ଜାମ୍ମୁ-କାଶ୍ମୀରରେ ପୁନର୍କ୍ଷମ ହେଲା ପ୍ରି-ପେଡ୍‍ ମୋବାଇଲ୍‍ ସେବା

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ଶନିବାର ପ୍ରି-ପେଡ୍‍ ମୋବାଇଲ୍‍ ସେବା ପୁନର୍କ୍ଷମ ହୋଇଥିବା ବେଳେ ଉପତ୍ୟକାର ଦୁଇଟି ଜିଲ୍ଲାରେ ଟୁ-ଜି ସେବା ଉପଲବ୍ଧ ହୋଇଛି । କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ମୁଖପାତ୍ର ରୋହିତ କଂସଲ୍‍ କହିଛନ୍ତି, ଆଜି ଜମ୍ମୁ-କାଶ୍ମୀରେ ପ୍ରି-ପେଡ୍‍ ମୋବାଇଲ୍‍ ସେବା ଉପଲବ୍ଧ ହୋଇଛି। ସେଠାରେ ଗତବର୍ଷ ଅଗଷ୍ଟ ମାସଠାରୁ ମୋବାଇଲ୍‍ ସେବା ବନ୍ଦ୍‍ ରହିଥିଲା । ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରି-ପେଡ୍‍ ମୋବାଇଲରେ ଭଏସ୍‍ କଲ୍‍ ଓ ଏସ୍‍ଏମ୍‍ଏସ୍‍ ସୁବିଧା ଉପଲବ୍ଧ ହୋଇଛି । ଏହି ମୋବାଇଲ୍‍ ଫୋନ୍‍ଗୁଡ଼ିକର ସିମ୍‍ କାର୍ଡ଼ରେ ଇଣ୍ଟରନେଟ୍‍ ସୁବିଧା ଦେବାପାଇଁ ମୋବାଇଲ୍‍ ଫୋନ୍‍ ସେବା ପ୍ରଦାନକାରୀ କମ୍ପାନୀମାନଙ୍କୁ ଗ୍ରାହକମାନଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟର ଯାଞ୍ଚ୍‍ କରିବାକୁ ପଡ଼ିବ ।

ଜମ୍ମୁ ଅଞ୍ଚଳର ସମସ୍ତ ୧୦ଟି ଯାକ ଜିଲ୍ଲା ଓ କାଶ୍ମିରର କୁପ୍‍ୱାଡ଼ା ଓ ବାନ୍ଦିପୋରାରେ ଫିକ୍ସଡ୍‍ ଲାଇନ୍‍ ଇଣ୍ଟରନେଟ୍‍ ସଂଯୋଗ ଯୋଗାଇ ଦେବାକୁ ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀମାନଙ୍କୁ କୁହାଯାଇଛି। ଗତବର୍ଷ ଅଗଷ୍ଟ ୫ ତାରିଖଠାରୁ ସମଗ୍ର ଜମ୍ମୁ-କାଶ୍ମୀରରେ ଟେଲି ଯୋଗାଯୋଗ ସେବା ବନ୍ଦ୍‍ ରଖାଯାଇଥିଲା । ତାହା ପୂର୍ବରୁ ସେଠାରୁ ଧାରା ୩୭୦ର ଉଚ୍ଛେଦ କରାଯାଇ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା।

Comments are closed.