ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁନାହିଁ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବପରି ଜଟିଳ ରହିଛି। ଅସ୍ତ୍ରୋପଚାର ପରଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସି ନାହିଁ। ତେଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ବୋଲି ଦିଲ୍ଲୀସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଲ ହସ୍ପିଟାଲ ପକ୍ଷରୁ ବୁଧବାର ପ୍ରେସ ଇସ୍ତାହାରରେ କୁହାଯାଇଛି। ସୋମବାର ୮୪ବର୍ଷୀୟ ମୁଖାର୍ଜୀଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇ ରକ୍ତ ଜମାଟ (ବ୍ଲଡ କ୍ଲଟ)କୁ ବାହାର କରାଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ପୂର୍ବତନ ରାଷ୍ଟ୍ରପତି ହେମୋଡାଇନାମିକାଲି ଷ୍ଟେବୁଲ ଥିବାବେଳେ ଭେଣ୍ଟିଲେଟରରେ ରଖାଯାଇଛି। ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଗଠିତ ଏକ ଟିମ୍‍ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ପ୍ରତି ଘଣ୍ଟାରେ ଅନୁଧ୍ୟାନ ପୂର୍ବକ ଆବଶ୍ୟକ ଚିକିତ୍ସା ଜାରି ରଖିଛନ୍ତି। ଅସ୍ତ୍ରୋପଚାର ପୂର୍ବରୁ ତାଙ୍କର କରୋନା ସ୍ୱାବ ପରୀକ୍ଷା କରାଯାଇଥିଲା ଯାହାର ରିପୋର୍ଟ ପଜିଟିଭ ଆସିଥିଲା। ପ୍ରଣବଙ୍କ ଝିଅ ଶର୍ମିଷ୍ଠା ବୁଧବାର ଟୁଇଟ୍‍ କରିଛନ୍ତି ଯେ ବର୍ଷକ ପୂର୍ବେ ତାଙ୍କ ପିତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏବେ କିନ୍ତୁ ସେ ସଙ୍କଟାପନ୍ନ ଅବସ୍ଥାରେ ରହିଛନ୍ତି। ଶର୍ମିଷ୍ଠା ତାଙ୍କ ଟ୍ୱିଟର ପୋଷ୍ଟରେ ଲେଖିଛନ୍ତି ‘ଗତବର୍ଷ ଅଗଷ୍ଟ ୮ତାରିଖରେ ମୋ ବାପା ଭାରତରତ୍ନ ପୁରସ୍କାର ଗ୍ରହଣ କରିଥିବାରୁ ମୁଁ ବହୁତ ଖୁସିଥିଲି। ଠିକ ବର୍ଷକ ପରେ ଅଗଷ୍ଟ ୧୦ରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଲେ। ଭଗବାନ ମୋତେ ଦୁଃଖ ଓ ସୁଖକୁ ଆପଣାଇବାର ଶକ୍ତି ଓ ସାମର୍ଥ୍ୟ ଦିଅନ୍ତୁ। ମୋ ପରିବାରର ଦୁଃଖ ପାଇଁ ଯେଉଁମାନେ ଉଦ୍‍ବେଗ ପ୍ରକାଶ କରିଛନ୍ତି ସେମାନଙ୍କୁ ମୋର ଧନ୍ୟବାଦ।’ ପ୍ରଣବଙ୍କ ଆରୋଗ୍ୟ କାମନା କରି ପଶ୍ଚିମବଙ୍ଗ ବୀରଭୂମିରେ ଝାପେଶ୍ୱର ଶିବ ମନ୍ଦିରରେ ଯଜ୍ଞ କରାଯାଇଛି। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ପ୍ରଣବ ଦେଶର ତ୍ରୟୋଦଶ ରାଷ୍ଟ୍ରପତି ଥିଲେ।

Comments are closed.