ସୁରକ୍ଷିତ ପରିବେଶ ମଧ୍ୟରେ ଅଲିମ୍ପିକ୍‌ସ ପ୍ରସ୍ତୁତି ଚଳାଇଛି ଭାରତୀୟ ହକି ଦଳ

ବେଙ୍ଗାଲୁରୁ : ବିଶ୍ବରେ ମହାମାରୀର ରୂପ ନେଇଥିବା କରୋନା ଭାଇରସ୍ ପାଇଁ ଟୋକିଓ ଅଲିମ୍ପିକ୍‌ସ ନିର୍ଦ୍ଧାରିତ ସମୟରେ ଆୟୋଜନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲେ ମଧ୍ୟ ଭାରତୀୟ ହକି ଦଳ ସୁରକ୍ଷିତ ପରିବେଶ ମଧ୍ୟରେ ଅଲିମ୍ପିକ୍‌ସ ପ୍ରସ୍ତୁତିକୁ ଜାରି ରଖିଛି। ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ) ସେଣ୍ଟର ପରିସରରେ ଆଇସୋଲେସନରେ ରହି ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଟୋକିଓ ଅଲିମ୍ପିକ୍‌ସ ଲାଗି ପ୍ରସ୍ତୁତି ଚଳାଇଛି। ଭାରତୀୟ ଖେଳାଳିମାନେ ଏଠାରେ ଅଭ୍ୟାସ କରୁଥିବାରୁ ସାଇ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷିତ ପରିବେଶ ପ୍ରସ୍ତୁୂତି କରାଯାଇଛି। ଏଥିସହ ସେଣ୍ଟର ପରିସରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। କରୋନା ଭାଇରସ ଆମର ଅଭ୍ୟାସ ସେସନକୁ ପ୍ରଭାବିତ କରିପାରିବ ନାହିଁ। ଆମେ ନିୟମିତ ଅନ୍ତରରେ ହାତ ଧୋଉଛୁ ଏବଂ ଖେଳାଳିମାନଙ୍କ ତାପମାତ୍ରାକୁ ମଧ୍ୟ ଚେକ୍‌ କରାଯାଉଛି। ଆମେ ଏକ ସୁରକ୍ଷିତ ପରିବେଶରେ ଅଭ୍ୟାସ କରୁଛୁ ବୋଲି ସାଇ ପକ୍ଷରୁ କୁହାଯାଇଛି। ସାଇ ଓ ଆମ ପ୍ରଶିକ୍ଷକଙ୍କ କଠିନ ପରିଶ୍ରମ ପାଇଁ ଆମେ ଅଲିମ୍ପିକ୍‌ସ ପ୍ରସ୍ତୁତି କରୁଛୁ ବୋଲି ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ୍‌ ସିଂହ କହିଛନ୍ତି। ଏକ ସୁରକ୍ଷିତ ପରିବେଶ ମଧ୍ୟରେ ଅଭ୍ୟାସ କରିବାର ସୁଯୋଗ ପାଇଥିବାରୁ ମହିଳା ଦଳର ଅଧିନାୟିକା ରାଣୀ ରାମପାଲ ନିଜକୁ ଭାଗ୍ୟବାନ ବୋଲି ମଣିଛନ୍ତି। ସାଇ ଶିବିରରେ ଏଭଳି ସୁଯୋଗ ପାଇବା ନେଇ ଆମେ ବହୁତ ଖୁସି।ଏଠାରେ ରହିଥିବା ଖେଳାଳିମାନେ କଠିନ ପରିଶ୍ରମ କରୁଛନ୍ତି। ଆମ ସ୍ବାସ୍ଥ୍ୟକୁ ପ୍ରତିଦିନ ଯାଞ୍ଚ କରାଯାଉଛି। ଆବଶ୍ୟକୀୟ ସାବଧାନତା ଅବଲମ୍ବନ କରୁଛୁ। ଟୋକିଓ ଅଲିମ୍ପିକ୍‌ସରେ କିଭଳି ଭଲ ପ୍ରଦର୍ଶନ କରିପାରିବୁ ତାହା ହିଁ ଆମର ପ୍ରଥମ ଲକ୍ଷ୍ୟ ରହିଛି। ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଛୁ ବୋଲି ରାଣୀ କହିଛନ୍ତି। ମହାମାରୀ କରୋନା ବିଶ୍ବରେ ଆତଙ୍କ ଖେଳାଇ ଚାଲିଥିବାବେଳେ ଅଲିମ୍ପିକ୍‌ସ ନିର୍ଦ୍ଧାରିତ ସମୟରେ ହେବା ନେଇ ଆଶଙ୍କା ରହିଛି। କିନ୍ତୁ ଉକ୍ତ ଆଶଙ୍କାକୁ ଆମେ ନଦେଖି ନିଜକୁ ପ୍ରସ୍ତୁତି ଉପରେ ଜୋର ଦେଉଛୁ। ଏକ ସୁସ୍ଥ ପରିବେଶ ମଧ୍ୟରେ ନିଜକୁ ସଚେତନ ଭାବେ ପ୍ରସ୍ତୁତି ଚଳାଇଛୁ ବୋଲି ମନ୍‌ପ୍ରୀତ୍ କହିଛନ୍ତି। ସୂଚନାଯୋଗ୍ୟ ଟୋକିଓ ଅଲିମ୍ପିକ୍‌ସରେ ଭାରତୀୟ ପୁରୁଷ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଓ ମହିଳା ଦଳ ନେଦରଲାଣ୍ଡସ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବେ। ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ୍‌ ରିଡ୍‌ ଓ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏଡ୍‌ ମାରିଏନୋ ମଧ୍ୟ ସୁରକ୍ଷତି ସ୍ଥାନରେ ଅଲିମ୍ପିକ୍‌ସ ଶିବିର ଆୟୋଜନକୁ ନେଇ ସନ୍ତୋଷବ୍ୟକ୍ତ କରିଛନ୍ତି।

Comments are closed.