ପ୍ରଦୀପ-ପାଠକ ସଂଯୋଗ: ଜୋର ଧରିଲା ଘନିଷ୍ଠ ସହଯୋଗୀଙ୍କ ଗିରଫ ହେବା ଚର୍ଚା

କ୍ରାଇମ୍‌ବ୍ରାଞ୍ଚ ସ୍କାନରରେ ବିଧାୟକ, ଅବସରପ୍ରାପ୍ତ ଅଧ୍ୟାପକ ଓ ବ୍ୟବସାୟୀ

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ତାଙ୍କ ଭାବି ଜ୍ବାଇଁ ଆକାଶ କୁମାର ପାଠକ ଏବଂ ସମୁଦି ତଥା ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ଗିରଫକୁ ନେଇ ବର୍ତ୍ତମାନ ଗଞ୍ଜାମ ଜିଲାରେ ଚର୍ଚ୍ଚାଥମୁନି । ଏହାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ବିଗତ ଦିନରେ ଏମାନଙ୍କ ଘନିଷ୍ଠ କେତେକ ସହଯୋଗୀଙ୍କୁ ଡାକି ଜେରା କରିସାରିଲାଣି । ଆଗାମୀ ଦିନରେ ଆଉ କେତେକ ଅନୁଗତଙ୍କୁ ମଧ୍ୟ ଜେରା କରିବ ବୋଲି ସୂଚନା ମିଳିଛି । ଏପରିକି ବିଧାୟକ ପାଣିଗ୍ରାହୀଙ୍କ ଜଣେ ଅତି ଘନିଷ୍ଠଙ୍କୁ କ୍ରାଇମ୍‌ବ୍ରାଞ୍ଚ ଖୁବ୍‌ ଶୀଘ୍ର ଗିରଫ କରିବାକୁ ଯାଉଛି ବୋଲି ଏବେ କେବଳ ଗୋପାଳପୁର ନୁହଁ, ସାରା ଜିଲାରେ ଚର୍ଚ୍ଚା ଜୋର୍‌ଦାର୍‌ ଚାଲିଛି । ତେବେ କ୍ରାଇମ୍‌ବ୍ରାଞ୍ଚ ତାଲିକାରେ କିଏ କିଏ ରହିଛନ୍ତି, ତାହା ସଂପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି ପ୍ରସଙ୍ଗରେ ପ୍ରଥମେ ଅଭୟକାନ୍ତ ଗିରଫ ହୋଇଥିଲେ । ତାଙ୍କ ସଂପତ୍ତିର ଖୋଳତାଡ଼ ଏବଂ ଦୁର୍ନୀତିର ତଦନ୍ତ କରୁଛି ଭିଜିଲାନ୍ସର ଏସ୍‌ଆଇଟି । ହେଲେ ଗତ କିଛିଦିନ ହେଲା ଭିଜିଲାନ୍ସ ତଦନ୍ତ ବଦଳରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକୁ ନେଇ ହୋ-ହାହ୍ଲା ଦେଖିବାକୁ ମିଳିଛି । ଏହା ପଛର କାରଣ ହେଲା ମାମଲାରେ କେତେକ ହାଇପ୍ରୋଫାଇଲ୍‌ ବ୍ୟକ୍ତିଙ୍କ ସଂପୃକ୍ତି । ଟାଟାରେ ନିଯୁକ୍ତି ପାଇଁ ପ୍ରାୟ ୬୮ଜଣ ଯୁବକ ଯୁବତୀଙ୍କ ଠାରୁ ଆକାଶ ଟଙ୍କା ନେଇଥିବା ଅଭିଯୋଗ ପଦାକୁ ଆସିବା ପରଠୁ ନିତି ନୂଆଁ ନୂଆଁ ନାଁ ସାମ୍‌ନାକୁ ଆସୁଛି । ବିଧାୟକ ପ୍ରଦୀପଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ତାଲିକା ଲମ୍ବିବାରେ ଲାଗିଛି । ଏହା ଭିତରେ ତାଲିକାରୁ କେତେକ ବ୍ୟକ୍ତିଙ୍କୁ କ୍ରାଇମ୍‌ବ୍ରାଞ୍ଚ ବ୍ରହ୍ମପୁରରେ ଜେରା କରିସାରିଲାଣି । ଏଥିରେ ଅଛନ୍ତି ଗୋପାଳପୁର ନିର୍ବାଚନ ମଣ୍ଡଳୀର କେତେକ ରାଜନେତା ତଥା ପ୍ରଦୀପଙ୍କ ଘନିଷ୍ଠ, ଠକାମୀର ଶିକାର କିଛି ଯୁବକ ।

