ରେଡ୍ କାର୍ପେଟରେ ‘ପ୍ରତୀକ୍ଷା’ ଟିମ୍‌; ବାସ୍‌ ଆଉ କିଛି ସମୟକୁ ଅପେକ୍ଷା..

ଡେସ୍କ: ଆଉ ମାତ୍ର କିଛି ସମୟର ଅପେକ୍ଷା, ତା’ପରେ ଗୋଆର ରାଜଧାନୀ ପଣଜୀର ଆଇନକ୍ସରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ଏଥି ପୂର୍ବରୁ ସନ୍ଧ୍ୟା ୫ଟା ବେଳେ ‘ପ୍ରତୀକ୍ଷା’ ଟିମ୍ ରେଡ୍ କାର୍ପେଟରେ ଚାଲିବା ସହ ମିଡିଆକୁ ଚଳଚ୍ଚିତ୍ର ସମ୍ପର୍କରେ ସୂଚନା ଦେଇଥିଲେ। ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ମଙ୍ଗଳବାର ରାତି ୮. ୪୫ ମିନିଟରେ ୫୩ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ(ଆଇଏଫଏଫଆଇ)ରେ ପ୍ରଦର୍ଶିତ ହେବ। ଏଠାରେ ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୦ରୁ ୨୮ ମଧ୍ୟରେ ଆୟୋଜିତ ହେଉଥିବା ୫୩ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ପାନୋରାମା ବିଭାଗରେ ୨୫ଟି ଭାରତୀୟ ଭାଷାର ୩୫୪ଟି ଚଳଚ୍ଚିତ୍ର ମଧ୍ୟରୁ ‘ପ୍ରତୀକ୍ଷା’ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି।

ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରଟି ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ଵପ୍ନ ଓ ନୈରାଶ୍ୟର କାହାଣୀ ଉପରେ ଆଧାରିତ। ରୋ଼ଶନ୍ ବିଶୋଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଦାୟିତ୍ଵ ନିର୍ବାହ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଦ୍ଵୀପନ୍ୱିତ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋ଼ଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ କଳାକାର ଅଭିନୟ କରିଛନ୍ତି।

Comments are closed.