ସରିଲା ନିର୍ବନ୍ଧ, କାଲି ଦେବ ବିବାହ

ପିପିଲି: ପିପିଲି କୋର୍ଟଛକସ୍ଥିତ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ପବିତ୍ର ଶୀତଳଷଷ୍ଠୀ ଯାତ୍ରା ତଥା ବିବାହ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଗୁରୁବାର ଠାକୁରଙ୍କ ନିର୍ବନ୍ଧ ଉତ୍ସବ ସମାରୋହରେ ସଂପନ୍ନ ହୋଇଛି। ସକାଳେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରରେ ସମସ୍ତ ରିତୀନିତୀ ଅନୁଯାଇ ପୂଜାର୍ଚନା କରାଯାଇଥିଲା। ଶ୍ରୀବାଲୁଙ୍କେଶ୍ୱର ଦେବ ବିବାହ ଉତ୍ସବ କମିଟିର ସଦସ୍ୟମାନେ ଏକ ଶୋଭାଯାତ୍ରାରେ କନ୍ୟାପିତା ରାଜକିଶୋର ସାହୁ ଓ ବରପିତା ଅର୍ଜ୍ଜୁନ ଘଡେଇଙ୍କୁ ପାରମ୍ପରିକ ନିମନ୍ତ୍ରଣ କରିବା ପାଇଁ ଉଭୟଙ୍କ ବାସଭବନକୁ ଯାଇଥିଲେ। ଘଣ୍ଟ ଘଣ୍ଟା, କାହାଳି, ମୃଦଙ୍ଗ ଓ ଢୋଲ ବାଦ୍ୟରେ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପରେ ମନ୍ଦିରରୁ ଶୋଭାଯାତ୍ରାରେ ଉଭୟ କନ୍ୟାପକ୍ଷ ଓ ବରପକ୍ଷ ଖଣ୍ଡିଆଗିରୀର ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବଙ୍କ ମନ୍ଦିରକୁ ଆସିଥିଲେ। ସେଠାରେ ଖଣ୍ଡିଆଗିରୀ ଗ୍ରାମବାସୀ, ହୁଙ୍କେଶ୍ୱର ଦେବ ଯୁବ ପରିଷଦ ଓ ପିପିଲି ମହୋତ୍ସବ କମିଟିର କର୍ମକର୍ତ୍ତା ମାନେ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ନିର୍ବନ୍ଧ କାର୍ଯ୍ୟ ବର ପିତାମାତା ଓ କନ୍ୟା ପିତାମାତାଙ୍କ ଉପସ୍ଥିତିରେ ବିଧି ମୁତାବକ ସଂପନ୍ନ ହୋଇଥିଲା।

ଶୁକ୍ରବାର ସଂନ୍ଧ୍ୟାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଓ ଦେବୀ ପାର୍ବତୀଙ୍କ ମଧ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ପ୍ରାତଃ ସାଢେ ୬ଟାରେ ମଙ୍ଗଳ ଆଳତି, ଅବକାଶ ଓ କୋଠଭୋଗ, ୭ଟାରୁ ସାଢେ ୯ଟା ପର୍ଯ୍ୟନ୍ତ ଶାହାଣମେଲା, ୧୦ଟାରେ ଠାକୁର ଠାକୁରାଣୀଙ୍କ ମହାସ୍ନାନ, ସାଢେ ୧୦ଟାରେ ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସାଢେ ୧୧ଟାରେ ଦିଅଁମଙ୍ଗୁଳା, ସାଢେ ୧୨ରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହେବ। ଦିନ ୧୨ଟାରେ ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବଙ୍କ ମନ୍ଦିରରୁ ଏକ ଶୋଭାଯାତ୍ରାରେ ଖଣ୍ଡିଆଗିରୀ ଗ୍ରାମବାସୀମାନେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କୁ ପାରମ୍ପରିକ ନିମନ୍ତ୍ରଣ କରିବାକୁ ଆସିବେ। ଅପରାହ୍ନ ସାଢେ ୪ଟାରେ ଶ୍ରୀବାଲୁଙ୍କେଶ୍ୱର ଦେବ ଖଣ୍ଡିଆଗିରୀର ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବଙ୍କ ପୀଠକୁ ଗମନ କରିବେ। ସେଠାରେ ସମସ୍ତ ରିତୀନିତୀ ଅନୁଯାଇ ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବ ଓ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ମଧ୍ୟରେ ଭେଟଭାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ସାଢେ ୫ଟା ସମୟରେ ଶ୍ରୀବାଲୁଙ୍କେଶ୍ୱର ଦେବ ବରଯାତ୍ରୀଦଳ ସହ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ସେଠାରେ ବାଟବରଣ, ବିବାହ ଓ ପାଣିଗ୍ରହଣ ଅନୁଷ୍ଠିତ ହେବ।

Comments are closed.