ଶ୍ରମିକ ଟ୍ରେନରେ ମହିଳାଙ୍କ ପ୍ରସବ ; ସହାୟତାର ହାତ ବଢାଇଲା ରେଲବାଇ

ଟିଟିଲାଗଡ଼ :  ତେଲଙ୍ଗାନାର ଲିଙ୍ଗମପାଲିରୁ ଶୁକ୍ରବାର ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଜଣେ ମହିଳା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଆଲୋଚନାର ବିଷୟ ପାଲଟିଛି। ଆସନ୍ନ ପ୍ରସବା ଟ୍ରେନରେ ଯାତ୍ରା କରୁଥିବା ବେଳେ ତାଙ୍କୁ କୌଣସି ଡାକ୍ତରୀ ସହାୟତା ମିଳିପାରିନଥିଲା। ଆଜି ଟ୍ରେନଟି ଟିଟିଲାଗଡ ଷ୍ଟେସନରେ ପହଞ୍ଚିବାରୁ ପରିବାର ଲୋକେ ତଥା ସହଯାତ୍ରୀ ସହାୟତା ପାଇଁ ଘଟଣା ସମ୍ପର୍କରେ ଉପସ୍ଥିତ ଆରପିଏଫଙ୍କୁ ଜଣାଇଥିଲେ। ଏନେଇ ଆରପିଏଫ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ। ସୁଚନା ପାଇଁ ରେଲବାଇ ଡାକ୍ତର ରଘୁନାଥ ପଣ୍ଡା, ଆରପିଏଫ ପୋଷ୍ଟ କମାଣ୍ଡର ଏମଏସ କୁମାୱତ, ଷ୍ଟେସନ ମାଷ୍ଟର ତୁରନ୍ତ ସହାୟତା ପାଇଁ ପହଞ୍ଚିଥିଲେ। ଡା. ପଣ୍ଡା ଏବଂ ଆରପିଏଫ ଜବାନ ପିପିଇ କିଟ ପରିଧାନ ସହ ଟ୍ରେନକୁ ଚଢି ଚିକିତ୍ସା ଆରମ୍ଭ କରିଥିଲେ। ଉଭୟ ମହିଳା ଏବଂ ନବଜାତ ଶିଶୁର ସ୍ୱାସ୍ଥ୍ୟ ପରିକ୍ଷା ସହ ଉଭୟଙ୍କୁ ୧୦୨ ଆମ୍ବୁଲାନ୍ସ ଯୋଗେ ରେଲବାଇ ଡାକ୍ତରଖାନାରେ ଭର୍ତି କରାଯାଇଛି। ମହିଳା ଜଣଙ୍କ ବଲାଙ୍ଗିର ଜିଲା ବେଲପଡା ବ୍ଲକ ଅନ୍ତର୍ଗତ ଟୁଡିବାହାଲ ଗ୍ରାମର ପିଣ୍ଡୁର ଛୁରାଙ୍କ ପତ୍ନୀ ମୀନା କୁମାରି ବୋଲି ଆରପିଏଫ ପୋଷ୍ଟ କମାଣ୍ଡର ଶ୍ରୀ କୁମାୱତ କହିଛନ୍ତି।

ତେଲଙ୍ଗାନାରେ ଇଟାଭାଟିରେ ମହିଳା ଜଣକ ସ୍ୱାମୀ ତଥା ଅନ୍ୟ ପରିବାର ଲୋକଙ୍କ ସହ କାର୍ଯ୍ୟ କରୁଥିବା ବେଳେ ଲକଡାଉନ ନେଇ କର୍ମହରା ହୋଇ ଆଜି ଘରକୁ ଫେରୁଥିଲେ। ଘଟଣାସ୍ଥଳରେ ଜିଆରପି ସବଇନ୍ସପେକ୍ଟର ସି ତିର୍କି, ଆରପିଏଫ ଏଏସଆଇ ପିସି ପଟ୍ଟନାୟକ, କନଷ୍ଟେବଲ ସୁବାଶ ନାୟକ, ପ୍ରଦୀପ କୁମାର, ଏସ ପୁଟେଲ, ଶୁକଦେବ ବରିହା, ରେଳବାଇ ସ୍ୱାସ୍ଥ୍ୟ ନୀରିକ୍ଷକ ଏସ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ପୁର୍ବରୁ ମଧ୍ୟ ଟିଟିଲାଗଡ ରେଳ ଷ୍ଟେସନରେ ଜଣେ ମହିଳାଙ୍କ ପ୍ରସବ ନେଇ ଆରପିଏଫ ତଥା ରେଲବାଇ ଡାକ୍ତର ଶ୍ରୀ ପଣ୍ଡା ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଶେଷ କରି ଆସନ୍ନ ପ୍ରସବା ମହିଳା, ଛୋଟ ଶିଶୁ ଶ୍ରମିକ ଯାତ୍ରା କରୁଥିବା ନେଇ ଟ୍ରେନରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ଅନ୍ୟପକ୍ଷରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମିତ ଶିଶୁଙ୍କ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସହାୟତା ଘୋଷଣା କରାଯାଇଛି। ନବଜାତ ଶିଶୁଙ୍କୁ ଦିଆଯିବ ଉପହାର କୁପନ ଓ ଅର୍ଥ ରାଶି। ଓଡ଼ିଶାରେ ଶ୍ରମିକ ସ୍ପେଶାଲ ଟ୍ରେନରେ ଏଯାଏ ୩ ଜଣ ଶିଶୁ ଜନ୍ମ ନେଲେଣି। ୩ ଜଣ ଯାକ ଶିଶୁ ବଲାଙ୍ଗିର ଜିଲ୍ଲାର ବୋଲି ଜଣାପଡିଛି।

Comments are closed.