ଆତ୍ମନିର୍ଭର ଭାରତରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ: ପ୍ରତାପ ଷଡଙ୍ଗୀ

ବ୍ରହ୍ମପୁରରେ ଉଦ୍‌ଘାଟିତ ହେଲା ସିଟିଟିସି ସଂପ୍ରସାରଣ କେନ୍ଦ୍ର

ବ୍ରହ୍ମପୁର : ଭାରତରେ ଅନେକ ଛୋଟଛୋଟ ଶିଳ୍ପ ସଂସ୍ଥା ଥିଲେ ମଧ୍ୟ ବିଭିନ୍ନ ପ୍ରକାର ଉପକରଣ ପାଇଁ ବିଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଇଠି ସାନିଟାଇଜର୍‌ ବୋତଲ୍‌ ତିଆରି ହେଉଥିବା ବେଳେ ଏହାର ଠିପି ଚାଇନାରୁ ଆମଦାନୀ ହେଉଛି । ଏପରିକି ଦେବାଦେବୀଙ୍କ ପାଖରେ ଜଳୁଥିବା ଧୂପକାଠୀ ମଧ୍ୟ ଭିଏତନାମରୁ ଆସୁଛି । ଏଣୁ ଭାରତକୁ ଆତ୍ମନିର୍ଭର କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଛନ୍ତି । ନିଜ ଦେଶର ଶିଳ୍ପସଂସ୍ଥାଗୁଡ଼ିକ ଉତ୍ପାଦନ ବଢ଼ାଇବା ଏବେ ମୁଖ୍ୟ ଲକ୍ଷ୍ୟ । ଛୋଟଛୋଟ ଶିଳ୍ପସଂସ୍ଥାଗୁଡ଼ିକୁ ଆତ୍ମ ନିର୍ଭର କରାଇବାକୁ ଗୁରୁତ୍ବ ଦିଆଯାଉଛି । ବ୍ରହ୍ମପୁରରେ ଉଦ୍‌ଘାଟିତ ହୋଇଥିବା ସେଣ୍ଟ୍ରାଲ୍‌ ଟୁଲ୍‌ରୁମ୍‌ ଆଣ୍ଡ ଟ୍ରେନିଂ ସେଣ୍ଟର୍‌( ସିଟିଟିସି)ର ସଂପ୍ରସାରଣ କେନ୍ଦ୍ର ଆତ୍ମନିର୍ଭର ଭାରତ ଗଠନ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ବୋଲି କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟେଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି।
ବ୍ରହ୍ମପୁରଠାରେ ଶନିବାର ଅପରାହ୍ନରେ ସିଟିଟିସି ସଂପ୍ରସାରଣ କେନ୍ଦ୍ରର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କହିଥିଲେ ଯେ, ଏଠାରେ ବେକାର ଯୁବକ ଯୁବତୀମାନେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ସଂପର୍କରେ ତାଲିମ୍‌ ନେଇପାରିବେ । କ୍ଷୁଦ୍ର ଶିଳ୍ପଗୁଡ଼ିକ ନିଜ ସଂସ୍ଥା ପାଇଁ ଆବଶ୍ୟକ ପଡ଼ୁଥିବା ବିଭିନ୍ନ ଉପକରଣ ଏବଂ ଯନ୍ତ୍ରପାତି ମଧ୍ୟ ଏହି କେନ୍ଦ୍ରରେ ପ୍ରସ୍ତୁତ କରିପାରିବେ । କେନ୍ଦ୍ର ସରକାରଙ୍କ ସହଯୋଗରେ ଖୁବ୍‌ ଅଳ୍ପ ଟଙ୍କା ଦେୟରେ ଏସବୁ ସୁବିଧା ମିଳିବ। ସ୍ଥାନୀୟ ଅଞ୍ଚଳର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ଏହି ସଂପ୍ରସାରଣ କେନ୍ଦ୍ର ବେଶ୍‌ ସହାୟକ ହେବ । ୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ରର ଲାଭ ସମସ୍ତେ ନେବାକୁ ସେ ଆହ୍ବାନ ଦେଇଥିଲେ । ରାଜ୍ୟରେ ବର୍ତ୍ତମାନ କେବଳ ଭୁବନେଶ୍ବର ଠାରେ ଗୋଟିଏ ସିଟିଟିସି ରହିଛି । ଆଗାମୀ ଦିନରେ ରାଉରକେଲା ଠାରେ ଆଉ ଏକ ସିଟିଟିସି ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖାଯାଇଛି । ବ୍ରହ୍ମପୁର ଭଳି ରାଜ୍ୟର ୪ଟି ସ୍ଥାନରେ ସଂପ୍ରସାରଣ କେନ୍ଦ୍ର ଖୋଲାଯିବ ବୋଲି ମନ୍ତ୍ରୀ ଷଡ଼ଙ୍ଗୀ କହିଥିଲେ । ବରିଷ୍ଠ ପରିଚାଳକ ଡ. ଏସ୍‌କେ କର ନିଜ ବକ୍ତବ୍ୟରେ କହିଥିଲେ ଯେ, ସିଟିଟିସିର ହବ୍‌ ଆଣ୍ଡ ସ୍ପୋକ୍‌ ମଡେଲ ଅନୁଯାୟୀ ସଂପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏଥିପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ଜମି ଏବଂ କୋଠା ଯୋଗାଇ ଦିଆଯାଇଛି। ଏଠାରେ ଇଣ୍ଡଷ୍ଟ୍ରି ଅଟୋମେସନ୍‌, ପ୍ରୋସେସ୍୍‌ ଅଟୋମେସନ୍‌, ଇଞ୍ଜିନିୟରିଂ ଆଣ୍ଡ ଡିଜାଇନିଂ, ମେସନ୍‌ ମ୍ୟାଣ୍ଟେନେନ୍ସ ତାଲିମ୍‌ ପ୍ରଦାନ କରାଯିବ । ସେହିଭଳି ସ୍ଥାନୀୟ ଶିଳ୍ପ ସଂସ୍ଥାଗୁଡ଼ିକର ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ ପରାମର୍ଶ, ସେମାନଙ୍କ କର୍ମଚାରୀଙ୍କ ଅତ୍ୟାଧୁନିକ ଜ୍ଞାନକୌଶଳ ତାଲିମ୍‌ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଜେନେରାଲ୍‌ ମ୍ୟାନେଜର୍‌ ଏଲ୍‌. ରାଜ୍‌ଶେଖର ସମେତ ବହୁ ବିଭାଗୀୟ ଅଧିକାରୀ ଉତ୍ସବରେ ଉପସ୍ଥିତ ଥିଲେ । ଏସ୍‌କେ ରାଉତ ଧନ୍ୟବାଦ ଦେଇଥିଲେ ।

Comments are closed.