ପ୍ରଣବଙ୍କ ବିତର୍କିତ ଆତ୍ମଜୀବନୀ

ଚଳିତ ଶତାବ୍ଦୀର ପ୍ରଥମ ଦଶକର କଥା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଲୋକପ୍ରିୟତା ସାରା ଦେଶରେ ଶିଖର ଛୁଇଁଥାଏ। ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଥାଏ ଜାତୀୟ ରାଜପଥ ପ୍ରଶସ୍ତୀକରଣ ଯୋଜନା ଓ ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଆକୁମାରୀ ହିମାଳୟ ସମସ୍ତ ରାଜପଥ ଉପରେ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ବିରାଟ ଫଟୋ ଓ କଟ୍‌ଆଉଟ୍‌ ଶୋଭା ବର୍ଦ୍ଧନ କରୁଥାଏ। ଏହି ବିପୁଳ ଲୋକପ୍ରିୟତାର ସୁଯୋଗ ନେଇ ୨୦୦୪ ମସିହାରେ ସାଧାରଣ ନିର୍ବାଚନକୁ ଧାର୍ଯ୍ୟ ସମୟର ୭/୮ ମାସ ପୂର୍ବରୁ କରାଇଦେବାକୁ ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣହସ୍ତ ରୂପେ ପରିଚିତ ବିଜେପିର ତତ୍‌କାଳୀନ ମହାସଚିବ ପ୍ରମୋଦ ମହାଜନ ତାଙ୍କୁ ପରାମର୍ଶ ଦେଇଥିଲେ।

ପ୍ରମୋଦଙ୍କ ଏହି ପରାମର୍ଶ ବାଜପେୟୀଙ୍କ ମନକୁ ଛୁଇଁଥିଲା ଏବଂ ସେ ନିର୍ଦ୍ଧାରିତ ଅବଧି ପୂର୍ବରୁ ଲୋକସଭାକୁ ଭାଙ୍ଗିଦେଇ ଦେଶରେ ସାନି ନିର୍ବାଚନ ପାଇଁ ଘୋଷଣା କରିଥିଲେ। ମୁମ୍ବଇର ଏକ ବିଶାଳ ତାରକା ହୋଟେଲର ସପ୍ତଦଶ ମହଲାରେ ବସି ପ୍ରମୋଦ ମହାଜନ ଓ ଅନ୍ୟ ବିଜେପି ନେତାମାନେ ‘ଇଣ୍ଡିଆ ସାଇନିଂ’, ‘ଫିଲ୍‌ଗୁଡ଼’ ମନ୍ତ୍ର ଶୁଣାଇ ଆସନ୍ନ ନିର୍ବାଚନରେ ଶାସକ ଦଳ ଦୁଇ ତୃତୀୟାଂଶ ଆସନ ଦଖଲ କରିବ ବୋଲି ବାହୁସ୍ଫୋଟ ମାରିଥିଲେ; କିନ୍ତୁ ଠିକ୍‌ ସେହି ସମୟରେ ଦୁର୍ବଳ ଓ ଦିଗହରା ଅବସ୍ଥାରେ ଥିବା କଂଗ୍ରେସ ଦଳର ଜଣେ ଖର୍ବକାୟ ନେତା ଏକ ଭିନ୍ନ ରଣନୀତି ଆପଣେଇ ଦଳକୁ ଭୋଟ୍‌ଯୁଦ୍ଧରେ ଅବତୀର୍ଣ୍ଣ କରାଇପାରିଥିଲେ। ସେ ପର୍ଯ୍ୟନ୍ତ କଂଗ୍ରେସ ଅନ୍ୟ ସମସ୍ତ ରାଜନୈତିକ ଦଳଠାରୁ ନିଜକୁ ଦୂରେଇ ରଖି ଏକାଧିପତ୍ୟ ଜାହିର କରିବା ନୀତିରେ ବିଶ୍ବାସ ପୋଷଣ କରୁଥିଲା। ଅନ୍ୟ ସମସ୍ତ ଦଳ କଂଗ୍ରେସ ଗଣତନ୍ତ୍ର ଓ ଧର୍ମ ନିରପେକ୍ଷତାରେ ବିଶ୍ବାସୀ ସମଭାବାପନ୍ନ ଦଳଙ୍କୁ ନେଇ ମେଣ୍ଟ ବା ଆସନ ବୁଝାମଣା କରାଇବାରେ ସଫଳ ହୋଇଥିଲେ ସେହି ଖର୍ବକାୟ କଂଗ୍ରେସ ନେତା।

