିତି । ଲକ୍‌ ଡାଉନ୍‌ର ଫାଇଦା ଉଠାଇ କିଛି ବ୍ୟବସାୟୀ ତେଲ ଏବଂ ଅଟା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ମନ ଇଚ୍ଛା ଦରରେ ବିକ୍ରି କରୁଛନ୍ତି । ଏହା ଉପରେ ଯୋଗାଣ ବିଭାଗର ସେଭଳି କୌଣସି କଟକଣା ରହୁନାହିଁ ।  ବିଭାଗରେ ବହୁ ଅଧିକାରୀଙ୍କ ପଦ ଖାଲି ପଡିଛି । ମାର୍କେଟ୍‌ ଇଣ୍ଟେଲିଜେନ୍ସ ଅଧିକାରୀ(ଏମ୍‌ଆଇଓ-ବିପଣୀ ଗୁପ୍ତବାର୍ତ୍ତା ଅଧିକାରୀ) ପଦରେ ୧୦ ଜଣଙ୍କ ସ୍ଥାନରେ ମାତ୍ର ୨ ଜଣ ଅଧିକାରୀଙ୍କୁ ନେଇ କାମ କରାଯାଉଛି । ଆଉ ୮ ଅଧିକାରୀ ପଦ ପ୍ରାୟ ୨୦୧୨-୧୩ଠାରୁ ଖାଲିପଡିଛି। ମାର୍କେଟ୍‌ ସୁପରଭାଇଜର (ଏମ୍‌ଆଇଏସ୍‌-ବିପଣୀ ଗୁପ୍ତବାର୍ତ୍ତା ପର୍ଯ୍ୟବେକ୍ଷକ) ପଦରେ ଜଣେ ହେଲେ ବି ଅଧିକାରୀ ନାହାନ୍ତି । ଦୀର୍ଘ ୭ରୁ ୮ବର୍ଷ ହେବ ଏହି ପଦ ଖାଲି। ସେହିଭଳି ମାର୍କେଟ୍‌ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର (ଏମ୍‌ଆଇଆଇ-ବିପଣୀ ଗୁପ୍ତବାର୍ତ୍ତା ନିରୀକ୍ଷକ) ପଦରେ ୩୪ ଜଣରୁ ମାତ୍ର ୨୧ ଜଣ ଅଧିକାରୀ ରହିଛନ୍ତି । ଏଥିରେ ମଧ୍ୟ ୧୩ ପଦ ଖାଲିପଡିଥିବା ସୂଚନା ମିଳିଛି । ଏପରି ସ୍ଥିତିରେ କିପରି ବଜାର ଦର ନିୟନ୍ତ୍ରଣ ହୋଇପାରିବ ତାହା ସ୍ବାଭାବିକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Comments are closed.