ସମ୍ଭାବ୍ୟ ବାତ୍ୟା ‘ୟାସ୍‍’ର ମୁକାବିଲା ପାଇଁ ସରକାର ପ୍ରସ୍ତୁତ : ଏସଆରସି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ୟାସ୍‍ ର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା କହିଛନ୍ତି। ବାତ୍ୟା ଆସିବା ପୂର୍ବରୁ ଆଶ୍ରୟ ସ୍ଥଳୀକୁ ଆସିବାକୁ ସମସ୍ତ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ଯୋଗେ ଅନୁରୋଧ କରାଯାଉଛି। ଆଶ୍ରୟ ସ୍ଥଳୀରେ ମାସ୍କ ଦେବା ସହ ଓ ରାପିଡ ରେସପନସ ଟିମ ପଠାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ରାଜ୍ୟର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଅଣା ଯାଇଛି। କୃଷକମାନେ ସେମାନଙ୍କ କୃଷି ଜାତ ଦ୍ରବ୍ୟକୁ ସୁରକ୍ଷିତ ସ୍ଥାନକୁ ନେବାକୁ କୁହାଯାଇଛି। ତୁରନ୍ତ ଜଳ ନିଷ୍କାସନ ପାଇଁ ଡ୍ରେନେଜ ସଫା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମିତ ଥିଲେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା ସୂଚନା ଦେଇିଛନ୍ତି।

୧୭ଟି ଏନଡ଼ିଆରଫ, ୨୦ଟି ଓଡ୍ରାଫ, ୧୫୦ଟି ଫାୟାର ଟିମକୁ ଆସନ୍ତା କାଲି ବିଭିନ୍ନ ଜିଲ୍ଲାକୁ ପଠାଯିବ ବୋଲି ସେ କହିଛନ୍ତି। ବାତ୍ୟା ପରେ ଗଛ କାଟିବା ଲାଗି ବନ ବିଭାଗକୁ ମଧ୍ୟ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ଲୋକଙ୍କୁ ସ୍ଥାନାନ୍ତରିତ, ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନଜିଓ ମାନଙ୍କ ସହଯୋଗ ଲୋଡ଼ା ଯାଇଛି। ଅକ୍ସିଜେନ ଉତ୍ପାଦନ ଓ ରିଫିଲିଂ ପାଇଁ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଅକ୍ସିଜେନ ଯୋଗାଉଥିବା ବିଭିନ୍ନ ସଂସ୍ଥା ମାନଙ୍କ ସହ ଆଲୋଚନା କରାଯାଇଛି। ସେଥିପାଇଁ ଶିଳ୍ପ ବିଭାଗ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି।

ଜିଲ୍ଲା କୋଭିଡ ଯତ୍ନ କେନ୍ଦ୍ର୍ର ଓ ଜିଲ୍ଲା କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ଏହା ବ୍ୟତୀତ ପାନୀୟ ଜଳ ଓ ଜେନେରେଟର ରଖିବା ପାଇଁ କୁହାଯାଇଛି। ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରସୂତି ମହିଳା ମାନେ ବାତ୍ୟା ଆଶ୍ରୟ ସ୍ଥଳକୁ ନଯାଇ ସିଧା ହସ୍ପିଟାଲ ଆସିବାକୁ କୁହାଯାଇଛି।

Comments are closed.