ଅଲିମ୍ପିକ୍‌ସ ନିମନ୍ତେ ପ୍ରସ୍ତୁତିରେ ବ୍ୟସ୍ତ ମୈରାଜ, ଶିବପାଲ୍‌

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କରୋନା ଭାଇରସ୍‌ ସଂକ୍ରମଣ ଆତଙ୍କ ସୃଷ୍ଟି କରିଥିବା ବେଳେ ଜାପାନର ଟୋକିଓ ସହରରେ ଅଲିମ୍ପିକ୍‌ସ ଆୟୋଜିତ ହୋଇପାରିବ କି ନାହିଁ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଅଲିମ୍ପିକ୍‌ସ ଉପରେ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ସୁଟର ମୈରାଜ ଅହମ୍ମଦ ଖାନ୍‌ ଓ ଜାଭେଲିନ୍‌ ଫିଙ୍ଗାଳି ଶିବପାଲ୍‌ ସିଂହ ଟୋକିଓ ଅଲିମ୍ପିକ୍‌ସରେ ଭଲ ପ୍ରଦର୍ଶନ କରିବାକୁ ଜୋରଦାର୍‌ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଜାପାନରେ କରୋନା ଭାଇରସ୍‌ରେ ପାଖାପାଖି ୧୫୦୦ ଲୋକ ଆକ୍ରାନ୍ତ ହୋଇଛନ୍ତି। ସମଗ୍ର ବିଶ୍ବରେ ଦେଢ଼ଲକ୍ଷରୁ ଅଧିକ ଲୋକ ଏହି ଭାଇରସ୍‌ରେ ସଂକ୍ରମିତ ହୋଇଥିବା ବେଳେ ପାଖାପାଖି ୬ ହଜାର ଲୋକଙ୍କ ପ୍ରାଣହାନି ଘଟିଛି।

ନିଜ ପ୍ରତିକ୍ରିୟାରେ ମୈରାଜ କହିଛନ୍ତି ବର୍ତ୍ତମାନ ଯଦି ଅଲିମ୍ପିକ୍‌ସ ଆୟୋଜିତ ହେବ, ତେବେ କରୋନା ସଂକ୍ରମଣ ଭୟ ସତ୍ତ୍ବେ ଅଲିମ୍ପିକ୍‌ସରେ ଭାଗ ନେବେ। ଅଲିମ୍ପିକ୍‌ସରେ ପଦକ ଜିତିବା ତାଙ୍କର ଲକ୍ଷ୍ୟ। ଏଥିପାଇଁ ଯେକୌଣସି ପଦକ୍ଷେପ ଉଠାଇବାକୁ ସେ ପ୍ରସ୍ତୁତ। ଅଲିମ୍ପିକ୍‌ସ କ୍ରୀଡ଼ା ପ୍ରତିଯୋଗିତା ଫାଙ୍କା ଷ୍ଟାଡ଼ିୟମରେ ଆୟୋଜନ ପାଇଁ କେତେକ ମହଲରୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଏହାକୁ ନେଇ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ମୈରାଜ୍‌ ସ୍ପଷ୍ଟ କରି ଦେଇଛନ୍ତି।

ଅନ୍ୟପକ୍ଷରେ ଶିବପାଲ୍‌ ସିଂହ କହିଛନ୍ତି ଅଲିମ୍ପିକ୍‌ସ କ୍ରୀଡ଼ା ନିର୍ଦ୍ଧାରିତ ସମୟରେ ଆୟୋଜିତ ହୋଇପାରିବ ବୋଲି ଆଶା ରହିଛି। ଏଥିପାଇଁ ସେ ବର୍ତ୍ତମାନ କଠୋର ଅଭ୍ୟାସ କରୁଛନ୍ତି। ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ପ୍ରସ୍ତୁତ ରହିବାକୁ ସେ ଅନ୍ୟ ଆଥଲେଟ୍‌ମାନଙ୍କୁ ପରାମର୍ଶ ଦେବା ସହ ଅଲିମ୍ପିକ୍‌ସ ଆୟୋଜିତ ହେଲେ ପରିସ୍ଥିତି ଯାହା ଥାଉ ନା କାହିଁକି ସେ ଜାପାନ ଯିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ବିଶ୍ବର ସବୁଠାରୁ ସମ୍ମାନଜକ ଓ ବୃହତ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ସବୁ ଆଥଲେଟ୍‌ଙ୍କ ସ୍ବପ୍ନ ଥାଏ। ତାଙ୍କ ନିକଟରେ ଏହି ସୁଯୋଗ ଥିବାରୁ ଏହାକୁ ହାତଛଡ଼ା କରିବାକୁ ଆଦୌ ଚାହାନ୍ତି ନାହିଁ ବୋଲି ଶିବପାଲ୍‌ କହିଛନ୍ତି।

Comments are closed.