ଯୁଦ୍ଧ ନା ଶାନ୍ତି! କଣ କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ?

ସମାଜ ପୋର୍ଟାଲ ଡେସ୍କ: ସମ୍ପ୍ରତି ଆମେରିକା ଓ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ପରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ ଭବିଷ୍ୟତ କାର୍ଯ୍ୟପନ୍ଥା ଘୋଷଣା କରିପାରନ୍ତି। ଆମେରିକାର କ୍ଷେପଣାସ୍ତ୍ର ମାଡ଼ରେ ଇରାନୀ କମାଣ୍ଡର ସୋଲେମାନିର ମୃତ୍ୟୁ ହେବ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ସହ ଯେ କୌଣସି ସମୟରେ ଯୁଦ୍ଧ ହେବାର ସମ୍ଭାବନା ଦେଖା ଦେଇଛି। ଭାରତ ସମେତ ଅନେକ ଦେଶ ସଂଯମତା ଆଚରଣ ପାଇଁ ଉଭୟ ଦେଶକୁ ପରାମର୍ଶ ଦେଇଛନ୍ତି।

ପ୍ରତିଶୋଧ ପରାୟଣ ହୋଇ ଗତକାଲି ଇରାନ ପକ୍ଷରୁ ଇରାକରେ ଥିବା ଆମେରିକାର ଏୟାରବେସ ଉପରେ ଏକ ଡର୍ଜନରୁ ଅଧିକ କ୍ଷେପଣାସ୍ତ୍ର ମାଡ କରାଯାଇଛି। ଆମେରିକାର ଏୟାରବେସ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣରେ ୮୦ଜଣଙ୍କ ମୃତ୍ୟୁ ଘଟିଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ଆମେରିକା ଆକ୍ରମଣର କଡ଼ା ଜବାଦ ଦେଇ ଇରାନ ପ୍ରତିଆକ୍ରମଣ କରିଛି। ଇରାକରେ ଥିବା ଆମେରିକାର ୨ଟି ବାୟୁସେନା ଘାଟି ଉପରେ ଇରାନ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ୧୨ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଇରାକରେ ଥିବା ଅଲ-ଅସଦ ଏୟାରବେସରେ ଏହି ଆକ୍ରମଣ ହୋଇଛି। ପେଣ୍ଟାଗନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ତାର ଏୟାରବେସ ଉପରେ ପ୍ରାୟ ୧୨ରୁ ଅଧିକ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ଇରାକରେ ଥିବା ଅଲ-ଅସଦ ଏୟାରବେସରେ ଆମେରିକା ସେନା ସହିତ ଅନ୍ୟ ସମର୍ଥକ ସେନା ମୁତୟନ ରହିଥିଲେ।

ହ୍ୱାଇଟ ହାଉସରୁ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ ଦେଉଛନ୍ତି। ସେ କହିଛନ୍ତି ଯେ ଗତକାଲି ଇରାକରେ ଥିବା ଏୟାର ବେସ ଉପରେ ଇରାନ କରିଥିବା କ୍ଷେପଣାସ୍ତ୍ର ମାଡ଼ରେ କୌଣସି ଆମେରିକୀୟ ସେନାର ମୃତ୍ୟୁ ଘଟି ନାହିଁ କି ଇରାକର କୌଣସି ସେନା ପ୍ରାଣ ହରାଇ ନାହାନ୍ତି। ସେ କହିଛନ୍ତି, ମୁଁ ରାଷ୍ଟ୍ରପତି ଥିବା ପର୍ଯ୍ୟନ୍ତ ଇରାନକୁ ପରମାଣୁ ଅସ୍ତ୍ର ରଖିବାକୁ ଦିଆଯିବ ନାହିଁ। ସେ କହିଛନ୍ତି, ଇରାକରେ ଆମର ସବୁ ସୈନ୍ୟ ସୁରକ୍ଷିତ ଅଛନ୍ତି, କେବଳ କିଛି ସ୍ଥାନରେ ସାମାନ୍ୟ କ୍ଷତି ଘଟିଛି। ଇରାନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ଯାହା ସାରା ବିଶ୍ୱ ପାଇଁ ଏକ ଭଲ ବାର୍ତ୍ତା। ଆମେରିକା ସେନା ସବୁ ସମୟରେ ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛି କିନ୍ତୁ ଏବେ ସେ ସମୟ ଆସିନାହିଁ ତଥାପି ଆମେରିକା ସୁରକ୍ଷା ମୂଳକ ପଦକ୍ଷେପ ନେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ପ୍ରେସ ମିଟ (ଦେଖନ୍ତୁ ଭିଡିଓ) (ସୌଜନ୍ୟ – ନାଓ ଦିଶ)

ଟ୍ରମ୍ପ ନିଜ ସମ୍ବୋଧନ ସ୍ପଷ୍ଟ ଭାବେ କହିଛନ୍ତି, ଆମେରିକା ପାଖରେ ଅନେକ କ୍ଷମତାଶାଳୀ କ୍ଷେପଣାସ୍ତ୍ର ଅଛି କିନ୍ତୁ ଆମେରିକା ଶାନ୍ତି ଚାହେଁ। ସେ କହିଛନ୍ତି ଆମେ ଏବେ କ୍ଷେପଣାସ୍ତ୍ର ବ୍ୟବହାର କରିବୁ ନାହିଁ। ଟ୍ରମ୍ପ କହିଛନ୍ତି ଯେ ମୃତ ସୁଲେମାନି ଆମେରିକା ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା ତେଣୁ ଆମେ ତାର କାର୍ଯ୍ୟକଳାପ ବନ୍ଦ କଲୁ। ସେ କହିଛନ୍ତି ସମସ୍ତ ରାଷ୍ଟ୍ର ଏଭଳି ସମୟରେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ ଯାହା ଫଳରେ ଇରାନ ପକ୍ଷରୁ କାହା ପ୍ରତି ଭୟ ରହିବ ନାହିଁ ଓ ସାରା ବିଶ୍ୱ ଏକ ନିରାପଦ ସ୍ଥାନ ହୋଇପାରିବ। ସେ କହିଛନ୍ତି, ଆମେ ଏବେ ତୈଳ ଓ ପ୍ରାକୃତିକ ଗ୍ୟାସ ଉତ୍ପାଦନରେ ବିଶ୍ୱରେ ୧ ନମ୍ବର, ଆମେ ସ୍ୱାଧୀନ ଓ ଆମକୁ ସେମାନଙ୍କଠାରୁ ତୈଳ ଆବଶ୍ୟକ ନାହିଁ। ଉଦବୋଧନ ଦେବା ଅବସରରେ ଟ୍ରମ୍ପ ଆମେରିକା ସେନାକୁ ସାଲ୍ୟୁଟ କରିଥିଲେ। ସେ କହିଥିଲେ ୧୯୭୯ଠାରୁ ଆଜି ଯାଏଁ ଇରାନ ମଧ୍ୟ ପୂର୍ବ ଦେଶଗୁଡିକରେ ଧ୍ଵଂସ ଲୀଳା ସୃଷ୍ଟି କରିଛି ଓ ସାରା ବିଶ୍ୱରେ ଅସ୍ଥିରତାର ବାତାବରଣ ସୃଷ୍ଟି କରିଛି। କିନ୍ତୁ ସେ ସମୟ ଶେଷ ହୋଇଛି। ଇରାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଓ ସଭ୍ୟ ସମାଜ ପାଇଁ ଭୟ ସୃଷ୍ଟି କରୁଛି।

 

 

Comments are closed.