ଆଠଗଡରେ ଅହିଂସା ରଥକୁ ସ୍ୱାଗତ ପାଇଁ ପ୍ରସ୍ତୁତି

ଆଠଗଡ :  ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ୧୦୦ବର୍ଷ ପୂର୍ତ୍ତି ଏବଂ ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟସରକାରଙ୍କ ପକ୍ଷରୁ ଅହିଂସା ରଥ ସମଗ୍ର ରାଜ୍ୟରେ ପରିକ୍ରମା କରୁଛି । ଅଗଷ୍ଟ ୧୫ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ରଥ ପରିକ୍ରମାର ଉଦ୍‍ଘାଟନ ହୋଇଥିବା ବେଳେ ଆସନ୍ତା ୨୯ତାରିଖରେ ଏହା ଆଠଗଡ ଅଞ୍ଚଳରେ ପରିକ୍ରମା କରିବ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଅହିଂସା ରଥକୁ ଧବଳେଶ୍ୱରଠାରେ ସ୍ୱାଗତ କରିବା ପରେ ଏହା ଧବଳେଶ୍ୱର, କଖଡି, ଘଣ୍ଟିଖାଲ, ମହାକାଳବସ୍ତ, ତଳଗଡ, ଡାଳଭାଗ ଦେଇ ଖୁଣ୍ଟୁଣୀରେ ପହଞ୍ଚିବ। ଖୁଣ୍ଟୁଣୀ ପଡିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ପରେ ଏହି ରଥ ଭୋଗରା, କୁଲାଇଲୋ, ଗୋପିନାଥପୁର, ଦୋରଡ ଦେଇ ଆଠଗଡ ସହରରେ ପହଞ୍ଚିବ। ଆଠଗଡ ଏନଏସି ପକ୍ଷରୁ ମହୋତ୍ସବ ପଡିଆରେ ଅହିଂସା ରଥକୁ ସ୍ୱାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ସେଠାରେ ସାଧାର ସଭା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଚଳଚିତ୍ର ପ୍ରଦର୍ଶନ କରାଯିବ। ପରେ ଅହିଂସା ରଥ ସେଠାରୁ ବାହାରି ଖୁଣ୍ଟକଟା, ନୂଆସଡକ, ପାଞ୍ଚଗାଁ ହୋଇ ତିଗିରିଆ ଗାନ୍ଧି ପଡିଆଠାରେ ପହଞ୍ଚିବା ପରେ ସେଠାରେ ମଧ୍ୟ ସାଧାରଣ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଚଳଚିତ୍ର ପ୍ରଦର୍ଶନ କରାଯିବ। ସେଠାରୁ ବିନ୍ଧାଣିମା, ଜେମାଦେଇପୁର, ନୂଆପାଟଣା, ଭୋଗଡା ବାଟ ଦେଇ ନରସିଂହପୁରରେ ପହଞ୍ଚି ରାତ୍ରିଯାପନ କରି ତା ପରଦିନ ନରସିଂହପୁର ଓ ବଡମ୍ବାରେ ପରିକ୍ରମା କରିବ ବୋଲି ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ଆୟୋଜିତ ପ୍ରସ୍ତୁତି ବୈଠକରେ ସୂଚନା ଦେଇଥିଲେ । ଏହି ବୈଠକରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଅଧ୍ୟକ୍ଷତା କରି ଅହିଂସା ରଥକୁ ସମ୍ମାନର ସହିତ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି ବୋଲି ପ୍ରକାଶ କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀଙ୍କୁ ସେମାନଙ୍କ ଉପରେ ନ୍ୟସ୍ତ ଦାୟିତ୍ୱ ସଠିକ୍‍ ନିର୍ବାହ କରିବା ଉପରେ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକର ଏନଏସି ନଗରପାଳ ସସ୍ମିତା ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ, ଏସଡିପିଓ ବିଜୟ କୁମାର ବିଶି, ତହସିଲଦାର ପ୍ରିୟବ୍ରତ ଦାସ, ତିଗିରିଆ ବିଡିଓ ପ୍ରଣବ କୁମାର ବେହେରା, ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.