କଂଗ୍ରେସର ଗୁମର ଖୋଲୁଛି ପ୍ରଣବଙ୍କ ପୁସ୍ତକ; ୨୦୧୪ ନିର୍ବାଚନରେ ପରାଜୟ ପାଇଁ ସୋନିଆ ଓ ମନମୋହନ ଦାୟୀ

ନୂଆଦିଲ୍ଲୀ: ୨୦୧୪ ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ସୋନିଆ ଗାନ୍ଧୀ ଏବଂ ମନମୋହନ ସିଂହ ଦାୟୀ। ଏପରି ଚାଞ୍ଚଲ୍ୟକର ତଥ୍ୟ ଲେଖିଯାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ସେ ତାଙ୍କ ଅନୁଭୂତିର ପୁସ୍ତକ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ର ଅନ୍ତିମ ସଂସ୍କରଣରେ ଏହା ଲେଖିଛନ୍ତି।

Image Courtesy: Indian Express

୨୦୧୪ ପରଠାରୁ କଂଗ୍ରେସ ଏକାଧିକ ନିର୍ବାଚନରେ ଲଗାତର ପରାଜିତ ହେବା ପରେ ଦଳ ଏବଂ ଏହାର ଶୀର୍ଷ ନେତୃବୃନ୍ଦ କଡ଼ା ସମାଲୋଚନାର ଶିକାର ହେଉଥିବାବେଳେ ପ୍ରଣବ ମୂଖାର୍ଜୀଙ୍କ ଏହି ପୁସ୍ତକ ଦଳ ଭିତରେ ଥିବା ଅନେକ ଗୁମର କଥା ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛି।

ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସ ସରକାରରେ ଅର୍ଥମନ୍ତ୍ରୀ ଥିବା ପ୍ରଣବଙ୍କର ଗତ ଅଗଷ୍ଟରେ ପରଲୋକ ଘଟିଛି। ଏହା ପୂର୍ବରୁ ତାଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’କୁ ରୁପା ପବ୍ଲିକେଶନ ଦ୍ବାରା ପ୍ରକାଶ କରିବାକୁ ଯୋଜନା ରହିଛି। ଜାନୁୟାରୀରେ ଏହି ପୁସ୍ତକର ଅନ୍ତିମ ସଂସ୍କରଣ ପ୍ରକାଶ ପାଇବ। ଆସନ୍ତା ଜାନୁୟାରୀରେ ପ୍ରକାଶ ପାଇବାକୁ ଥିବା ପୁସ୍ତକରେ ପ୍ରଣବ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଅତି ଶୋଚନୀୟ ଭାବେ କ’ଣ ପାଇଁ ପରାଜିତ ହେଲା ତାହାର ବିଶ୍ଳେଷଣ କରିଛନ୍ତି।

ଏଥିରେ ଆହୁରି ଲେଖା ରହିଛି ଯେ, ରାଷ୍ଟ୍ରପତି ଭାବେ ମୋର ଉତ୍ଥାନ ହେବା ପରେ ଦଳୀୟ ନେତୃତ୍ଵ ରାଜନୈତିକ ଦୃଷ୍ଟି ଆକର୍ଷଣ ହରାଇଦେଲେ। ସୋନିଆ ଗାନ୍ଧୀ ଦଳର ବିଭିନ୍ନ ସମସ୍ୟାକୁ ସମ୍ଭାଳିବାରେ ଅସମର୍ଥ ଥିଲେ ଏବଂ ଡା. (ମନମୋହନ) ସିଂହଙ୍କ ଦୀର୍ଘ ସମୟର ଅନୁପସ୍ଥିତି ଅନ୍ୟ ସାଂସଦମାନଙ୍କ ସହିତ ତାଙ୍କର କୌଣସି ବ୍ୟକ୍ତିଗତ ସମ୍ପର୍କକୁ ଶେଷ କରିଦେଲା।

ପ୍ରଣବ ମୁଖାର୍ଜୀ ୨୦୧୨ରେ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ କଂଗ୍ରେସ ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ। ସେ ନିଜର ପୁସ୍ତକରେ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ତୁଳନା କରିଛନ୍ତି, ଯେଉଁମାନଙ୍କ ସହିତ ସେ କାମ କରିଛନ୍ତି। ଜଣେ ହେଉଛନ୍ତି ମନମୋହନ ସିଂହ ଏବଂ ଅନ୍ୟ ଜଣେ ନରେନ୍ଦ୍ର ମୋଦୀ।

ପ୍ରଣବ ଲେଖିଛନ୍ତି, ମୁଁ ବିଶ୍ଵାସ କରେ ଶାସନ କରିବାର ନୈତିକ ଅଧିକାର ପ୍ରଧାନମନ୍ତ୍ରୀଙ୍କ ସହିତ ନିହିତ ଥାଏ। ରାଷ୍ଟ୍ରର ସମଗ୍ର ସ୍ଥିତି ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପ୍ରଶାସନର କାର୍ଯ୍ୟକଳାପକୁ ପ୍ରତିଫଳିତ କରେ। କିନ୍ତୁ ମନମୋହନଙ୍କୁ ଦଳୀୟ ମେଣ୍ଟର ସୁରକ୍ଷା କରିବାକୁ ପରାମର୍ଶ ଦିଆଯାଇଥିଲା, ଯାହା ତାଙ୍କ ଶାସନ ପଦ୍ଧତି ଉପରେ ଭାରି ପଡ଼ିଥିଲା। ମାତ୍ର ମୋଦୀ ତାଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ସରକାର, ବ୍ୟବସ୍ଥାପିକା ଏବଂ ନ୍ୟାୟପାଳିକା ମଧ୍ୟରେ ତିକ୍ତ ସମ୍ପର୍କକୁ ଦେଖି ଏକ ନିରଙ୍କୁଶ ଶାସନ ଶୈଳୀ ଆପଣାଇଥିଲେ। ଏହି ସରକାରର ଦ୍ବିତୀୟ କାର୍ଯ୍ୟକାଳରେ ଏପରି ପ୍ରସଙ୍ଗରେ ଭଲ ବୁଝାମଣା ରହିଛି କି ନାହିଁ ତାହା କେବଳ ସମୟ କହିବ।

Comments are closed.