ସାବରମତି ଆଶ୍ରମରେ ରାଷ୍ଟ୍ରପତି

ଅହମ୍ମଦାବାଦ୍‌ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଗୁଜରାଟ ଗସ୍ତରେ ଯାଇ ମହାତ୍ମା ଗାନ୍ଧୀଙ୍କ ସାବରମତି ଆଶ୍ରମରେ ପହଞ୍ଚିଥିଲେ। ଆଶ୍ରମରେ ରାଷ୍ଟ୍ରପତି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ କିଛି ସମୟ ଚରଖା ଚଲାଇଥିଲେ। ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ସ୍ବାଧୀନତା ସଂଗ୍ରାମକୁ ନେଇ ଆଶ୍ରମ ମଧ୍ୟରେ ଅନୁଷ୍ଠିତ ଏକ ପ୍ରଦର୍ଶନୀକୁ ରାଷ୍ଟ୍ରପତି ବୁଲି ଦେଥିଲେ। ଆଶ୍ରମ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ଘରକୁ ରାଷ୍ଟ୍ରପତି ଯାଇଥିଲେ।
ଅତିଥି ପୁସ୍ତକରେ ରାଷ୍ଟ୍ରପତି ଲେଖିଥିଲେ ଆଶ୍ରମ ପରିଭ୍ରମଣ କରିବା ଫଳରେ ତାଙ୍କୁ ବହୁତ ଶାନ୍ତି ମିଳିଛି। ଏଠାରୁ ତାଙ୍କୁ ଆଗାମୀ ଦିନ ପାଇଁ ପ୍ରେରଣା ମିଳିଛି। ସାବରମତି ଆଶ୍ରମର ଉପଯୁକ୍ତ ଯତ୍ନ ଦେଉଥିବାରୁ ପରିଚାଳକଙ୍କୁ କୃତଜ୍ଞତା।
ସାବରମତି ଆଶ୍ରମ ଭାରତୀୟ ସ୍ବାଧୀନତା ସଂଗ୍ରାମର ବାର୍ତ୍ତାବହ ହୋଇଥିବାରୁ ଏଠାକୁ ଆସି ସେ ନିଜକୁ ଧନ୍ୟ ମନେ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ଅନେକ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Comments are closed.