ସିୱାଇଏସଡି ପକ୍ଷରୁ ପ୍ରାକ୍‍-ବଜେଟ ଆଲୋଚନା : ସର୍ବନିମ୍ନ ମଜୁରି-ମନରେଗା ମଜୁରିରେ ସମାନତା ରହୁ

କରୋନା ମହାମାରୀକୁ ଦୃଷ୍ଟିରେ ରଖି ବଜେଟ୍‌ ପ୍ରସ୍ତୁତ ହେଉ

ଭୁବନେଶ୍ବର : କରୋନା କାଳରେ ଦୋହଲି ଯାଇଛି ଜୀବନ ଓ ଅର୍ଥନୀତି। କରୋନା ମହାମାରୀ ଓ ପରବର୍ତ୍ତୀ ଦୃଶ୍ୟପଟ୍ଟକୁ ଦୃଷ୍ଟିରେ ରଖି ବଜେଟ୍‌ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ସିୱାଇଏସଡି ଓଡ଼ିଶା ବଜେଟ ଆକାଉଣ୍ଟେବିଲିଟି ସେଣ୍ଟର (ଓବାକ) ପକ୍ଷରୁ ଆୟୋଜିତ ପ୍ରାକ ବଜେଟ ଆଭାସି ସମ୍ମିଳନୀରେ ମତ ପ୍ରକାଶ ପାଇଛି। କରୋନାରେ ଶ୍ରମିକ, ମହିଳା, ଆଦିବାସୀ ମାତ୍ରାଧିକ ପ୍ରଭାବିତ ହୋଇଛନ୍ତି। ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଏହାର ନକାରାତ୍ମକ ପ୍ରଭାବ ରହିବ। ସାଧାରଣ ଜନତାଙ୍କ ଜୀବନ, ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା ଆଦି ବିଭିନ୍ନ ପ୍ରସଙ୍ଗକୁ ଦୃଷ୍ଟି ଦେଇ ବଜେଟରେ ଆବଶ୍ୟକ ଅର୍ଥର ପ୍ରାବଧାନ ରଖିବାକୁ ଅତିଥି ମତପୋଷଣ କରିଥିଲେ। ଜନସ୍ବାସ୍ଥ୍ୟ କ୍ଷେତ୍ରରେ ବଜେଟ୍‌ରେ ଅଧିକ ଗୁରୁତ୍ଵ ଦେବା ସହ ମାଗଣା ପରୀକ୍ଷା, ମାଗଣା ଔଷଧ ଭଳି ସୁବିଧା ଗୋଟିଏ ଛାତ ତଳେ ଯୋଗାଇ ଦେବାର ବ୍ୟବସ୍ଥା କରିବା, ବାହ୍ୟମଳମୁକ୍ତ ସମ୍ବନ୍ଧରେ ସଚେତନତା ଆଦି ଦିଗ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ରାଜ୍ୟରେ କରୋନା ଯୋଗୁଁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିଗିଡ଼ିଥିବାବେଳେ ଆଗାମୀ ଦିନରେ ଶିକ୍ଷା ଭିତ୍ତିଭୂମିର ବିକାଶ, ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ଫେରାଇ ଆଣିବା, ଆଦିବାସୀ ଅଞ୍ଚଳରେ ମାତୃଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନ ଆବଶ୍ୟକତା ରହିଛି ବୋଲି ଆଲୋଚକ ମତ ଦେଇଥିଲେ।
ସିୱାଇଏସଡି ପ୍ରତିଷ୍ଠାତା ସଦସ୍ୟ ଜଗଦାନନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ସୁଧାକର ପଣ୍ଡା, ଉତ୍କଳ ବିଶ୍ୱବିଦ୍ୟାଳୟ ସାମାଜିକ ବିଜ୍ଞାନ ବିଭାଗର ପ୍ରଫେସର ଡକ୍ଟର ନବନୀତା ରଥ ନାଇଜରର ପ୍ରାଧ୍ୟାପକ ଡ.ଅମରେନ୍ଦ୍ର ଦାଶ, ରାଜ୍ୟ ଅର୍ଥ ବିଭାଗର ଯୁଗ୍ମ ସଚିବ ଡ.ସତ୍ୟପ୍ରିୟ ରଥ, ଅର୍ଥନୀତିଜ୍ଞ ଡ.ପ୍ରଭାସ ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପାରମ୍ପରିକ ଏବଂ ପ୍ରାକୃତିକ କୃଷିକୁ ଲକ୍ଷ୍ୟ ଭାବେ ନେଇ ବଜେଟରେ ଅର୍ଥ ବରାଦ ସାଙ୍ଗକୁ ଅମଳ ପରବର୍ତ୍ତୀ ଭିତ୍ତିଭୂମି, ପଞ୍ଚାୟତ ସ୍ତରରେ ଶସ୍ୟଭଣ୍ଡାର ଓ ପ୍ରକ୍ରିୟାକରଣ ୟୁନିଟ ପାଇଁ ଅଧିକ ଖର୍ଚ୍ଚ କରାଯିବାର ଆବଶ୍ୟକତା ଥିବା ବକ୍ତାମାନେ ଦର୍ଶାଇଥିଲେ। ରାଜ୍ୟ ସରକାରଙ୍କ ସ୍ଥିରୀକୃତ ସର୍ବନିମ୍ନ ମଜୁରୀ ହାର ଓ ମନରେଗା ମଜୁରୀ ହାର ମଧ୍ୟରେ ସମାନତା ପାଇଁ ବଜେଟରେ ବ୍ୟୟ ବରାଦ ରଖିବାକୁ ମତପ୍ରକାଶ ପାଇଥିଲା। ମୁଖ୍ୟତଃ କରୋନା ଯୋଗୁଁ ବାହାରୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ମନରେଗା ମଜୁରୀ ଆକୃଷ୍ଟ କରିପାରୁନି। ଅନ୍ୟ କେତେକ ରାଜ୍ୟ ମନେରାଗ ମଜୁରୀ ବଢାଇଥିବାରୁ ଓଡ଼ିଶା ସରକାର ମଧ୍ୟ ସମାନ ପନ୍ଥା ଆପଣାଇବା ସହ କୃଷି ଫାର୍ମ ଓ ଉତ୍ପାଦକ ଦଳର ସାମର୍ଥ୍ୟ ବୃଦ୍ଧି ପାଇଁ ମନରେଗା ପାଣ୍ଠିରେ ବ୍ୟବସ୍ଥା କରାଗଲେ ଗ୍ରାମୀଣ ଭିତ୍ତିଭୂମିରେ ସୁଧାର ଅଣାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ରଖିଥିଲେ। କରୋନା ମୁକାବିଲା ଲାଗି ରାଜ୍ୟ ସରକାର ସ୍ଥିତି ସୁଧାର ପାଇଁ ଏକ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରିବାକୁ ଅତିଥି ପରାମର୍ଶ ଦେଇଥିଲେ। ଆଗାମୀ ବଜେଟରେ ଚାଷୀ, ଶ୍ରମିକ ନିର୍ମାଣ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷାକୁ ସାର୍ବଜନୀନ କରାଯିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଗବେଷକ ମତ ଦେଇଥିଲେ। ସିୱାଇଏସଡି ପକ୍ଷରୁ ନବନୀତା ଓ ଉପାଲି ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Comments are closed.