ଜଟିଳ କରୋନା ରୋଗୀଙ୍କ ପ୍ରତି ଧ୍ୟାନ ଦିଅ

ଭୁବନେଶ୍ୱର :ଲୋକଙ୍କ ସଚେତନତା ଅଭାବରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏଥିଯୋଗୁଁ ଅନେକ ସମୟରେ ରୋଗୀ ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଟିଳ ରୋଗୀଙ୍କୁ କିଭଳି ନିଜ ଜିଲାରେ ଉତମ ସ୍ୱାସ୍ଥ୍ୟସେବା ମିଳିପାରିବ ସେନେଇ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ, ମହାନଗର କମିଶନର ଓ ସିଡ଼ିଏମଓଙ୍କୁ ନିର୍ଦେଶ ଦେଇଛନ୍ତି।
ଶ୍ରୀ ମହାପାତ୍ର ମଙ୍ଗଳବାର ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ କୋଭିଡ଼ ପରିଚାଳନା ଲାଗି ସରକାରଙ୍କ ପକ୍ଷରୁ ସବୁ ବନ୍ଦୋବସ୍ତ କରାଯାଇଛି। ଏହାବାଦ୍‍ ଜିଲାସ୍ତରରୁ ରୋଗୀଙ୍କ ପରିବହନ ବାବଦୀୟ ଖର୍ଚ୍ଚ ବହନ ନେଇ ଯେଉଁ ସୁପାରିସ ଆସିଥିଲା ତାକୁ ମଧ୍ୟ ସରକାର ଗ୍ରହଣ କରିଛନ୍ତି। ଆଇସିୟୁ ଶଯ୍ୟା ପ୍ରସ୍ତୁତ ପାଇଁ ଯାହା ଖର୍ଚ୍ଚ ହେବ ତାକୁ ମଧ୍ୟ ସରକାର ବହନ କରିବେ। ତେଣୁ ଜଟିଳ ରୋଗୀଙ୍କୁ ଏଣିକି ମନଇଚ୍ଛା କଟକ-ଭୁବନେଶ୍ୱର ପଠାଇବା ଆବଶ୍ୟକ ନାହିଁ। ରୋଗୀଙ୍କ ପାଇଁ ଯାହା ଆଇସିୟୁ ଶଯ୍ୟା ଆବଶ୍ୟକ ତାକୁ ପୂରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କର। ଜିଲାସ୍ତରରେ ପାରାମେଡିକାଲ ଷ୍ଟାଫଙ୍କୁ ଅଧିକ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି। ଯାହାଦ୍ୱାରା ରୋଗୀଙ୍କୁ ଠିକଣା ଚିକିତ୍ସା ମିଳିବ ଏବଂ ଅଧିକ ରୋଗୀଙ୍କୁ କଟକ-ଭୁବନେଶ୍ୱର ବୋହିବା ଆବଶ୍ୟକ ପଡ଼ିବନାହିଁ। ଯଦି ରୋଗୀଙ୍କୁ ଅଣାଯାଉଛି ତେବେ ସେକ୍ଷେତ୍ରରେ ବୈଷୟକ ବିଶେଷଜ୍ଞଙ୍କୁ ସାଙ୍ଗରେ ପଠାଅ। କେବଳ ରୋଗୀଙ୍କୁ ପଠାଇଦେଇ ମୁଣ୍ଡରୁ ବୋଝ ଓହ୍ଲାଇଦେଲେ ଚଳିବନାହିଁ। ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ରୋଗୀଙ୍କୁ ସେବା ପ୍ରଦାନ କରିବାକୁ ପଡ଼ିବ।
ସେହିପରି କେଉଁ ରୋଗୀଙ୍କୁ ରେମଡେସିଭିର ଇଞ୍ଜେକ୍ସସନ ଦିଆଯିବ ତାକୁ ଯାଞ୍ଚ କରି ଦେବାକୁ ଶ୍ରୀ ମହାପାତ୍ର ସିଡ଼ିଏମଓଙ୍କୁ ନିର୍ଦେଶ ଦେଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ ହେବା ପୂର୍ବରୁ ରୋଗୀଙ୍କୁ ଚିକିତ୍ସା ମିଳିବା ଆବଶ୍ୟକ। ଯେଉଁ ବ୍ୟକ୍ତି ଉପଶମ ପାଉଛନ୍ତି ତାଙ୍କୁ ସାଧାରଣ ଶଯ୍ୟାକୁ ସ୍ଥାନାନ୍ତର କର। ଏହାବାଦ୍‍ ଚିକିତ୍ସାଳୟରେ କର୍କଟ, ଡାଏଲେସିସ ରୋଗୀ ଏବଂ ଗର୍ଭସ୍ଥରୋଗୀଙ୍କ ପାଇଁ ଅଧିକ ଶଯ୍ୟା ସୃଷ୍ଟିି କରିବାକୁ ପତ୍ରରେ ଦର୍ଶାଯାଇଛି। ଗ୍ରାମାଞ୍ଚଳରେ ଥିବା ଡାକ୍ତର ସେଠାରେ ଥିବା ଅଲଟ୍ରାସାଉଣ୍ଡ ଓ ସିଟିସ୍କାନ କର୍ମଚାରୀଙ୍କୁ ତାଲିମ ଦେଇ କୋଭିଡ଼ କାର୍ଯ୍ୟରେ ନିୟୋଜିତ କରିବାକୁ ପଡ଼ିବ। ଏହାବାଦ୍‍ ସରକାରଙ୍କ ଯାହା ନିର୍ଦେଶନାମା ଜାରି ହେଉଛି ତାକୁ ଠିକଣା ଭାବେ ତୃଣମୂଳସ୍ତରରେ ଯେଭଳି କାର୍ଯ୍ୟକାରୀ ହେବତାକୁ ଗୁରୁତ୍ୱଦେଇ ନିଜ ମଧ୍ୟରେ ସମନ୍ୱୟ ରକ୍ଷାକରି କାର୍ଯ୍ୟକାରୀ କରିବାକୁ ଶ୍ରୀ ମହାପାତ୍ର ପତ୍ରରେ ଦର୍ଶାଇଛନ୍ତି।

Comments are closed.