MEllora 950×100

ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ବୁଧବାର ରାଷ୍ଟ୍ରପତି ଭବନରେ ଏକ ଭବ୍ୟ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ ବର୍ଗର ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି। ଟେବୁଲ୍‌ ଟେନିସ୍‌ ତାରକା ଅଚନ୍ତ ଶରତ କମଲ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଗ୍ରହଣ କରିଛନ୍ତି। ଏହାସହ ୨୫ ଜଣ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ଦ୍ରୋଣାଚାର୍ଯ୍ୟ, ଧ୍ୟାନଚାନ୍ଦ, ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ଆଦି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
୪୦ ବର୍ଷ ବୟସ୍କ ଶରତ କମଲ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଛନ୍ତି। ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶରତ କମଲ ୩ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ସହ ୪ଟି ପଦକ ଜିତିଥିଲେ। ମାନିକା ବାତ୍ରାଙ୍କ ପରେ ୨ୟ ଟିଟି ଖେଳାଳି ଭାବେ ଶରତ ଖେଳରତ୍ନ ପୁରସ୍କାର ପାଇଛନ୍ତି। ଅର୍ଜୁନ ପୁରସ୍କାର ପାଇଥିବା କ୍ରୀଡ଼ାବିତ୍ ହେଲେ ସୀମା ପୁନିଆ, ଏଲ୍‌ଡୋଜ୍‌ ପଲ୍‌, ଅବିନାଶ ସାବ୍‌ଲେ (ଦୌଡ଼କୁଦ), ଲକ୍ଷ୍ୟ ସେନ୍, ଏଚ୍.ଏସ୍. ପ୍ରଣୟ (ବ୍ୟାଡ୍‌ମିଣ୍ଟନ), ଅମିତ ପାଙ୍ଘାଲ, ନିଖତ ଜରିନ୍ (ବକ୍ସିଂ), ଆର୍. ପ୍ରଜ୍ଞାନାନନ୍ଦ, ଭକ୍ତି କୁଲକର୍ଣ୍ଣୀ (​‌ଚେସ୍‌), ସୁଶୀଳା ଦେବୀ (ଜୁଡୋ), ସାକ୍ଷୀ କୁମାରୀ (କବାଡ଼ି), ନୟନମଣି ସାଇକିଆ (ଲନ୍‌ ବୋଲ୍‌), ସାଗର ଓଭାଲ୍‌କର (ମାଲଖମ୍ବ), ଏଲାଭେନିଲ୍‌ ଭାଲାରିଭାନ୍, ଓମ୍‌ପ୍ରକାଶ ମିତରୱାଲ (ସୁଟିଂ), ଶ୍ରୀଜା ଆକୁଲା (ଟିଟି), ବିକାଶ ଠାକୁର (ଭାରୋତ୍ତୋଳନ), ଅଂଶୁ ମଲ୍ଲିକ, ସରିତା ମୋର୍‌ (କୁସ୍ତି), ପରୱିନ (ଉସୁ), ମାନସୀ ଜୋଷୀ, ତରୁଣ ଧିଲୋଁ (ପାରା ବ୍ୟାଡ୍‌ମିଣ୍ଟନ), ସ୍ବପ୍ନିଲ ପାଟିଲ (ପାରା ସନ୍ତରଣ), ଜର୍ଲିନ୍ ଆନିକା (ଶ୍ରବଣବାଧିତ ବ୍ୟାଡ୍‌ମିଣ୍ଟନ)। ଦ୍ରେଓଡ଼ିଶାର କିଟ୍‌ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପାଇଛି। ଉତ୍ସବରେ ଅର୍ଜୁନ ପୁରସ୍କାର ପାଇବାକୁ ଥିବା ଓଡ଼ିଆ ମହିଳା ହକି ତାରକା ଦୀପ୍‌ଗ୍ରେସ୍‌ ଏକ୍କା ନେସନ୍ସ କପ୍‌ ଖେଳିବାକୁ ସ୍ପେନ୍‌ ଯାଇଥିବାରୁ ଅନୁପସ୍ଥିତ ଥିଲେ।

Comments are closed.