୨୦୦୪ ମସିହା ସାଧାରଣ ନିର୍ବାଚନର ଫଳାଫଳ କେବଳ ଭାରତ ନୁହେଁ; ସାରା ବିଶ୍ବକୁ ଚମକାଇ ଦେଇଥିଲା। ଲୋକପ୍ରିୟତାର ଶୀର୍ଷରେ ଥିବା ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ବିଜେପି ନିର୍ବାଚନରେ ପରାସ୍ତ ହୋଇଥିବାବେଳେ ସତ୍ତାହୀନ ଦୁର୍ବଳ କଂଗ୍ରେସ ଅଧିକ ଆସନ ଦଖଲ କରିବାକୁ ସକ୍ଷମ ହେଲା। କେନ୍ଦ୍ରରେ ଗଠିତ ହୋଇଥିଲା କଂଗ୍ରେସ ନେତୃତ୍ବରେ ପରିଚାଳିତ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ସରକାର। ଯେଉଁ ନେତାଙ୍କ ସୁଚତୁର ଗୋଟିଚାଳନା ଯୋଗୁଁ ଅନେକ ବର୍ଷର ବ୍ୟବଧାନ ପରେ କଂଗ୍ରେସ ପୁଣି କେନ୍ଦ୍ରରେ ଶାସନକୁ ଫେରିଥିଲା ତାଙ୍କରି ନାଁ ପ୍ରଣବ ମୁଖାର୍ଜୀ। ଭାରତୀୟ ରାଜନୀତିରେ ଜଣେ ଆଗଧାଡ଼ିର ଅଭିଜ୍ଞ ଓ ଅନୁଭବୀ ରାଜନେତା ରୂପେ ପ୍ରଣବ ଦା’ଙ୍କ ଯଥେଷ୍ଟ ସୁଖ୍ୟାତି ରହିଥିଲା। ସେ ଗୋଟିଏ ନିର୍ଦ୍ଦିଷ୍ଟ ରାଜ​‌ନୈତିକ ଦଳର ସକ୍ରିୟ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ହେଁ ରାଜନୀତି କ୍ଷେତ୍ରରେ ନିର୍ବିବାଦୀୟ ବ୍ୟକ୍ତି ରୂପେ ପରିଗଣିତ ହେଉଥିଲେ ଏବଂ ପ୍ରତିଦ୍ବନ୍ଦ୍ବୀ ଦଳର ନେତାମାନେ ମଧ୍ୟ ତାଙ୍କୁ ଖୁବ୍‌ ସମ୍ମାନ କରୁଥିଲେ।

ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଦଳଗୁଡ଼ିକୁ ଏକଜୁଟ କରାଇ ୨୦୦୪ ଓ ୨୦୦୯ ମସିହା ନିର୍ବାଚନରେ କଂଗ୍ରେସକୁ ଦୁଇଦୁଇଥର ବିଜୟର ମୁକୁଟ ପିନ୍ଧାଇବା ସତ୍ତ୍ବେ ଦଳ କେବେ ତାଙ୍କୁ ସଫଳତାର ଶ୍ରେୟ ଦେଇନାହିଁ କିମ୍ବା ପ୍ରଧାନମନ୍ତ୍ରୀ ପଦବୀରେ ଅଧିଷ୍ଠିତ କରାଇ ନଥିଲା। ୟୁପିଏର ଦୁଇପାଳି ଶାସନରେ ମନମୋହନ ସିଂହ ହିଁ ଦେଶର ପ୍ରଧାନମନ୍ତ୍ରୀ ପଦ ମଣ୍ଡନ କରିଥିଲେ। ପ୍ରଣବ ମୁଖାର୍ଜୀଙ୍କ ଭଳି ପ୍ରଭାବଶାଳୀ ରାଜନେତାଙ୍କୁ ପ୍ରଧାନମନ୍ତ୍ରୀ ନକରାଇ ମନମୋହନ ସିଂହଙ୍କୁ ଗାଦିନସୀନ କରିବା ପଛରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପ୍ରଚ୍ଛନ୍ନ ହାତ ରହିଥିଲା। ଅବଶ୍ୟ ମନମୋହନ ଜଣେ ଜ୍ଞାନୀଗୁଣୀ ଓ ସଚ୍ଚୋଟ ବ୍ୟକ୍ତି ହୋଇଥିଲେ ହେଁ ନିଜର ଶାନ୍ତ, ସରଳ ସ୍ବଭାବ ଯୋଗୁଁ ଶାସନର ରିମୋଟ ସୋନିଆଙ୍କ ହାତରେ ରହିଥିଲା। ବାସ୍ତବ କ୍ଷେତ୍ରରେ ସୋନିଆ ହିଁ ଦେଶକୁ ଶାସନ କରୁଥିବାର ବିରୋଧୀମାନେ ଅଭିଯୋଗ କରୁଥିଲେ। ପ୍ରଣବ ଦା’ ନିଜେ ପ୍ରଧାନମନ୍ତ୍ରୀ ନହେଲେ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ ସମୟରୁ ବିଭିନ୍ନ ସରକାରରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। କେନ୍ଦ୍ରରେ ବୈଦେଶିକ, ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ଭାବରେ ତାଙ୍କର ଦକ୍ଷତାକୁ ପ୍ରତିଦ୍ବନ୍ଦ୍ବୀମାନେ ମଧ୍ୟ ସ୍ବୀକାର କରିଥିଲେ। ୨୦୧୨ ମସିହାର ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦ୍ବିତା କରି ପ୍ରଣବ ବିଜୟ ହାସଲ କରିଥିଲେ। ୨୦୧୭ ମସିହା ପର୍ଯ୍ୟନ୍ତ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ମୁଖ୍ୟ ପଦରେ ଅଧିଷ୍ଠିତ ଥିବା ସମୟରେ ସେ ନିଜକୁ ଦଳୀୟ ବିଚାରଧାରାଠାରୁ ଊର୍ଦ୍ଧ୍ବରେ ରଖି ଦାୟିତ୍ବ ସଂପାଦନ କରିଥିଲେ। ସମ୍ପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରି ପ୍ରଣବ ଦା’ ସମସ୍ତଙ୍କ ଦ୍ବାରା ପ୍ରଶଂସିତ ଓ ଗ୍ରହଣୀୟ ହୋଇପାରିଥିଲେ। ସେଥିପାଇଁ ପରବର୍ତ୍ତୀ ସମୟରେ ଶାସନ କ୍ଷମତାକୁ ଆସିଥିବା ବିଜେପି ସରକାର ମଧ୍ୟ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ ଉପାଧିରେ ସମ୍ମାନିତ କରିଥିଲେ। ଚଳିତବର୍ଷ ଅଗଷ୍ଟ ୩୧ ତାରିଖରେ ପ୍ରଣବଙ୍କ ଘଟଣା ବହୁଳ କର୍ମମୟ ଜୀବନର ଅବସାନ ଘଟିଲା।