ତେବେ ତାଲିକାରେ ଆଉ କେଉଁ କେଉଁମାନେ ଅଛନ୍ତି, ତାହା ଏବେ ଚର୍ଚ୍ଚିତ ବିଷୟ । ତଦନ୍ତ ଯେତିକି ଆଗକୁ ଯାଉଛି, ସେତିକି ନୂଆଫର୍ଦ ଯୋଡ଼ି ହେବାରେ ଲାଗିଛି । ପ୍ରଦୀପ ଏବଂ ଆକାଶଙ୍କ ସଂପତ୍ତିର ଖୋଳତାଡ଼ ଚାଲିଛି । ପ୍ରଦୀପଙ୍କୁ ମୋଟା ଅଙ୍କର ଟଙ୍କା ପଠାଇଥିବା ମଦ ବ୍ୟବସାୟୀ, ପେଟ୍ରୋଲ୍‌ ପମ୍ପ ମାଲିକ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ରବିନ୍ଦ୍ର କୁମାର ସାହୁ, ସୂର୍ଯ୍ୟ ସାହୁ ସହ ଆଉ କେତେକ ବ୍ୟକ୍ତି ଏବେ କ୍ରାଇମ୍‌ବ୍ରାଞ୍ଚ୍‌ର ସ୍କାନର୍‌ରେ ରହିଛନ୍ତି । ବିଶେଷକରି ଅବସରପ୍ରାପ୍ତ ଅଧ୍ୟାପକ ସର୍ବେଶ୍ବର ରାଓ । ଆକାଶଙ୍କ ବ୍ୟକ୍ତିଗତ ସହାୟକ ଡେଭିଡ୍‌ ପିଟର୍‌ କ୍ରାଇମ୍‌ବ୍ରାଞ୍ଚ ସାମ୍ନାରେ ସର୍ବେଶ୍ବରଙ୍କ ନାମ ନେଇଥିଲେ । ଟାଟାରେ ନିଯୁକ୍ତି ପାଇଁ ସର୍ବେଶ୍ବର ଗୋପାଳପୁର ଅଞ୍ଚଳର ଯୁବକ ଯୁବତୀଙ୍କ ସହ ଯୋଗାଯୋଗ କରିବା ପରେ ସେମାନଙ୍କ ତାଲିକା ପ୍ରସ୍ତୁତ କରୁଥିଲେ । ଏଣୁ ଠକେଇରେ ସର୍ବେଶ୍ବରଙ୍କ ଭୂମିକା ରହିଥିବା ନେଇ ପ୍ରମାଣ ମିଳିବା ପରେ ଖୁବ୍‌ଶୀଘ୍ର ସେ ମଧ୍ୟ ଜେରାର ସମ୍ମୁଖିନ ହୋଇପାରନ୍ତି ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।

ସେହିଭଳି ଚର୍ଚ୍ଚାରେ ଥିବା ଆଉ ଏକ ନାମ ହେଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ । ଗଞ୍ଜାମ ରାଜନୀତିରେ ପ୍ରଦୀପଙ୍କ ଯଦି କେହି ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଥା’ନ୍ତି, ତେବେ ସେ ହେଉଛନ୍ତି ବିଧାୟକ ସ୍ବାଇଁ । ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ କେବଳ ବିରୋଧୀ ନୁହଁ, ଶାସକ ଦଳର ମଧ୍ୟ ଅନେକ ନେତା ଦାବି କଲେଣି । ସୋରଡ଼ାରେ ୧୧୧ଏକର ଜଙ୍ଗଲ ଜମି ହାତେଇବାରେ ପ୍ରଦୀପ ଏବଂ ପୂର୍ଣ୍ଣଚନ୍ଦ୍ରଙ୍କ ଭୁମିକା ଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଅଭିଯୋଗ କରିଥିଲେ । ପ୍ରଦୀପଙ୍କ ଗିରଫ ପରଠୁ ପୂର୍ଣ୍ଣଚନ୍ଦ୍ର ଏକ ପ୍ରକାର ନିରବ ହୋଇଯାଇଛନ୍ତି । ନା’ କର୍ମୀଙ୍କୁ ସାକ୍ଷାତ କରୁଛନ୍ତି ନା’ କୌଣସି କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି । ତାଙ୍କ ନିରବତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ପୂର୍ଣ୍ଣଚନ୍ଦ୍ର କିମ୍ବା ସର୍ବେଶ୍ବର ନୁହଁ, ଆହୁରି ଅନେକଙ୍କ ନାମ କ୍ରାଇମ୍‌ବ୍ରାଞ୍ଚ ତାଲିକାରେ ଥିବା ଚର୍ଚ୍ଚା ହେଉଛି । ଅନେକ ନେତା ଏବେ କ୍ରାଇମ୍‌ବ୍ରାଞ୍ଚ ନାଁ ଶୁଣିଲେ ଛାନିଆ ହୋଇପଡିଲେଣି । ଦିନ ଯେତିକି ଗଡ଼ିଗଡ଼ି ଯାଉଛି, ତାଲିକାରେ ନୂଆ ନାଁ ଯୋଡ଼ିବାରେ ଲାଗିଛି ।

Comments are closed.