୧୫୦ ଦିନରେ ପ୍ରତାପଙ୍କ କରୋନା ସେବା

ଜନ୍ମାଷ୍ଟମୀରେ ଅସହାୟଙ୍କୁ ବାଣ୍ଟିଲେ ନୂତନ ଶାଢୀ, ଲୁଙ୍ଗି, ଗାମୁଛା ଏବଂ ଡ୍ରେସ୍

ଭୁବନେଶ୍ୱର : ଓଡ଼ିଶାରେ ଦେଖାଦେଇଥିବା ମହାମାରୀ କରୋନାରୁ ସୁରକ୍ଷିତ ରହିବା ତଥା ସଚେତନ କରାଇବା ପାଇଁ ସମାଜସେବୀ ପ୍ରତାପ ସାହୁ ତାଙ୍କର ଜାରି ରଖିଥିବା ସେବା ଆଜି ୧୫୦ ଦିନରେ ପହଞ୍ଚିଛି। ଏହି ଉପଲକ୍ଷେ ପ୍ରତାପ ଏକ ନିଆରା ଢଙ୍ଗରେ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଗରିବ, ଅସହାୟ ଓ ଅନଗ୍ରସର ଲୋକ ଏବଂ ଛୋଟପିଲାମାନଙ୍କୁ ଲୁଙ୍ଗି, ଗାମୁଛା, ଶାଢୀ ଏବଂ ଡ୍ରେସ୍ ବଣ୍ଟନ କରିଥିଲେ।

ପ୍ରକାଶଥାଉକି ମାର୍ଚ୍ଚ ୧୦ ତାରିଖରେ ଓଡ଼ିଶାରେ ଆତଙ୍କ ସୃଷ୍ଟି କରିଥିବା କରୋନା ପ୍ରଭାବରେ ସାଧରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ଆର୍ଥିକ ପରିସ୍ଥିତି ସେମାନଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ଏହାକୁ ହୃଦୟଙ୍ଗ କରି ପ୍ରତାପ ଦୀର୍ଘ ୧୫୦ ଦିନ ଧରି ବିଭିନ୍ନ ଅଞ୍ଚଳ ବୁଲି ଲୋକମାନଙ୍କୁ ସଚେତନ କରିବା ସହିତ ସେମାନଙ୍କୁ ମାସ୍କ, ସାବୁନ, ତେଲ, ସର୍ଫ, ସାନିଟାଇଜର, ବିସ୍କୁଟ, ଅମୁଲ, ଗ୍ଲୁକୋନ ଆଦି ବଣ୍ଟନ କରୁଥିବା ବେଳେ ନିରୀହ, ଅସହାୟ ଓ ଗରିବ ଲୋକମାନଙ୍କୁ ପ୍ରତ୍ୟେକ ଦିନ ରନ୍ଧାଖାଦ୍ୟ ଯୋଗାଇ ଆସୁଛନ୍ତି। ଏହା ସହିତ ବିଭିନ୍ନ ସାହି, ବସ୍ତି, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ବସ୍, ବସ୍‌ଷ୍ଟାଣ୍ଡ୍‌ ବୁଲି ସାନିଟାଇଜର କରୁଛନ୍ତି। ସେହିପରି ବିଭିନ୍ନ ପଶୁ, ପକ୍ଷୀ ଯଥା ବୁଲା କୁକୁର, ଗାଈ, ଷଣ୍ଢ, କାଉ ଓ ପାରାମାନଙ୍କୁ ମଧ୍ୟ ପ୍ରତଦିନ ଖାଦ୍ୟ ଯୋଗାଇ ଆସୁଛନ୍ତି। ଏତଦ୍ବ୍ୟତୀତ କଟକର ବିଭିନ୍ନ ବସ୍ତି, ଖୋର୍ଦ୍ଧା, ଜୟଦେବ ନିର୍ବାଚନ ମଣ୍ଡଳୀ ବିଭିନ୍ନ ଗାଁଗୁଡ଼ିକୁ ମଧ୍ୟ ସେ ମାଗଣାରେ ସାନିଟାଇଜ କରିଛନ୍ତି। ପ୍ରତାପଙ୍କ ଏଭଳି ପ୍ରୟାସକୁ ସାଧାରଣ ଲୋକମାନେ ଭୂୟସୀ ପ୍ରଶଂସା କରିଛନ୍ତି। ସେହିପରି କରୋନା ବିରୋଧରେ ଜାରି ରଖିଥିବା ପ୍ରତାପଙ୍କ କାର୍ଯ୍ୟକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ଟୁଇଟ୍ ଜରିଆରେ ଉଚ୍ଚ ପ୍ରଶଂସା କରିଛନ୍ତି। ଏ ବାବଦରେ ପ୍ରତାପ କହିଛନ୍ତି ଯେ ମାର୍ଚ୍ଚ ୧୦ ତାରିଖରୁ ଆଜି ପର୍ଯ୍ୟନ୍ତ ୧୫୦ ଦିନ ଧରି ଲୋକମାନଙ୍କୁ ସେବା ଯୋଗାଇ ଆସୁଛି ଓ ଓଡ଼ିଶାରେ ଯେତେଦିନ ପର୍ଯ୍ୟନ୍ତ କରୋନା ତାର କାୟାବିସ୍ତାର କରିଚାଲିଥିବ, ସେତେଦିନ ପର୍ଯ୍ୟନ୍ତ ଏହି ସେବା ଜାରି ରହିବ। ଲୋକମାନେ ସଚେତନ ହୋଇ କରୋନାକୁ ପରାସ୍ତ କରିବା ମୋର ମୂଳ ଲକ୍ଷ୍ୟ ବୋଲି କୁହନ୍ତି ସମାଜସେବୀ ପ୍ରତାପ।

Comments are closed.