ପ୍ରଣବଙ୍କ ଫୁସ୍ଫୁସ୍ରେ ସଂକ୍ରମଣ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଛି। ତାଙ୍କ ଫୁସ୍ଫୁସକୁ ସଂକ୍ରମଣ ବ୍ୟାପୀଥିବା ଦିଲ୍ଲୀସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଲ ହସ୍ପିଟାଲ ପକ୍ଷରୁ ବୁଧବାର କୁହାଯାଇଛି। ପ୍ରଣବ ପୂର୍ବପରି କୋମାରେ ଅଛନ୍ତି ଓ ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ବିଶେଷଜ୍ଞ ଡାକ୍ତରୀ ଦଳ ପ୍ରତି ମୂହୁର୍ତ୍ତରେ ଅନୁଧ୍ୟାନ କରୁଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ତେବେ ପ୍ରଣବଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ କହିଛନ୍ତି ଯେ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ସକାରାତ୍ମକ ଲକ୍ଷଣ ଦେଖାଯାଉଛି। ଅଭିଜିତ୍ ଟୁଇଟ୍ କରିଛନ୍ତି ‘ ସମସ୍ତଙ୍କର ଶୁଭେଚ୍ଛା ଓ ଡାକ୍ତରଙ୍କ ନିରନ୍ତର ଉଦ୍ୟମ ଯୋଗୁଁ ମୋ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି! ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ନିୟନ୍ତ୍ରଣରେ ରହିଛି। ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନେଇ ସକାରାତ୍ମକ ଲକ୍ଷଣ ଦେଖାଯାଇଛି। ତାଙ୍କର ଆରୋଗ୍ୟ ନିମନ୍ତେ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ ମୋର ଅନୁରୋଧ।’ ଅଗଷ୍ଟ ୧୦ରେ ପ୍ରଣବ (୮୪)ଙ୍କୁ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇ ରକ୍ତ ଜମାଟ (ବ୍ଲଡ କ୍ଲଟ)କୁ ବାହାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସି ନଥିଲା। ଅସ୍ତ୍ରୋପଚାର ପୂର୍ବରୁ ପ୍ରଣବଙ୍କ କରୋନା ନମୁନା ପରୀକ୍ଷା କରାଯାଇଥିଲା ଓ ଏହାର ରିପୋର୍ଟ ପଜିଟିଭ ଆସିଥିଲା। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ପ୍ରଣବ ଦେଶର ତ୍ରୟୋଦଶ ରାଷ୍ଟ୍ରପତି ଥିଲେ।