ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ: ସାନଖେମୁଣ୍ଡି ବିଧାୟକଙ୍କ ନାଁରେ ମିଛ ବଳାତ୍କାର ମାମଲା ଲାଗି ପକାଇଥିଲେ ଚାପ

ବ୍ରହ୍ମପୁର: ଖୋଲୁଛି ପ୍ରଦୀପ ପାଣିଗ୍ରାହୀଙ୍କ ଗୁମର । ଆଉ ଏହି ଗୁମର ଏତେ ସାଂଘାତିକ ଯେ ତାହା ଅକଳ୍ପନୀୟ । ରାଜନୈତିକ ପ୍ରତିଶୋଧପରାୟଣ ହୋଇ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ବିରୋଧରେ ବ୍ୟବହାର କରିଥିଲେ ଜଣେ ମହିଳାଙ୍କୁ । ସର୍ତ ଥିଲା ଯଦି ମହିଳା ଏହି ଅଭିଯୋଗ ଆଣନ୍ତି, ତେବେ ତାଙ୍କ ଝିଅକୁ ଟାଟା କମ୍ପାନୀରେ ଚାକିରି ମିଳିବ ।  ଯେଉଁ ମହିଳା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ ସେ ହିଁ ଖୋଲିଛନ୍ତି ଏହି ରହସ୍ୟ । କହିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ ତାଙ୍କ ଉପରେ ଚାପ ପକାଇଥିଲେ । ମିଛ ବଳାତ୍କାର ଅଭିଯୋଗ ଆଣିବାକୁ କହିଥିଲେ । ତାଙ୍କ ଭୟରେ ସେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ବିରୋଧରେ ମିଥ୍ୟା ବଳାତ୍କାର ଅଭିଯୋଗ କରିଥିଲେ ବୋଲି ସମ୍ପୃକ୍ତ ମହିଳା କହିଛନ୍ତି । ଏହା ସହ  ଟାଟା କମ୍ପାନୀରେ ଚାକିରି ଯୋଗାଇଦେବାକୁ ପ୍ରତିଶୃତି ଦେଇଥିବା ଅନେକ ଯୁବକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ସଂଗ୍ରହ କରିଥିବା ସେ ଅଭିଯୋଗ କରିଛନ୍ତି।

ସମ୍ପୃକ୍ତ ମହିଳା କହିଛନ୍ତି  ମୁଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭେଟିଥିଲି। ସେ  ଟାଟା କମ୍ପାନୀରେ ମୋ ଝିଅକୁ ଚାକିରି କରାଇ ଦେବା ନିମନ୍ତେ କିଛି ଟଙ୍କା ମାଗିଥିଲେ । ମାତ୍ର ପରେ ସେ ତାଙ୍କ ମନ ପରିବର୍ତନ କରିଥିଲେ । କହିଥିଲେ ସେ ଚାକିରି ପାଇଁ ଟଙ୍କା ନେବେ ନାହିଁ, ମାତ୍ର ଚାକିରି ପାଇବାକୁ ହେଲେ  ରମେଶ ଜେନାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ କରିବାକୁ ପଡ଼ିବ । ଆରମ୍ଭରେ ତାଙ୍କ କଥାରେ ମୁଁ ରାଜି ହୋଇ ନ ଥିଲି । ସେଥିପାଇଁ ସେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ । ମୋ ଘରକୁ ଜଳ ଓ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ କରାଯାଇଥିଲା, ଢ଼େଲା ପଥର ଫିଙ୍ଗା ଯାଇଥିଲା । ଫଳରେ ଭୟଭୀତ ହୋଇ ନିଜ ବିବେକ ବିରୋଧରେ ରମେଶ ଜେନାଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରିଥିଲି ବୋଲି ସମ୍ପୃକ୍ତ ମହିଳା କହିଛନ୍ତି ।

Comments are closed.