ହୋଟେଲ ଶିଳ୍ପ ପ୍ରତି ଆଗ୍ରହୀ ଥିଲେ ପ୍ରଭାସ

ବ୍ଲକ୍‌ବଷ୍ଟର୍‌ ହିଟ୍ ‘ବାହୁବଳୀ’ ଚଳଚ୍ଚିତ୍ର ମୁକ୍ତିଲାଭ ପରେ ପ୍ରଭାସ ବଲିଉଡ ଠାରୁ ହଲିଉଡ଼ ପର୍ଯ୍ୟନ୍ତ ଚର୍ଚ୍ଚାରେ ଅଛନ୍ତି। ୪୧ ବର୍ଷୀୟ ପ୍ରଭାସ ୨୦୦୨ରେ ‘ଈଶ୍ବର’ ଚଳଚ୍ଚିତ୍ରରେ କ୍ୟାରିୟର ଆରମ୍ଭ କରିଥିଲେ। ଲମ୍ବା ସଂଘର୍ଷ ପରେ ସଫଳତା ପାଇଥିବା ପ୍ରଭାସ କିନ୍ତୁ ସିନେଜଗତରେ କ୍ୟାରିୟର ପାଇଁ ଏତେଟା ଆଗ୍ରହୀ ନଥିଲେ। ବାପା-ମା’ଙ୍କର ସାନ ପୁଅ ଓ ପରିବାରର ଏଇ ଗେହ୍ଲା ପୁଅର ଲକ୍ଷ୍ୟ ଥିଲା ହୋଟେଲ କିମ୍ବା ରେସ୍ତୋରାଁ ବ୍ୟବସାୟରେ ପ୍ରବେଶ କରିବା ନିମନ୍ତେ, ହେଲେ ବିଧିର ବିଧାନ ବୋଧହୁଏ ତାଙ୍କ ଭାଗ୍ୟରେ ବାହୁବଳୀର ସଫଳତା ଲେଖିଥିଲା। ଏକ ସାକ୍ଷାତକାର୍‌୍ରେ ଏକଥା ପ୍ରଭାସ କହିଥିଲେ, ତାଙ୍କ ମା’ ମଧ୍ୟ ଚାହୁଁଥିଲେ ପୁଅ ତାଙ୍କର ହୋଟେଲ ଶିଳ୍ପରେ ପ୍ରବେଶ କରୁ। ହେଲେ ସେପରି କିଛି ହୋଇପାରିନଥିଲା। ତେବେ ଏଇ ହୋଟେଲ ବ୍ୟବସାୟ କରିବା ପଛର କାରଣ ମଧ୍ୟ ସେ କହିଥିଲେ। ଖାଦ୍ୟ ପ୍ରିୟ ପ୍ରଭାସ ବିରିୟାନୀ, ବଟର୍ ଚିକେନ୍ ଖାଇବାକୁ ଖୁବ୍ ଭଲପାନ୍ତି। ଏହି ଖାଦ୍ୟ ଲୋଭ ପାଇଁ ହିଁ କଲେଜରେ ପଢ଼ୁଥିବା ସମୟରେ ପ୍ରଭାସ ଯୋଜନା କରିଥିଲେ, ଭବିଷ୍ୟତରେ ହୋଟେଲ ଶିଳ୍ପରେ କ୍ୟାରିୟର ଗଢ଼ିବେ। ଆଜିର ସମୟରେ ପ୍ରଭାସ ବିଦେଶ ସୁଟିଂକୁ ଯିବା ପୂର୍ବରୁ ପ୍ରଥମେ ଇଣ୍ଟରନେଟ୍‌ରେ ଖୋଜିବସନ୍ତି ଯେ ସେଇ ସ୍ଥାନରେ ଭାରତୀୟ ରେସ୍ତୋରାଁ ଅଛି କି ନାହିଁ? ଦେଶୀ ଖାଦ୍ୟ ନଥିଲେ ପ୍ରଭାସ କାମ କରିବା ମୁସ୍କିଲ୍। ତାଙ୍କର ଏଇ ଦୁର୍ବଳତା ୟୁନିଟ୍ ଦଳ ଭଲଭାବେ ଜାଣନ୍ତି। ସେଥିପାଇଁ ପ୍ରଭାସଙ୍କ ଇଚ୍ଛାକୁ ସେମାନେ ଗୁରୁତ୍ବ ଦେବାରେ ଆଦୌ ହେଳା କରୁନଥିବାର ପ୍ରକାଶ।

Comments are closed.