କାର୍ଯ୍ୟକାରୀ ହେଉ ପ୍ରଗତିଶୀଳ ପ୍ରବାସୀ ଶ୍ରମିକ ନୀତି

-ମୁଖ୍ୟମନ୍ତ୍ରୀଙ୍କୁ ନାଗରିକ ସମାଜ ପକ୍ଷରୁ ଚିଠାପ୍ରସ୍ତାବ ଦେଲେ ଜଗଦାନନ୍ଦ
-ଶ୍ରମିକଙ୍କୁ ଲୋଡ଼ା ସରକାରୀ ସହାୟତା
-୧୯୭୯ ନୀତିରେ ସଂଶୋଧନ ଅଣାଯାଉ
-ଘରେ ଓ କାର୍ଯ୍ୟସ୍ଥଳୀରେ ସୁରକ୍ଷା ନିଶ୍ଚିତ କରାଯାଉ
-ଶ୍ରମିକଙ୍କ ପଞ୍ଜୀକରଣ ସହ ଦକ୍ଷତା ଆଧାରରେ ନିଯୁକ୍ତି ଦିଆଯାଉ

ଭୁବନେଶ୍ବର : ରାଜ୍ୟ ପ୍ରବାସୀ ଶ୍ରମିକ ନୀତିରେ ସଂଶୋଧନ ଅଣାଯାଇ ଏହାକୁ ନୂଆ ରୂପ ଦିଆଯାଉ। ରାଜ୍ୟର ଦେଶାନ୍ତର(ମାଇଗ୍ରେସନ) ପ୍ରବଣ ଜିଲାଗୁଡ଼ିକରେ ପ୍ରବାସୀ ଶ୍ରମିକ ସହାୟତା ଓ ସମ୍ବଳ କେନ୍ଦ୍ର(ଏମଏସଆରସି) ପ୍ରତିଷ୍ଠା ଏବଂ ପ୍ରାକ ଅଭିଜ୍ଞତା ଆଧାରରେ ଦକ୍ଷତା ପ୍ରମାଣପତ୍ର କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଉ। ଏଥିସହିତ ଆନ୍ତଃ-ରାଜ୍ୟ ପ୍ରବାସୀ ଶ୍ରମିକ ଆଇନ ୧୯୭୯ରେ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଉ। ଏହି ମର୍ମରେ ଶିକ୍ଷାନବିଶ, ସରକାରୀ ଅଧିକାରୀ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ କାର୍ଯ୍ୟ କରୁଥିବା ନାଗରିକ ସମାଜ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ବାସ୍ତବ ସମସ୍ୟାର ଅନୁଧ୍ୟାନ ଆଧାରରେ ପ୍ରସ୍ତୁତ ଏକ ଚିଠା ପ୍ରସ୍ତାବକୁ ସିୱାଇଏସଡ଼ିର ସହ ପ୍ରତିଷ୍ଠାତା ଜଗଦାନନ୍ଦ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ନାଗରିକ ସମାଜ ଦ୍ବାରା ପ୍ରବାସୀ ଶ୍ରମିକଙ୍କ ସ୍ବାର୍ଥର ସୁରକ୍ଷା ନିମନ୍ତେ ଓଡ଼ିଶା ସରକାର ଏକ ପ୍ରଗତିଶୀଳ ରାଜ୍ୟ ପ୍ରବାସୀ ନୀତି କାର୍ଯ୍ୟକାରୀ କରିବାକୁ ଏଥିରେ ପ୍ରସ୍ତାବ ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଚିଠାପ୍ରସ୍ତାବରେ ସେ ଉଲ୍ଲେଖ କରିଛନ୍ତି ଯେ କୋଭିଡ଼ ୧୯ ପ୍ରବାସୀ ଶ୍ରମିକଙ୍କ ପ୍ରକୃତ ସମସ୍ୟା ଲୋକଲୋଚନକୁ ଆଣିଛି। ପ୍ରତିଟି ସମସ୍ୟା ଆଉ ଏକ ସୁଯୋଗ ପାଇଁ ପଥ ପରିଷ୍କାର କରିଥାଏ। ତେଣୁ ଏଭଳି ସମୟରେ ପ୍ରବାସୀଙ୍କ ଉନ୍ନତି ନିମନ୍ତେ ସରକାର ଏକ ଆଧୁନିକ ଗଠନମୂଳକ ନୀତି କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ନୂତନ ନୀତିରେ ଶ୍ରମିକଙ୍କ ରହିବା ପାଇଁ ଗୃହ ଆବଶ୍ୟକତା, ପ୍ରବାସୀ ଶ୍ରମିକଙ୍କ ପାଇଁ ଓଡ଼ିଆ ଭାଷାରେ ଶିକ୍ଷାଦାନ, ସେଲଟର ହୋମ, ମହିଳାଙ୍କ ପାଇଁ କ୍ରେଚେସ ଓ ଡ଼ିସପେନସରୀ ପ୍ରତିଷ୍ଠା ଆଦି ପ୍ରସଙ୍ଗରେ ଡେଷ୍ଟିନେସନ ରାଜ୍ୟଗୁଡ଼ିକ ସହିତ ଆଲୋଚନା କରିବା ଆଦି ପ୍ରସଙ୍ଗ ସ୍ଥାନ ପାଇଛି। ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ ୧୯୭୯ର ସଂଶୋଧନ ଏବଂ ଶ୍ରମିକଙ୍କ ପଞ୍ଜୀକରଣର ବ୍ୟବସ୍ଥା କରାଯିବା ସହିତ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହିତ ବିଚାରବିମର୍ଶ ପାଇଁ ଅନୁରୋଧ କରାଯାଇଛି। ଆବଶ୍ୟକ ପଡ଼ିଲେ ତୃଣମୂଳ ସ୍ତରର ବାସ୍ତବ ତଥ୍ୟ ଓ ମତାମତ ଯୋଗାଇବା ପାଇଁ ନାଗରିକ ସମାଜ ପ୍ରସ୍ତୁତ ଥିବା ସେ କହିଛନ୍ତି। ଏ ଦିଗରେ ମୁଖ୍ୟମନ୍ତ୍ରୀ ସକାରାତ୍ମକ ପଦ​‌େ​‌କ୍ଷପ ନେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ନାଗରିକ ସମାଜ ପକ୍ଷରୁ ପ୍ରସ୍ତୁତ ଅନୁଧ୍ୟାନ ରିପୋର୍ଟରେ କୁହାଯାଇଛି ଯେ କୋଭିଡ଼ ସଂକ୍ରମଣର ୩ମାସ ଭିତରେ ଆନୁମାନିକ ପ୍ରାୟ ୨ କୋଟି ବହୁସଂଖ୍ୟକ ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରିଲେଣି। ଲକ୍‍ଡାଉନ୍‍ କୋହଳ ଓ ଅର୍ଥନୈତିକ କାର୍ଯ୍ୟ ତ୍ବରାନ୍ବିତ ହେବା ପରେ ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ ଓ ଗୁଜରାଟ ଭଳି ରାଜ୍ୟ ଅଧିକ ପାରିଶ୍ରମିକ ଦେବାର ପ୍ରତିଶ୍ରୁତି ଦେଇ ଶ୍ରମିକଙ୍କୁ ଫେରିଆସିବାକୁ ନିବେଦନ କରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ମୂଳସ୍ଥାନ ଏବଂ କାର୍ଯ୍ୟସ୍ଥଳୀ ଉଭୟ କ୍ଷେତ୍ରରେ ପ୍ରମୁଖ ରାଜ୍ୟଗୁଡ଼ିକ ଶ୍ରମିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଉପଯୁକ୍ତ ନୀତି