ଭୋଟ ଗଣତି ପାଇଁ ପ୍ରସ୍ତୁତି : ୬୩ଟି କେନ୍ଦ୍ରରେ ହେବ ଭୋଟ ଗଣନା

ଭୁବନେଶ୍ୱର : ଆସନ୍ତା ୨୩ରେ ପ୍ରକାଶ ପାଇବ ବହୁ ପ୍ରତୀକ୍ଷିତ ସାଧାରଣ ନିର୍ବାଚନ ଫଳାଫଳ । ଏହି ଦିନ ଭୋଟ ଗଣତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତି ସରିଛି । ୬୩ଟି କେନ୍ଦ୍ରରେ ସକାଳ ୮ଟା ସମୟରେ ଭୋଟ ଗଣତି ଆରମ୍ଭ ହେବ ।  ୭ଟି ଟେବୁଲ୍‌ରେ ଭୋଟ ଗଣତି ହେବ। ୧୦ଟି ଟେବୁଲ୍‌ରେ ଭୋଟ ଗଣତି ପାଇଁ ପ୍ରସ୍ତାବ ରହିଥିଲା। ତେବେ ଗଣତି କେନ୍ଦ୍ରରେ ସ୍ଥାନାଭାବ ଯୋଗୁଁ ଏହାକୁ ୭ରେ ସୀମିତ ରଖାଯାଇଛି ।
ସେହିପରି ପ୍ରତ୍ୟେକ କେନ୍ଦ୍ରରେ ୯ ଜଣ ଗଣତି ଏଜେଣ୍ଟ ରହିବେ। ଜଣେ ଏଜେଣ୍ଟ କେନ୍ଦ୍ରୀୟ ଟେବୁଲ୍‌ରେ ଏବଂ ପୋଷ୍ଟାଲ ବାଲଟ ଗଣତି ପାଇଁ ଜଣେ ଲେଖାଏଁ ଏଜେଣ୍ଟ ରହିବେ।
ପୋଷ୍ଟାଲ ବାଲଟ୍ ଗଣତି ପାଇଁ ସର୍ବାଧିକ ସମୟସୀମା ୩୦ ମିନିଟ୍ ରହିଛି। ସେହିପରି ପ୍ରତ୍ୟେକ ରାଉଣ୍ଡ ଗଣତି ପାଇଁ ୨୦ ମିନିଟ୍ ଧାର୍ଯ୍ୟ କରାଯାଇଛି।

ଅନୁଗୋଳ ଜିଲ୍ଲାରେ ସର୍ବାଧିକ ୫ଟି, ସୁନ୍ଦରଗଡ଼, ମୟୁରଭଞ୍ଜ, ଓ ଗଞ୍ଜାମ ଜିଲ୍ଲାରେ ୪ଟି ଲେଖାଁଏ ଭୋଟଗଣନା କେନ୍ଦ୍ର ସ୍ଥାପନ କରାଯାଇଛି। ଭୁବନେଶ୍ୱର ବିଜେପି ସ୍ବୟଂଶାସିତ ମହାବିଦ୍ୟାଳୟରେ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର-ଉତ୍ତର, ଏକାମ୍ର-ଭୁବନେଶ୍ୱର ଏବଂ ଜଟଣୀ ବିଧାନସଭା ଆସନର  ଭୋଟ ଗଣନା କରାଯିବ। ସେହିପରି କଟକ ଭୁବନାନନ୍ଦ ଇଂଜିନୟରିଂ ସ୍କୁଲରେ କଟକର ୬ଟି ବିଧାନସଭା ଆସନର ଭୋଟ ଗରନା କରାଯିବା ନେଇ ବନ୍ଦେବସ୍ତ କରାଯାଇଛି।

ଭୋଟ୍‍ଗଣତି ସଂପର୍କୀତ ଫଳାଫଳ ଜାଣିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକଙ୍କ ଜାଣିବା ପାଇଁ ସିଇଓ ଅଫିସ ପରିସରରେ ସ୍ୱତନ୍ତ୍ର ଭାବେ ପ୍ଲାଇଉଡ୍‍ ନିର୍ମିତ ଅସ୍ଥାୟୀ କୋଠରୀ କରାଯାଇଛି। ସେଠାରେ ଏଲ୍‍ଇଡି ଟିଭି ଲଗାଯଯିବା ସହ ଭୋଟଗଣତିର ଟିକିନିଖି ଖବର ପ୍ରଦର୍ଶନ କରାଯିବ। ଏହାସହିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ସମୟ ସମୟରେ ଗଣମାଧ୍ୟମ ଆଗରେ ଭୋଟ୍‍ଗଣତି ଓ ଫଳାଫଳ ନେଇ ତଥ୍ୟ ରଖିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି।

Comments are closed.