ପ୍ରଣବଙ୍କ ତିରୋଧାନର ଅବ୍ୟବହିତ ପରେ ଏବେ ପ୍ରକାଶ ଅପେକ୍ଷାରେ ରହିଛି ତାଙ୍କର ଅପ୍ରକାଶିତ ଆତ୍ମଜୀବନୀ ପୁସ୍ତକ ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’ ଏଥିରେ ଉଲ୍ଲେଖ ଥିବା କେତେକ ତଥ୍ୟକୁ ନେଇ ରାଜନୈତିକ ମହଲରେ ଖୁବ୍‌ ହଇଚଇ ସୃଷ୍ଟି ହୋଇଛି। ଏହି ପୁସ୍ତକ ବର୍ତ୍ତମାନ ସୁଦ୍ଧା ଲୋକଲୋଚନକୁ ଆସିନାହିଁ ଏବଂ ୨୦୨୧ ଜାନୁଆରୀ ମାସରେ ଆନୁଷ୍ଠାନିକ ଭାବରେ ଲୋକାର୍ପିତ ହେବ ବୋଲି ଆଶା କରାଯାଉଛି। ସୂଚନା ଅନୁଯାୟୀ ମୃତ୍ୟୁର ଅବ୍ୟବହିତ ପୂର୍ବରୁ ପ୍ରଣବ ଏହି ଆତ୍ମଜୀବନୀ ପୁସ୍ତକର ଲେଖା କାର୍ଯ୍ୟ ଶେଷ କରିଥିଲେ। ତେଣୁ ଜୀବନର ଶେଷ ଭାବନା ଏଥିରେ ପ୍ରତିଫଳିତ ହୋଇଥିବ ବୋଲି ଆଶା କରାଯିବା ସ୍ବାଭାବିକ।

ପୂର୍ବତନ ରାଷ୍ଟ୍ରପତିଙ୍କ ଦ୍ବାରା ବର୍ଣ୍ଣିତ କେତେକ ଅଜଣା ତଥ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ତାଙ୍କ ପରିବାର ଭିତରେ ମଧ୍ୟ ଏହାର ପ୍ରକାଶନକୁ କେନ୍ଦ୍ରକରି ମତଭେଦ ମୁଣ୍ଡ ଟେକିଛି। ପ୍ରଣବଙ୍କ ପୁତ୍ର ପୁସ୍ତକର ପ୍ରକାଶନ ବନ୍ଦ ରଖିବାକୁ ମତ ଦେଇଛନ୍ତି। ଅନ୍ୟ ପକ୍ଷରେ ତାଙ୍କର କନ୍ୟା ଶର୍ମିଷ୍ଠା ଆତ୍ମଜୀବନୀ ନିର୍ଦ୍ଧାରିତ ସମୟରେ ହିଁ ଆତ୍ମ ପ୍ରକାଶ କରାଯିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଏହି ପୁସ୍ତକରେ କଂଗ୍ରେସ ଦଳର ଅନେକ ଗୁମର କଥାକୁ ଖୋଲାଯାଇଥିବାର କୁହାଯାଉଛି। ଉଦାହରଣ ସ୍ବରୂପ ୨୦୧୪ ମସିହାର ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଖୋଲାଖୋଲି ଭାବରେ ଦାୟୀ କରାଯାଇଛି। ସୋନିଆଙ୍କ ଅଦୂରଦର୍ଶିତା ଏବଂ ପ୍ରଧାନମନ୍ତ୍ରୀଙ୍କ କେତେକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଲା ବୋଲି ପ୍ରଣବଦା ଉଲ୍ଲେଖ କରିଛନ୍ତି।

ପ୍ରଦୋଷ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ, ଭୁବନେଶ୍ବର)

Comments are closed.