ଜାମିନରେ ମୁକୁଳିଲେ ପ୍ରଶାନ୍ତ କିଶୋରଙ୍କ ଦଳ

ଅଗରତାଲା: ତ୍ରିପୁରା ରାଜଧାନୀ ଅଗରତାଲାର ଏକ ହୋଟେଲରେ ଗୃହବନ୍ଦୀ ଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ‘ଆଇପାକ୍‌’ (ଇଣ୍ଡିଆନ୍‌ ପଲିଟିକାଲ ଆକ୍ସନ କମିଟି)ର ୨୩ କର୍ମଚାରୀ ଗୁରୁବାର ଜାମିନରେ ମୁକୁଳିଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ଅଗଷ୍ଟ ୧ରେ ଥାନାରେ ହାଜର ହେବାକୁ ପୁଲିସ ନିର୍ଦେଶ ଦେଇଛି। ସେମାନଙ୍କୁ କାହା ସହିତ ସାକ୍ଷାତ୍‌ ପାଇଁ ପୁଲିସ ବାରଣ କରିଛି। କରୋନା କଟକଣା ଉଲ୍ଲଂଘନ କରିଥିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା ବୋଲି ସ୍ବୀକାର କରିଛି।

ପୂର୍ବରୁ ପୁଲିସ ସେମାନଙ୍କୁ ଅଟକ କିମ୍ବା ଗୃହବନ୍ଦୀ କରାଯାଇ ନ ଥିବା କହିଥିଲା। ପୁଲିସ ସେମାନଙ୍କୁ ଗୃହବନ୍ଦୀ କରିଥିବା ସମ୍ପୃକ୍ତ କର୍ମଚାରୀମାନେ ଅଭିଯୋଗ କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଦଳର ଜଣେ ସାଂସଦ ଓ ରାଜ୍ୟର ଦୁଇ ମନ୍ତ୍ରୀଙ୍କୁ ଅଗରତାଲା ପଠାଇଥିଲେ। ଆସନ୍ତା ୨୦୨୩ରେ ତ୍ରିପୁରା ବିଧାନସଭା ନିର୍ବାଚନ ଥିବାରୁ ମମତାଙ୍କ ଦଳ ପାଇଁ କାମ କରିବାକୁ ଆଇପାକ୍‌ କର୍ମଚାରୀ ତ୍ରିପୁରା ଯାଇଥିଲେ।

Comments are closed.