ପ୍ରସ୍ତୁତ କରିବା ଜରୁରୀ। ଲକ୍ଷ୍ୟସ୍ଥଳ ରାଜ୍ୟ ମଧ୍ୟରୁ ଅଧିକାଂଶ ଦେଶର ଦକ୍ଷିଣ ଓ ପଶ୍ଚିମ ଭାଗରେ ଅବସ୍ଥିତ ଥିବାରୁ ଉଭୟ ମୂଳ ଓ ଲକ୍ଷ୍ୟସ୍ଥଳ ରାଜ୍ୟଗୁଡ଼ିକ ପାରସ୍ପରିକ ଉତ୍ତରଦାୟିତ୍ୱ ଭିତ୍ତିରେ ତୁରନ୍ତ ଏକ ଆନୁଷ୍ଠାନିକ ରାଜିନାମାକୁ ଚୂଡ଼ାନ୍ତ ରୂପ ଦେବାକୁ ନାଗରିକ ସମାଜ ପ୍ରସ୍ତାବ ଦେଇଛି। ଏହାଦ୍ବାରା ପ୍ରବାସୀ ଶ୍ରମିକଙ୍କୁ ଠିକାଦାର ଓ ନିଯୁକ୍ତିଦାତାଙ୍କ ତଥାକଥିତ ଶୋଷଣରୁ ରକ୍ଷା କରାଯାଇପାରିବ। ଲକ୍‍ଡାଉନ୍‍ ସମୟରେ ତୃଣମୂଳ ସ୍ତରର ଅଭିଜ୍ଞତାରୁ ମୌଳିକ ସୁବିଧାସୁଯୋଗ ଓ ସାମାଜିକ ସୁରକ୍ଷା ସଂକ୍ରାନ୍ତ କେତେକ ସମସ୍ୟା ସାମ୍ନାକୁ ଆସିଛି। ଘରୋଇ ଶ୍ରମିକ, ଶିଳ୍ପ ଶ୍ରମିକ, ବୁଲା ବିକାଳି ଏଭଳି ପ୍ରବାସୀ ଶ୍ରମିକମାନେ ଭିନ୍ନ ଭିନ୍ନ ବୃତ୍ତି ଆପଣାଇଥାନ୍ତି ଓ ସେମାନଙ୍କ ପରିଚୟ ଭିନ୍ନ ହୋଇଥାଏ। ସେମାନେ ବିଭିନ୍ନ ଆଇନ ଦ୍ୱାରା ପରିଚାଳିତ ହୋଇଥାନ୍ତି ଓ କେତେକଙ୍କୁ କୌଣସି ଆଇନ ଶ୍ରମିକ ବୋଲି ଗ୍ରହଣ କରେନାହିଁ। ସାମାଜିକ ସୁରକ୍ଷା ସୁବିଧା, ରିଆତି ରେସନ ଯୋଗାଣ, ମା’ମାନଙ୍କର ସ୍ୱାସ୍ଥ୍ୟ ସୁବିଧା, ବିଦ୍ୟାଳୟ ଶିକ୍ଷା ଓ ମୌଳିକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା କ୍ଷେତ୍ରରେ ସମସ୍ୟା ଦେଖାଦିଏ। ପ୍ରବାସୀ ଶ୍ରମିକମାନେ ଭୌଗୋଳିକ ଭାବେ କୃଷି କ୍ଷେତ୍ର, ଇଟା ଭାଟି ଓ ଘରୋଇ ଶ୍ରମିକ ଭାବେ ବିଛାଡ଼ି ହୋଇ ରହୁଥିବାରୁ ଏସବୁ ମୌଳିକ ସେବାରୁ ବଞ୍ଚିତ ହେଉଛନ୍ତି।
ଏଭଳି ଶ୍ରମିକଙ୍କ ରହିବା ପାଇଁ ଭଲ ବ୍ୟବସ୍ଥା, ଉପଯୁକ୍ତ ସ୍ୱାସ୍ଥ୍ୟ ସେବା, ପରିବାର ସହ ଯୋଗାଯୋଗ ଓ ଘରକୁ ଫେରିବା ଲାଗି ମାଗଣା ପରିବହନ ସୁବିଧା ସୁନିଶ୍ଚିତ କରିବା ପାଇଁ ଝାଡ଼ଖଣ୍ଡ ସରକାର ନିକଟରେ ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ଅଧୀନସ୍ଥ ସୀମା ସଡ଼କ ସଂସ୍ଥା (ବିଆର୍‍ଓ) ସହିତ ଏକ ରାଜିନାମା କରିଛନ୍ତି। ଏଭଳି ଏକ ରାଜିନାମାର ପ୍ରମୁଖ ବ୍ୟବସ୍ଥାଗୁଡ଼ିକ ଉପରେ ଧ୍ୟାନ ଦେଇ ନାଗରିକ ସମାଜ କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାରଙ୍କ ନିକଟକୁ ଏକ ଚିଠା ନୀତି ସୁପାରିସ କରିଛି। ପ୍ରବାସୀ ଶ୍ରମିକଙ୍କ ବାସସ୍ଥାନ, ଗ୍ରାମପଞ୍ଚାୟତ ଓ ନଗରପାଳିକା ଜରିଆରେ ସେମାନଙ୍କ ପଞ୍ଜୀକରଣ ଜରୁରୀ ଆବଶ୍ୟକତା। ଏହି ପଂଜୀକରଣକୁ ଏକ ସାଧାରଣ ଡିଜିଟାଲ୍‍ ପ୍ଲାଟ୍‍ଫର୍ମକୁ ଅଣାଯାଇପାରିବ ଏବଂ ସେମାନଙ୍କୁ ସମସ୍ତ ପରିଚୟ (ଆଧାର, ରାସନ କାର୍ଡ ଓ ଭୋଟର ପରିଚୟପତ୍ର), ଆର୍ଥିକ ଅନ୍ତର୍ଭୁକ୍ତିକରଣ (ଜନ ଧନ ଯୋଜନା) ଓ ସାମାଜିକ ସୁରକ୍ଷା ଯୋଜନା (ରିଆତି ଖାଦ୍ୟ ସାମଗ୍ରୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆର୍‍ବିଏସ୍‍ୱାଇ ସ୍ୱାସ୍ଥ୍ୟ ଯୋଜନା ଇତ୍ୟାଦି)ରେ ସାମିଲ କରାଯାଇପାରିବ। ଅର୍ଥନୀତିର ପୁନରୁଦ୍ଧାର ପାଇଁ ଦେଶରେ ଲକ୍ଷ ଲକ୍ଷ ଶ୍ରମିକଙ୍କ ଆବଶ୍ୟକତା ରହିଛି, କିନ୍ତୁ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଉଥିବା ପୁରୁଷ ଓ ମହିଳା ଶ୍ରମିକମାନଙ୍କୁ ଯେପରି ସମ୍ମାନର ସହ ଗ୍ରହଣ କରାଯିବ ତାହା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଓ ସବୁ ରାଜ୍ୟ ସରକାର ଆନୁଷ୍ଠାନିକ ରାଜିନାମାରେ ସ୍ୱାକ୍ଷର କରିବା ଆବଶ୍ୟକ ବୋଲି ପ୍ରସ୍ତାବ ଦିଆଯାଇଛି।
ଜଗଦାନନ୍ଦଙ୍କ ‌ସହିତ ଏଡ଼ଏଟ ଆକ୍ସନ(ସାଉଥ ଏସିଆ) ଭୁବନେଶ୍ବର ନିର୍ଦେଶକ ଉମି ଡାନିଏଲ, ପିଆରଆଇଏ ପ୍ରତିଷ୍ଠାତା ନିର୍ଦେଶକ ଡ.ରାଜେଶ ଟଣ୍ଡନ, ‘ସମର୍ଥନ’ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ.ଯୋଗେଶ କୁମାର, ‘ଉନ୍ନତି’ ନିର୍ଦେଶକ ବିନୟ ଆଚାର୍ଯ୍ୟ, ପ୍ରଫେସର ଅମିତାଭ କୁଣ୍ଡୁ, ପ୍ରଫେସର ରବି ଶ୍ରୀବାସ୍ତବ, ଅଶୋକ ସିଂହ, ବହୁ ବି​‌େ​‌ଶଷଜ୍ଞ ଓ ସଙ୍ଗଠନ ମୁଖ୍ୟଙ୍କ ସହଯୋଗରେ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ଏହାର ସମାଧାନ ସଂକ୍ରାନ୍ତ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇଛି।

Comments are closed.